ନେତା ଅସୁସ୍ଥ ; ଚିନ୍ତାରେ ବିଜେପି

0

ନୂଆଦିଲ୍ଲୀ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ସ୍ବାଇନ ଫ୍ଲୁ ଆକ୍ରାନ୍ତ ହେବାର ଦିନକ ପରେ ଦଳର ଅନ୍ୟ ଜଣେ ନେତାଙ୍କ ଅସୁସ୍ଥତା ସମ୍ବନ୍ଧରେ ଖବର ପ୍ରକାଶ ପାଇଛି। ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମ ଲାଲଙ୍କୁ ଗୁରୁବାର ନୋଏଡାସ୍ଥିତ କୈଳାସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୁଧବାର ରାତିରୁ ସେ ପ୍ରବଳ ଜ୍ବରରେ ଆକ୍ରାନ୍ତ ହୋଇପଡିଥିଲେ। ଇତିମଧ୍ୟରେ ତାଙ୍କ ରକ୍ତ ନମୁନା ଯାଞ୍ଚ କରାଯାଇଛି ଏବଂ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ପ୍ରକାଶ କରିଛନ୍ତି। କିନ୍ତୁ ତାଙ୍କ ସ୍ବାସ୍ଥ୍ୟକୁ ନେଇ ବିଶେଷ ଚିନ୍ତା କରିବାର କାରଣ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି।
ବୁଧବାର ରାତିରେ ଅମିତ ଶାହାଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ରିପୋର୍ଟ ହସ୍ତଗତ ହେବା ପରେ ତାଙ୍କୁ ତରବରିଆ ଭାବେ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଚିକିତ୍ସା ଲାଗି ବରିଷ୍ଠ ଡାକ୍ତରମାନଙ୍କର ଏକ ଦଳ ଗଠନ କରାଯାଇଛି। ଏମ୍ସର ଭିଭିଆଇପି ୱାର୍ଡର ୩୦୧ ନମ୍ବର ପ୍ରକୋଷ୍ଠରେ ଚିକିତ୍ସିତ ହେଉଥିବା ଶାହାଙ୍କୁ ଏବେ ପୃଥକ (ଆଇସୋଲେସନରେ)ରଖାଯାଇଛି । ଦୁଇ ଦିନ ପରେ ସେ ଘରକୁ ଫେରି​‌େ​‌ବ ବୋଲି ଏମ୍‌ସ ଡାକ୍ତରଙ୍କ ସୂତ୍ରରୁ ଜଣାପଡିଛି। ଶାହା ଜାନୁଆରୀ ୧୮ରେ ଓଡ଼ିଶାର ସାଲେପୁରଠାରେ ଅନୁଷ୍ଠିତ ହେବାକୁ ଥିବା ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। ମାତ୍ର ଏହି ସମାବେଶକୁ ଦଳ ସ୍ଥଗିତ ରଖିଛି। ଶାହା ଏବଂ ରାମଲାଲଙ୍କ ସମେତ ବିଜେପିର ଅନ୍ୟ ବହୁ ବରିଷ୍ଠ ନେତା ଅସୁସ୍ଥ ଥିବା ଜଣାପଡିଛି। ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଠିକ ନାହିଁ। ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ସେ ରବିବାର ଆମେରିକା ଗସ୍ତ କରିଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ବନ୍ଧରେ ଦଳ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ। ସ୍ବାସ୍ଥ୍ୟ ପରୀକ୍ଷା ଶେଷ କରି ଆସନ୍ତା ସପ୍ତାହରେ ଜେଟଲୀ ଫେରିବେ ବୋଲି ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଜେଟଲୀ ‘ସଫ୍ଟ ଟିସୁ ସରକୋମା’ ନାମକ ଏକ ବିରଳ କର୍କଟରୋଗରେ ପୀଡ଼ିତ।
କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ମଧ୍ୟ ନିକଟରେ ଡାକ୍ତରଖାନାରୁ ଫେରିଛନ୍ତି। ଶ୍ବାସକ୍ରିୟାରେ ସମସ୍ୟା କାରଣରୁ ତାଙ୍କୁ ସୋମବାର ଏମ୍‌ସର ଫୁସଫୁସ ରୋଗ ବିଭାଗରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଥିବା ଜଣାପଡିଛି। ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପରିକର ଅନେକ ଦିନରୁ ଅସୁସ୍ଥତା କାରଣରୁ ଚର୍ଚ୍ଚାରେ ରହିଛନ୍ତି। ଗତ ୧୧ ମାସ ହେବ ସେ ଅଗ୍ନାଶୟ ରୋଗରେ ପୀଡ଼ିତ ଅଛନ୍ତି। ୨୦୧୮ର ପ୍ରଥମ ତିନିମାସ ଆମେରିକା​‌େ​‌ର ଚିକିତ୍ସିତ ହେବା ପରେ ଭାରତ ଫେରି ସେ ଏମ୍‌ସରେ ଚିକିତ୍ସା ଆରମ୍ଭ କରିଥିଲେ। ଡିସେମ୍ବର ୧୬ରେ ସେ ଏମ୍‌ସରୁ ଫେରିଥିଲେ। ଏହାର ପ୍ରାୟ ୨ ମାସ ପରେ ସେ ସାର୍ବଜନିକ ଭାବେ ସାଧାରଣ ଲୋକଙ୍କ ସମ୍ମୁଖକୁ ଆସିଥିଲେ। ମାତ୍ର ପରିକର ଆତ୍ମବିଶ୍ବାସର ସହିତ ନିଜ କାମ କରିଚାଲିଛନ୍ତି। ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ନାହାନ୍ତି। ଏହି କାରଣରୁ ୨୦୧୯ ଲୋକସଭା ନିର୍ବାଚନ ନ ଲଢିବାକୁ ସେ ପୂର୍ବରୁ ଘୋଷଣା କରିସାରିଛନ୍ତି। ବୃକକ୍‌ ରୋଗରେ ପୀଡ଼ିତ ସୁଷମାଙ୍କର ଅସ୍ତ୍ରୋପଚାର ମଧ୍ୟ କରାଯାଇଛି। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଗତ କିଛି ଦିନ ହେବ ଅସୁସ୍ଥ ଥିବା ଜଣାଯାଏ। ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ। ରକ୍ତରେ ଶର୍କରା ପରିମାଣ ହ୍ରାସ ପାଇବା ଯୋଗୁଁ ତାଙ୍କ ମୁଣ୍ଡ ବୁଲାଇବାରୁ ଏଭଳି ଘଟିଥିବା ରିପୋର୍ଟ ପ୍ରକାଶ ପାଇଥିଲା।

Leave A Reply