କନ୍ଧମାଳ ଜିଲା:୨ବ୍ଲକରେ ୨୫୦ଜଣ ୫ବର୍ଷ ଶିଶୁଙ୍କ ସିକିଲ୍‌ ସେଲ୍‌ ପରୀକ୍ଷଣ, ୨ ଭାଗ ଶିଶୁ ସିକିଲ ପଜିଟିଭ୍‌ ଚିହ୍ନଟ

ସିକିଲସେଲ ଚିକିତ୍ସା ଲ୍ୟାବ ଉଦ୍‌ଘାଟିତ

ଫୁଲବାଣୀ: ଜାତୀୟ ଟାସ୍କଫୋର୍ସ ପ୍ରକଳ୍ପ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇ.ସି.ଏମ୍.ଆର) ଆଞ୍ଚଳିକ ସ୍ୱାସ୍ଥ୍ୟ ଗବେଷଣା କେନ୍ଦ୍ର ପକ୍ଷରୁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ରାଜୀବ ଗାନ୍ଧି ସେବା କେନ୍ଦ୍ର ପରିସରରେ ସିକିଲିଂ ରୋଗ ଓ ଏହାର ନିରାକରଣ ସଂକ୍ରାନ୍ତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସିମନବାଡ଼ି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସିକିଲ ସେଲ ରୋଗର ଚିକିତ୍ସାପାଇଁ ଏକ ଲ୍ୟାବ୍‌ ଉଦଘାଟନ ହୋଇଯାଇଛି। ଆଇସିଏମ୍ଆର ଗବେଷକ ତଥା ବୈଜ୍ଞାନିକ ଡ. ମନୋରଞ୍ଜନ ରଞ୍ଜିତ୍‌ କହିଥିଲେ ଯେ କନ୍ଧମାଳ ଜିଲାର ୨ଟି ସ୍ଥାନ ଜି-ଉଦୟଗିର ବ୍ଲକ କଳିଙ୍ଗାପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସିକେଲ୍‌ ସେଲ୍‌ ଲ୍ୟାବ ପ୍ରତିଷ୍ଠା କରାଯାଇଛି। ଉକ୍ତ ୨ବ୍ଲକର ୫ବର୍ଷ ମଧ୍ୟରେ ରହିଥିବା ୨୫୦ ଶିଶୁମାନଙ୍କର ସିକିଲିଂ ପରୀକ୍ଷା କରାଯାଇଥିବା ବେଳେ ଟେଷ୍ଟ ପରେ ୨ଭାଗ ଶିଶୁଙ୍କ ଶରୀରରେ ସିକିଲିଂ ପଜିଟିଭ ଥିବା ନେଇ ରିପୋର୍ଟ ଆସିଥିଲା। ଯାହା ଫଳରେ ଏହି ୨ ବ୍ଲକରେ ସିକିଲିଂ ଟେଷ୍ଟ ଲ୍ୟାବ କରାଯାଇ ରୋଗ ନିରୁପଣ କରି ଲୋକଙ୍କୁ ରୋଗ ପ୍ରଭାବରୁ ରକ୍ଷା କରିବାର ଲକ୍ଷ୍ୟ ରଖାଯାଇଥିବା ସେ ପ୍ରକାଶ କରିଥିଲେ। ରକ୍ତ ଶିଙ୍କୁଳି(ସିକିଲିଂ)ରୋଗ କେତେ ଭୟାନକ ଏଥିପାଇଁ କ’ଣ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ, ରୋଗରଲକ୍ଷଣ ଓ ନିରାକରଣ ବିଷୟରେ କହିଥିଲେ। ଅସୁସ୍ଥ କୋଷ ରୋଗ ସ୍କ୍ରିନିଂ ଏବଂ ପରିଚାଳନା ପାଇଁ ସ୍ୱାସ୍ଥ୍ୟବସ୍ଥା ଏବଂ ସମ୍ପ୍ରଦାୟର କ୍ଷମତାକୁ ଉନ୍ନତ କରିବା ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ ଆସିଏମ୍ଆର ତରଫରୁ ଏହି ପଦକ୍ଷେପ ଆରମ୍ଭ କରାଯାଇଥିବା ନେଇ ସୂଚନା ପ୍ରଦାନ କରିଥିଲେ।
ଦାରଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ରାକେଶ ସାମନ୍ତରାୟ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ଆଇସିଏମ୍ଆର ଗବେଷକ ତଥା ବୈଜ୍ଞାନିକ ଡ.ମନୋରଞ୍ଜନ ରଞ୍ଜିତ, ଜାଗୃତି ସମ୍ପାଦକ କୈଳାଶଚନ୍ଦ୍ର ଦଣ୍ଡପାଟ୍ଟ, ତିଲୋରୀ ସରପଞ୍ଚ ବିଷ୍ଣୁଚରଣ ପ୍ରଧାନ, ସିମନବାଡ଼ି ସରପଞ୍ଚ ଅମିତା ପ୍ରଧାନଙ୍କ ସମେତ ଏହି ଅଞ୍ଚଳର ସବୁ ଆଶା କର୍ମୀ ଓ ଅଙ୍ଗନବାଡ଼ି କର୍ମୀମାନେ ଉପସ୍ଥିତ ରହିଥିଲେ।
ସିକିଲିଂ ରୋଗ ବାବଦରେ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ଏକ କ୍ଷୁଦ୍ର ପାଲା ନାଟକ ପ୍ରଦର୍ଶନ କରାଯାଇଥିଲା। ଏହାପରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ରାଲିରେ ଉପସ୍ଥିତ ଥିବା ସମସ୍ତ ଅତିଥିମାନଙ୍କ ସହିତ ଆଶାକର୍ମୀ ମାନେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ଏହି ପ୍ରକଳ୍ପର ବୈଜ୍ଞାନିକ ଡ.ଅରୁନ୍ଧତୀ ଦାସ, ଡ.ଜ୍ୟୋତି ଘୋସାଲ, ଏସ୍ଆର୍ଏଫ(ଆଇ.ସି.ଏମ୍.ଆର୍)ମାନସ କୁମାର ବାରିକ, ରିସର୍ଚ୍ଚ ଆସିଷ୍ଟାଣ୍ଟ, ପ୍ରଭାତ ବାରିକ(ଲ୍ୟାବଟେକ୍ନିସିଆନ),ବୈଜ୍ଞାନିକ ଡ.ମଧସ୍ମିତା ବଳ(ଆଇସିଏମ୍ଆର, ଆର୍ଏମଆର୍‌ସି), ବୈଜ୍ଞାନିକ ଡ.ହେମନ୍ତ କୁମାର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ପ୍ରଦୀପ କୁମାର ଜେନା, ଅଭିଷେକ ମହାପାତ୍ର, ସିମନବାଡ଼ି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ପ୍ରତ୍ୟୁଷ ରଞ୍ଜନ ବେହେରା, ଆୟୁଷ ଡାକ୍ତର ପ୍ରଜ୍ଞାରାଣୀ ନାୟକ, ଫାର୍ମାସିଷ୍ଟ ସୁଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

Comments are closed.