୫ବଙ୍ଗୀୟଙ୍କୁ ହତ୍ୟା ପ୍ରତିବାଦରେ ବନ୍ଦ ପାଳିତ

0

ତିନ୍‍ସୁକିଆ : ଉଲ୍‍ଫା ଉଗ୍ରପନ୍ଥୀମାନେ ଗୁରୁବାର ଆସାମର ତିନ୍‍ସୁକିଆ ଜିଲା ଅନ୍ତର୍ଗତ ସାଦିଆ ନିକଟ ବିଷ୍ଣୋଇମୁଖଠାରେ ୫ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣାର ପ୍ରତିବାଦ କରିଛନ୍ତି ସ୍ଥାନୀୟ ମହିଳା ଓ ଗ୍ରାମବାସୀ। ଘଟଣାସ୍ଥଳରୁ ଥାନା ମାତ୍ର ୨୦୦ମିଟର ଦୂରରେ ଥିଲେ ମଧ୍ୟ ପୁଲିସ ତୁରନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଥିବା ଓ ଲୋକଙ୍କୁ ସୁରକ୍ଷା ପ୍ରଦାନରେ ବିଫଳ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଶୁକ୍ରବାର ସେମାନେ ଢ଼ୋଲା-ତିନ୍‍ସୁକିଆ ରାଜପଥ ଅବରୋଧ କରିଥିଲାବେଳେ ଆଲ୍‍ ଆସାମ ବେଙ୍ଗଲୀ ଫେଡେରେସନ୍‍ ପକ୍ଷରୁ ୧୨ଘଣ୍ଟିଆ ଜିଲା ବନ୍ଦ ପାଳନ କରାଯାଇଥିଲା।
ଅପରପକ୍ଷରେ ଆହତ ଅବସ୍ଥାରେ ବଞ୍ଚିଯାଇଥିବା ସହଦେବ ନାମସୁଦ୍ର ଘଟଣା ସମ୍ପର୍କରେ ରୋମାଞ୍ଚକର ବର୍ଣ୍ଣନା କରିଛନ୍ତି। ଢ଼ୋଲା-ସାଦିଆ ସେତୁ ନିକଟ ଖେରୋନିବାରୀ ଗ୍ରାମସ୍ଥିତ ଏକ ଦୋକାନରେ ଗୁରୁବାର ସନ୍ଧ୍ୟାରେ ୩ଜଣ ସାଙ୍ଗ ବସିଥିବାବେଳେ ଉଗ୍ରପନ୍ଥୀମାନେ ସେମାନଙ୍କୁ ଡାକି ନେଇଥିଲେ। ପରେ ଅନ୍ୟ ଏକ ଗୋଷ୍ଠୀ ଆଉ ତିନି ଜଣଙ୍କୁ ଧରି ଆଣିଥିଲେ। ପୋଲ ନିକଟରେ ସେମାନେ ସମସ୍ତ ୬ଜଣଙ୍କୁ ଧାଡ଼ିକରି ବସାଇବା ସହ ଗୁଳି ଚଳାଇଥିଲେ। ଧାଡ଼ି ଶେଷରେ ଥିବା ନାମସୁଦ୍ର ସୌଭାଗ୍ୟବଶତଃ ଗୁଳିରୁ ବର୍ତ୍ତି ଯାଇଥିଲେ। ଉଗ୍ରପନ୍ଥୀମାନେ ସେନା ପୋଷାକ ପିନ୍ଧିଥିଲେ ଓ ହିନ୍ଦୀରେ କଥାବାର୍ତ୍ତା କରୁଥିଲେ ବୋଲି ନାମସୁଦ୍ର କହିଛନ୍ତି। ସୂଚନାଯୋଗ୍ୟ ଯେ ୟୁନାଇଟେଡ୍‍ ଲିବରେସନ ଫ୍ରଣ୍ଟ ଅଫ ଆସାମ(ଇଣ୍ଡିପେଣ୍ଡେଣ୍ଟ) ବା ଉଲ୍‍ଫା(ଆଇ)ର ସଦସ୍ୟ କୁହାଯାଉଥିବା ବନ୍ଧୁକଧାରୀମାନେ ୬ଜଣ ବଙ୍ଗୀୟ ଯୁବକଙ୍କୁ ଭୟଭୀତକରି ବ୍ରହ୍ମପୁତ୍ର ନଦୀ କୂଳକୁ ନେଇଯାଇଥିଲେ ଓ ସେଠାରେ ସମସ୍ତଙ୍କୁ ଧାଡ଼ିକରି ବସାଇ ସେମାନଙ୍କ ଉପରକୁ ଗୁଳିଚାଳନା କରିଥିଲେ। ଜାତୀୟ ନାଗରିକ ପଞ୍ଜିକା ବା ଏନ୍‍ଆରସିକୁ କେନ୍ଦ୍ରକରି ଆସାମୀ ଓ ବଙ୍ଗୀୟଙ୍କ ମଧ୍ୟରେ ପୁରୁଣା ବିବାଦ ତେଜି ଉଠିଥିବାବେଳେ ରାଜ୍ୟର ମୂଳ ଆସାମୀମାନେ ବସବାସ କରୁଥିବା ବଙ୍ଗୀୟଙ୍କ ତୀବ୍ର ବିରୋଧ କରୁଛନ୍ତି।

Leave A Reply