ଆଜିଠୁ ଦୁଇ ଦିନିଆ ସଟ୍‌ଡାଉନ୍ : କ’ଣ ଖୋଲା?

ଆତ୍ମ ସଂଯମ ହିଁ ଏକମାତ୍ର ବିକଳ୍ପ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ପ୍ରତ୍ୟେକ ଦିନ ଶତାଧିକ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ସ୍ଥାନୀୟ ବାସିନ୍ଦାଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ସେପଟେ ପ୍ରତ୍ୟେକ ଦିନ ୨୦ ହଜାରରୁ ଅଧିକ ଲୋକ କ୍ବାରେଣ୍ଟାଇନ୍ ଶେଷ କରି ଘରକୁ ଯାଉଛନ୍ତି। ଏପରି ଅବସ୍ଥାରେ ଆସନ୍ତାକାଲି ଠାରୁ ୧୧ ଜିଲାରେ ଦୁଇ ଦିନିଆ ସଟ୍‌ ଡାଉନ୍ ଆରମ୍ଭ ହେଉଛି। ଶନିବାର ସକାଳ ୬ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ସଟ୍ ଡାଉନ୍ ବଳବତ୍ତର ରହିବ। ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ବଲାଙ୍ଗୀର ଓ ଖୋର୍ଦ୍ଧା ଜିଲାରେ ସପ୍ତାହକୁ ୨ ଦିନ ସଟ୍‌ଡାଉନ୍ ଘୋଷଣା ହୋଇଛି। ଜୁନ୍‌ ୩୦ ଯାଏ ଶନି ଓ ରବିବାର ସଟ୍‌ ଡାଉନ୍ ହେବ। ଆଜି ଏକ ଭିଡ଼ିଓ ବର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଜୁନ୍ ମାସ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଆଗାମୀ ୨୫ ଦିନର ପରିଚାଳନା ଉପରେ କରୋନା ଲଢ଼େଇରେ ଆମର ସଫଳତା ନିର୍ଭର କରୁଛି। ଜୀବନ ଓ ଜୀବିକା ଆମ ପାଇଁ ଜରୁରୀ। ଲକ୍ ଡାଉନ୍​‌ କୋହଳ ହୋଇଛି କେବଳ ଜୀବିକା ପାଇଁ। କିନ୍ତୁ ଜୀବନ ପ୍ରତି ଏହା ଯେମିତି ବିପଦ ସୃଷ୍ଟି ନକରିବ ସେଥିପ୍ରତି ଆମେ ନିଜେ ସାବଧାନ ରହିବା ଉଚିତ। ବର୍ତ୍ତମାନ ପରିସ୍ଥିତିରେ ଆତ୍ମ ସଂଜମ ହିଁ ଆମ ପାଇଁ ଏକମାତ୍ର ବିକଳ୍ପ। ତେଣୁ ଆମେ ସମସ୍ତେ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ସମୟରେ ଘରେ ରହି ନିୟମର ଅନୁପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି।
ସଟ୍‌ଡାଉନ୍‌ ସମୟରେ ପେଟ୍ରୋଲ ପମ୍ପ ଖୋଲା ରହିବ। ଟେଲିକମ୍‌, ମାଲ୍‌ ପରିବହନ, କୃଷି ସମ୍ପର୍କିତ କାର୍ଯ୍ୟ, ବସ୍, ରେଳ, ବିମାନ,
ଟ୍ୟାକ୍ସି ଚଳାଚଳ ମଧ୍ୟ ଚାଲୁ ରହିବ। ତେବେ କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ବିବାହ ଓ ଅନ୍ତିମ ସଂସ୍କାର କାର୍ଯ୍ୟ ହେବ। ସଟ୍‌ ଡାଉନ୍ ସମୟରେ କେଉଁ କାର୍ଯ୍ୟ ଓ କେଉଁ ବ୍ୟକ୍ତିଙ୍କୁ ଛାଡ଼ ମିଳିବ ସେନେଇ ସ୍ବତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆରସି)ଙ୍କ ପାଇଁ ସୂଚନା ଦିଆଯାଇଛି। ଏସ୍‌ଆରସିଙ୍କ ପକ୍ଷରୁ କୁହାଯାଇଛି ଯେ ମେଡିକାଲ କିମ୍ବା ଅନ୍ୟ କୌଣସି ଜରୁରୀ କାମରେ ଲୋକେ ବାହାରକୁ ଯାଇପାରିବେ। ସେହିପରି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆରବିଆଇ), କ୍ଲିୟରିଂ ହାଉସ୍, ଏଟିଏମ୍‌ ସହ ଜଡ଼ିତ କର୍ମଚାରୀମାନେ ଯାଇପାରିବେ। ବିମାନବନ୍ଦର, ରେଳ ଷ୍ଟେସନ୍‌, ବସ୍ ସେବା, ଏଲପିଜି ଯୋଗାଣ ସହ ଜଡ଼ିତ କର୍ମଚାରୀ, ଅନ୍‌ଲାଇ୍‌ନରେ ଖାଦ୍ୟ ଓ ମଦ ଡେଲିଭରି କରୁଥିବା ସ୍ୱିଗି, ଜୋମାଟୋ ସଂସ୍ଥାର କର୍ମଚାରୀଙ୍କୁ ଯା ଆସ ପାଇଁ କଟକଣାରୁ ବାଦ୍ ଦିଆଯାଇଛି। ସେହିପରି ସକାଳ ୫ଟାରୁ ୮ଟା ଯାଏ ଖବରକାଗଜ ବିକ୍ରେତା ବାହାରେ ଚଳ ପ୍ରଚଳ କରିପାରିବେ ବୋଲି ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।

କ’ଣ ଖୋଲା
– ସ୍ବାସ୍ଥ୍ୟସେବା, ଜଳ ଓ ବିଦ୍ୟୁତ୍‌ ଯୋଗାଣ, ଆର୍‌ବିଆଇ ଓ ଅନ୍ୟ କ୍ଲିୟରିଂ ହାଉସ୍‌, ଏଟିଏମ୍‌, ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନ, ଏୟାରପୋର୍ଟ, ରେଳଷ୍ଟେସନ, ବସ୍‌ଷ୍ଟାଣ୍ଡ
କଟକଣା ମୁକ୍ତ
– ଜୋମାଟୋ ଓ ସ୍ବିଗି ଭଳି ରେସ୍ତୋରଁା ଓ ହୋଟେଲର ଖାଦ୍ୟ ହୋମ୍‌ ଡେଲିଭରି, ରନ୍ଧନ ଗ୍ୟାସ୍‌ ଯୋଗାଣ ଆଦି ସେବା ପାଇଁ ବିଭାଗୀୟ ପରିଚୟ ପତ୍ର
– ଖବରକାଗଜ ବିତରକ (ସକାଳ ୫ରୁ ୮)
– ଟ୍ୟାକ୍ସି, ଅଟୋ ରିକ୍ସା ଅନ୍ୟ ଜରୁରୀ ସେବା ପାଇଁ ପୁଲିସ ପାସ୍‌
– ବିବାହ ଓ ଶୁଦ୍ଧିକ୍ରିୟା ପାଇଁ ଅନୁମତି ସହ ପୁଲିସ ପାସ୍‌
– ଜରୁରୀ ଯାତାୟାତ ପାଇଁ ୧୦୦ ନମ୍ବରକୁ ଡାଏଲ କରି ପାସ୍‌ ନେବେ
ଅନ୍ୟାନ୍ୟ ଅଣ ଜରୁରୀ ଯାତାୟାତ ଉପରେ କଟକଣା

କିଏ-କେମିତି ଯିବେ

ମେଡିକାଲ୍‌, କ୍ଲିନିକ୍‌, ଆମ୍ବୁଲାନ୍ସ ଓ ନର୍ସିଂହୋମ କର୍ମଚାରୀ, କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ      –  ବିଭାଗୀୟ
ପରିଚୟପତ୍ର
– ଔଷଧ ଦୋକାନ କର୍ମଚାରୀ-ପୁରୁଣା ପାସ୍/ଟ୍ରେଡ୍‌ ଲାଇସେନ୍ସ
– ଗଣମାଧ୍ୟମ, ଟେଲିକମ୍, ପେଟ୍ରୋଲ ପମ୍ପ୍, ହୋମ୍ ଡେଲିଭରି, ପାନୀୟ ଜଳ, ପରିମଳ, ବିଦ୍ୟୁତ୍‌ କର୍ମଚାରୀ, କଳକାରଖାନା, ହୋଟେଲ କର୍ମଚାରୀ, ଆଇଟି ସେକ୍ଟର-କର୍ମଚାରୀ ଆଇକାର୍ଡ
– ଟ୍ୟାକ୍ସି, ଅଟୋ, ଓଲା, ଉବେର, ରେଳ ଷ୍ଟେସନ, ବସ୍‌ଷ୍ଟାଣ୍ଡ, ଏୟାରପୋର୍ଟ ଗାଡିକୁ-ପୁଲିସ ପାସ୍
– ବାହାଘର କିମ୍ବା ଶୁଦ୍ଧିକ୍ରିୟା-ପୁଲିସ ଅନୁମତି ସହ ପାସ୍
– ‌େଦ୍ବୖତନଗରୀରୁ ବାହାରକୁ ଗଲେ ଘରୋଇ ଗାଡ଼ି ଲାଗି-ଡାଏଲ୍‌-୧୦୦କୁ ଯୋଗାଯୋଗ କରି ଅନୁମତି 
– ମାଲ୍‌ ଭର୍ତ୍ତି ଓ ଖାଲି ଗାଡ଼ି, ଜାତୀୟ ରାଜପଥ ଗାଡ଼ି-ପାସ୍ ଅନାବଶ୍ୟକ
– ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଲାଗି-୧୦୦କୁ କଲ୍‌ କରି ପାସ୍

Comments are closed.