ଉପନ୍ୟାସ ଲେଖିବା ଏକ ନିରନ୍ତର ଭାବ ପ୍ରକ୍ରିୟା:ପଦ୍ମଶ୍ରୀ ପ୍ରତିଭା ରାୟ

ଶୁଭା ଶର୍ମାଙ୍କ ଉପନ୍ୟାସ ‘ଦି ଆଓାସ୍ଥିିସ୍‌ ଅଫ୍‌ ଆମ୍‌ନଗ୍ରି’ ଉନ୍ମୋଚିତ

ଭୁବନେଶ୍ୱର: ବରିଷ୍ଠ ପ୍ରଶାସିକା ତଥା ସୁଲେଖିକା ଶୁଭା ଶର୍ମାଙ୍କ ନୂତନ ଉପନ୍ୟାସ ‘ଦି ଆୱାସ୍ଥିସ୍‌ ଅଫ୍‌ ଆମ୍‌ନଗ୍ରି’ ଉନ୍ମୋଚିତ ହୋଇଯାଇଛି। ଆଜି ଭୁବନେଶ୍ୱରଠାରେ ଆୟୋଜିତ ଅନ୍‌ଲାଇନ୍‌ ଉତ୍ସବରେ ଜ୍ଞାନପୀଠ ଓ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଲେଖିକା ଡ. ପ୍ରତିଭା ରାୟ ଏହି ପୁସ୍ତକକୁ ଉନ୍ମୋଚନ କରିଥିଲେ।
ଏହି ଅବସରରେ ଡ. ପ୍ରତିଭା ରାୟ କହିଲେ ଯେ ଉପନ୍ୟାସ ରଚନା ଲେଖକ ବା ଲେଖିକାର ବୃତ୍ତି ନୁହେଁ ବରଂ ଏକ ପ୍ରବୃତ୍ତି ଅଟେ। ଏହାକୁ ସୃଷ୍ଟି କରିବା କାଠିକର। ଉପନ୍ୟାସ ଲେଖିବା ଏକ ନିରନ୍ତର ଭାବ ପ୍ରକ୍ରିୟା, ଯଦ୍ଦ୍ୱାରା ଏହାକୁ ଲେଖିବା ନିମନ୍ତେ ଅହର୍ନିଶ ଭାବିବାକୁ ପଡ଼ିଥାଏ। ଲେଖିକା ଶ୍ରୀମତୀ ଶର୍ମାଙ୍କର ଉପନ୍ୟାସଟିକୁ ଡ. ରାୟ ଉଚ୍ଚପ୍ରଶଂସା କରିଥିଲେ। ବ୍ୟସ୍ତତା ମଧ୍ୟରେ ସମୟ ବାହାର କରି ଏଭଳି ଉଚ୍ଚକୋଟୀର ସାହିତ୍ୟ ରଚନା ସହିତ ସେଥିରେ ରହିଥିବା ଶବ୍ଦବିନ୍ୟାସ ବେଶ୍‌ ଆକର୍ଷଣୀୟ ବୋଲି କହିଥିଲେ। ସରକାରୀ ସେବାରେ ରହି ବହୁ କବି କବିତା ଲେଖୁଥିବାବେଳେ ଉପନ୍ୟାସକାରଙ୍କ ସଂଖ୍ୟା ନଗଣ୍ୟ। ଶ୍ରୀମତୀ ଶର୍ମା ତାଙ୍କ ଜୀବନରେ ଆହୁରି ଅଧିକ ଉପନ୍ୟାସ ରଚନା କରିଚାଲନ୍ତୁ ଓ ଗଳ୍ପକଥନରେ ତାଙ୍କର ଚଲାପଥ କୁସୁମିତ ହେଉ ବୋଲି ଡ. ରାୟ କହିଥିଲେ।

ଏହି ଉତ୍ସବରେ ଯୋଗଦେଇ ବିଶିଷ୍ଟ ଲେଖକ ଡ. ଦେବାଶିଷ ପାଣିଗ୍ରାହୀ କହିଲେ ଯେ, ଶୁଭା ଶର୍ମା ଜଣେ ପ୍ରତିଭାଶାଳୀ ଲେଖିକା ଓ ଭାଷା ଉପରେ ତାଙ୍କର ଅଗାଧ ଜ୍ଞାନ ରହିଛି। ତାଙ୍କ ଉପନ୍ୟାସରେ କବିତାସୁଲଭ ଭାବପ୍ରବଣତା ଓ ସାବଲୀଳତା ଅନୁଭୂତ ହେଉଛି। ଉପନ୍ୟାସଟିରେ ସମାଜ ଓ ଯୌଥ ପରିବାରର ଜୀବନଶୈଳୀକୁ ଗଭୀର ଭାବରେ ଅନୁଧ୍ୟାନ କରାଯାଇ ବ୍ୟକ୍ତ କରାଯାଇଛି। ଶ୍ରୀମତୀ ଶର୍ମା ଜଣେ ସୁନାମଧନ୍ୟ ଗାଳ୍ପିକା। ‘ଦି ଆୱାସ୍ଥିସ୍‌ ଅଫ୍‌ ଆମ୍‌ନଗ୍ରି’ ଉପନ୍ୟାସଟିରେ ପାଠକୀୟ ଆଦୃତି ଲାଭ କରିବାର ସମସ୍ତ ଗୁଣ ଭରି ରହିଛି।
‘ସମ୍ବାଦ’ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତୀ ତନୟା ପଟ୍ଟନାୟକ କହିଲେ ଯେ, ଆମର ଯୌଥ ପରିବାର ବ୍ୟବସ୍ଥାର ବିଶେଷତ୍ୱ ସଂପର୍କରେ ସମସ୍ତେ ଜାଣିପାରୁଛନ୍ତି। ଶୁଭା ଶର୍ମାଙ୍କର ଏହି ଉପନ୍ୟାସଟି ମଜାଳିଆ ଏବଂ ପାଠକମାନଙ୍କୁ ଆକର୍ଷିତ କରିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହା ଆମକୁ ପୁରୁଣା ଯୁଗର ଜୀବନଶୈଳୀର ଅନୁଭବ ଆଣିଦେଉଛି।
ଏହି ଭର୍ଚୁଆଲ୍‌ ଉତ୍ସବରେ ପ୍ରମୁଖ ସାହିତି୍ୟକ ଓ ସମୀକ୍ଷକ ଯୋଗଦେଇ ଉପନ୍ୟାସର ବିଭିନ୍ନ ଦିଗ ସଂପର୍କରେ ସମୀକ୍ଷା କରି ଉପନ୍ୟାସଟି କିଶୋର ଓ ତରୁଣ ବର୍ଗର ପାଠକମାନଙ୍କ ଦ୍ୱାରା ବିଶେଷ ଭାବେ ଆଦୃତି ଲାଭ କରିପାରିବ ବୋଲି ମତବ୍ୟକ୍ତ କରିଛନ୍ତି।


ପୁରୁଣା ସମୟ ଓ ନୂଆ ସମୟ ମଧ୍ୟରେ ସଂପର୍କ, ସଂଘାତ ଓ ସମନ୍ୱୟ ଏବଂ ପୁରାତନ ମୂଲ୍ୟବୋଧ ଆଧାରରେ ନୂଆ ଯୁଗର ଜୀବନଜୀବିକାର ଆକଳନ ହେଉଛି ଉପନ୍ୟାସର ବିଷୟବସ୍ତୁ, ଯାହାକୁ ଲେଖିକା ଏକ ଖାଣ୍ଟି ଭାରତୀୟ ପରିବାରକୁ କେନ୍ଦ୍ର କରି ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରିଛନ୍ତି। ଭାରତୀୟ ଯୌଥ ପରିବାର ମଧ୍ୟରେ ସଂପର୍କ, ସଂପ୍ରୀତି ଓ ଭାବଗତ ଐକ୍ୟକୁ ଅତି ନିଖୁଣ ଭାବରେ ଏଥିରେ ପରିପ୍ରକାଶ କରାଯାଇଛି। ଲେଖିକା କହିଛନ୍ତି ଯେ, ସାଂପ୍ରତିକ ଯୁଗରେ ବ୍ୟସ୍ତବହୁଳ ଜୀବନ ଓ ଦ୍ରୁତ ବିକାଶ ପରିପ୍ରେକ୍ଷୀରେ ବ୍ୟକ୍ତିମାନଙ୍କର ପରିବାର ଓ ଘର ପ୍ରତି ଆସକ୍ତି ଆସିଛି। ଅପ୍ରତ୍ୟାଶିତ ଭାବରେ ଅପ୍ରତ୍ୟାଶିତ ସ୍ଥାନରେ ଏହା  ଘଟୁଛି। ୱାଟସ୍‌ଆପ୍‌ର ଫରୱାର୍ଡ ଆମକୁ ପୁରୁଣା ଦିନ ବିଷୟରେ ସ୍ମରଣ କରାଉଛି। ସଂପ୍ରତି ଦେଖାଯାଉଥିବା ଟୁଇଟର ଟ୍ରେଣ୍ଡ ଓ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମରେ ଆମକୁ ୧୯୭୦, ୧୯୮୦ ଏପରିକି ୧୯୯୦ ଦଶକର ପୁରୁଣା କଥା ମନେପକାଇ ଦେଇପାରିଛି। ଲେଖିକା ତାଙ୍କ ଜୀବନର ପୁରୁଣା ସ୍ମୃତିକୁ ମନେ ପକାଇଛନ୍ତି ଯେତେବେଳେ ଗ୍ରୀଷ୍ମ ଛୁଟିରେ ଅଧିକ ସମୟ କାର୍ଡ ଖେଳ ଓ ମଜାମଉଜରେ ସମୟ ଅତିବାହିତ ହେଉଥିଲା। ଏବେ ଲୋକମାନେ ସେମାନଙ୍କର ସ୍ମାର୍ଟଫୋନ ବିନା ସମୟ କଟାଇ ପାରୁନାହାନ୍ତି।
ପରିବାର ସମ୍ମୁଖୀନ ହେଉଥିବା ଘଟଣାବଳୀ ଯଥା ହଜି ଯାଇଥିବା ରତ୍ନ, ଚୋରି ହୋଇଥିବା ଅଣ୍ଡା ଆଦି ମଧ୍ୟରେ ଗଳ୍ପର ରହସ୍ୟର ଉନ୍ମୋଚନ ନିମନ୍ତେ ଆଗେଇ ଆସିଛନ୍ତି କିଶୋରୀ ଲକ୍ଷ୍ମୀ ଓ ଗୁଡ଼ୁ। ଆବିର୍ଭାବ ହୋଇଛନ୍ତି ଗୈରିକ ବସ୍ତ୍ର ଅଭିହିତ ଗୁରୁଜୀ, ଉତ୍‌ଥାନ, ପତନ, ଆଶା ଆଶଙ୍କା ମଧ୍ୟରେ ଗତି କରୁଥିବା କାହାଣୀର ସୂତ୍ରଧର ହେଉଛନ୍ତି ମାତାଜୀ, ଯିଏ ଘଟଣାପ୍ରବାହକୁ ଗତିଶୀଳ କରାଉଛନ୍ତି। ପରିବାର ହେଉଛି ଆମ୍‌ନଗ୍ରିର ସ୍ୱାଦିଷ୍ଟ ରସଯୁକ୍ତ, ରହସ୍ୟମୟ ଆମ୍ବ ଭଳି ଯାହା ପରିବାରକୁ ମଧୁମୟତାର ବନ୍ଧନରେଏକାଠି ବାନ୍ଧି ରଖିଛି ।
ଲେଖିକା ଶ୍ରୀମତୀ ଶର୍ମା ଲେଡ଼ି ଶ୍ରୀରାମ କଲେଜ ଓ ଜେଏନ୍‌ୟୁରୁ ଶିକ୍ଷା ସମାପ୍ତି ପରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇ ବିଭିନ୍ନ ସ୍ଥାନରେ ଓ ପଦପଦବୀରେ କାର୍ଯ୍ୟ କରିଆସିିଛନ୍ତି। ସଂପ୍ରତି ସେ ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ଭାବେ ଅବସ୍ଥାପିତ। ଯୋଗ, ଭ୍ରମଣ, ସନ୍ତରଣ ଓ ‘ବନସାଇ’ ସଂଗ୍ରହରେ ରୁଚି ରଖିଥିବା ଶ୍ରୀମତୀ ଶର୍ମାଙ୍କର ଏହା ଦ୍ୱିତୀୟ ପ୍ରକାଶିତ ପୁସ୍ତକ। ତାଙ୍କର ପ୍ରଥମ ପୁସ୍ତକ ‘ଫ୍ଲାଇ ଅନ୍‌ ଦି ୱାଲ୍‌ ଆଣ୍ଡ ଅଦର ଷ୍ଟୋରିସ୍‌’ ବହୁଳ ପାଠକୀୟତା ହାସଲ କରିବା ସହିତ ଉଭୟ ସମାଲୋଚକ ଓ ପାଠକମାନଙ୍କ ଦ୍ୱାରା ଆଦୃତ ହୋଇଥିଲା: ଯାହା ହିନ୍ଦୀ ଓ ଅର୍ନ୍ତଜାତୀୟ(ଇଟାଲିଆନ୍‌ ଓ ହେବ୍ରୁ) ଭାଷାରେ ମଧ୍ୟ ଅନୂଦିତ ହୋଇଛି । ନିୟୋଗୀ ବୁକ୍ସ ଦ୍ୱାରା ପ୍ରକାଶିତ ଓ ଅଦ୍ୟ ଉନ୍ମୋଚିତ ପୁସ୍ତକଟି ଆମାଜନ୍‌ ଓ ଅନ୍ୟାନ୍ୟ ବୁକ୍‌ ଷ୍ଟୋରରେ ଉପଲବ୍ଧ ହେବ।

 

Comments are closed.