ତେଲେଙ୍ଗାନାର ୟାଦାଦ୍ରି ଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିରରେ ଲାଗିବ ୧୨୫ କିଲୋଗ୍ରାମ ସୁନାର ଚାଦର

ହାଇଦରାବାଦ: ତେଲେଙ୍ଗାନାର ୟାଦାଦ୍ରିସ୍ଥିତ ଶ୍ରୀ ଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିରକୁ ୧୨୫ କିଲୋଗ୍ରାମ ଓଜନର ସୁନା ଚାଦରରେ ଛାଉଣୀ କରାଯିବ । ସେଥିପାଇଁ ରାଜ୍ୟ ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟରୁ ୧୨୫ କିଲୋଗ୍ରାମ ସୁନା କିଣିବାକୁ ନିଷ୍ପତ୍ତି ନେଇଛନ୍ତି । ମନ୍ଦିର ୨୦୨୨ ମାର୍ଚ୍ଚ ୨୮ରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଉନ୍ମୁକ୍ତ କରାଯିବ । ତେଲେଙ୍ଗନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ତାଙ୍କ ପରିବାର ପକ୍ଷରୁ ମନ୍ଦିରକୁ ୧.୧୬ କିଲୋଗ୍ରାମ ସୁନା ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ନିକଟରେ ମୁଖ୍ୟମନ୍ତ୍ରୀ ମନ୍ଦିର ଦର୍ଶନରେ ଯାଇଥିବା ଅବସରରେ ଏହି ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଆବଶ୍ୟକ ହେଉଥିବା ୧୨୫ କିଲୋଗ୍ରାମ ସୁନା ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟରୁ କ୍ରୟ କରାଯିବ । ଏଥିପାଇଁ ସମସ୍ତ ରାଜ୍ୟବାସୀଙ୍କ ନିକଟରୁ ଦାନ ଆକାରରେ ଅର୍ଥ ସଂଗ୍ରହ କରାଯିବ । ତାହାସହିତ ଅନେକ ଦାତା ମଧ୍ୟ ସୁନା ଦାନ କରିବାକୁ ଆଗ୍ରହ ପ୍ରକାଶ କରିଥିବା ସେ କହିଥିଲେ । ମନ୍ଦିର ପ୍ରଶାସନ ସୂତ୍ରରୁ ଜଣାଯାଇଛି ଯେ ରାଜ୍ୟର ଶ୍ରମମନ୍ତ୍ରୀ ମାଲା ରେଡ୍ଡି ମନ୍ଦିରକୁ ୧ କିଲୋ ସୁନା ଦାନ କରିବାକୁ କହିଥିବାବେଳେ ତାଙ୍କ ନିର୍ବାଚନମଣ୍ଡଳୀ ମେଡଚଲର ଜନସାଧାରଣ ୧ କିଲୋ ସୁନା ଦାନ କରିବେ । ଧର୍ମଗୁରୁ ଚିନ୍ନା ଜୟେର ସ୍ୱାମୀ ମଧ୍ୟ ୧ କିଲୋ ସୁନା ଦାନ ଆକାରରେ ଦେବାକୁ କହିଛନ୍ତି । ଏଥିସହିତ ରାଜ୍ୟର କେତେକ ସାଂସଦ ୬ କିଲୋ ସୁନା ଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ୧୨୫ କିଲୋ ସୁନା ଖରିଦ ପାଇଁ ୬୦ରୁ ୬୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ଏବଂ ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା କହିଛନ୍ତି । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ଏକ ବିବୃତିରେ କୁହାଯାଇଛି ଯେ ସରକାର ସେଠାରେ ୨୫୦ ଏକର ପରିମିତ ଜମିରେ ଏକ ଟେମ୍ପଲ ସିଟି ନିର୍ମାଣ ଯୋଜନା କରିଛନ୍ତି । ଏହି ଜମି ମଧ୍ୟରୁ ୫୦ ଏକର ଜମିରେ ବିଭିନ୍ନ ବୃକ୍ଷ ଚାରା ରୋପଣ କରାଯିବ । ତାହାସହିତ ଅବଶିଷ୍ଟ ସ୍ଥାନରେ ୨୫୦ଟି କୁଟୀର ନିର୍ମାଣ କରାଯିବ ।

Comments are closed.