ରାଜରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ

ପୁରୀ: ପବିତ୍ର ଦୋଳପୂର୍ଣ୍ଣମୀ ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର କେତେକ ବିଶେଷ ନୀତି ଅନୁଷ୍ଠିତ ହେଉଛି। ପାରମ୍ପରିକ ରୀତିମତେ ରତ୍ନସିଂହାସନ ଅଧିଷ୍ଠିତ ଠାକୁରମାନଙ୍କୁ ସୁନାବେଶ ବା ରାଜରାଜେଶ୍ୱର ବେଶରେ ସଜ୍ଜିତ କରାଯାଇଛି। ଶ୍ରଦ୍ଧାଳୁମାନେ ଜଗମୋହନର ବାହାର କାଠ ପାଖରେ ଠିଆ ହୋଇ ଏହି ଦୂର୍ଲ୍ଲଭ ବେଶ ଦର୍ଶନ କରୁଛନ୍ତି। ରାତି ପ୍ରାୟ ସାଢେ ୧୦ଟା ବେଳକୁ ବେଶ ଓଲାଗି ହେବାପରେ ଅନ୍ୟାନ୍ୟ ନୀତି ହେବ ବୋଲି ସୂଚନା ମିଳିଛି।

ଏହାଛଡା ସେବାୟତମାନେ ଆଜି ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀଙ୍କୁ ବିମାନରେ ନେଇ ଦୋଳବେଦୀରେ ଦିଅଁମାନଙ୍କୁ ଦୋଳିରେ ବିଜେ କରାଇଛନ୍ତି। ସେଠାରେ ଶ୍ରୀଜୀଉଙ୍କ ଫଗୁ ଖେଳ ଅନୁଷ୍ଠିତ ହେଉଛି। ଏହି ଅବସରରେ ପାରମ୍ପରୀକ ରୀତିମତେ ଶ୍ରୀଜୀଉମାନଙ୍କ ସମ୍ମୁଖରେ ଦୋଳବେଦୀ ଉପରେ ନୂତନ ପଞ୍ଜିକା ପାଠ କରାଯିବ।

Comments are closed.