ସୁପ୍ରିମକୋର୍ଟ ପହଞ୍ଚିଲା ଶ୍ରୀଜଗନ୍ନାଥଙ୍କ କୁଡ଼ୁଆ ପ୍ରସାଦ ମାମଲା

ନୀଳଗିରି: ନୀଳଗିରି ଜଗନ୍ନାଥ ମନ୍ଦିରର କୁଡୁଆ ପ୍ରସାଦ ବିବାଦର ଅନ୍ତଃ କେବେ ଘଟିବ, ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା। ଗତ ଜୁଲାଇ ମାସ କୁଡ଼ୁଆ ପ୍ରସାଦ ବିକ୍ରିକୁ କେନ୍ଦ୍ର କରି ନିଲାମଧାରୀ ଓ ସେବାୟତଙ୍କ ମଧ୍ୟରେ ଚାଲିଥିବା ବିବାଦର ଏକପ୍ରକାର ଅନ୍ତଃ ହୋଇ ପୂଜକଙ୍କ ହାତରେ ଏହି କୁଡୁଆ ପ୍ରସାଦ ବିକ୍ରି ପାଇଁ ନିର୍ଦେଶ ଥିଲା। ସମ୍ପ୍ରତି ତାହା ଭିନ୍ନ ମୋଡ଼ ନେଇଛି। ପ୍ରଶାସନର ସେବାୟତଙ୍କ ପ୍ରତି ଅଣଦେଖା ତଥା ମନୋମୁଖୀ କାର୍ୟ୍ୟ ଏବଂ ଜଗନ୍ନାଥ ସଂସ୍କୃତିକୁ ଉଲଙ୍ଘନ କରାଯାଇଥିବା ଅଭିଯୋଗ କରି ଏହି ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି।

ନୀଳଗିରି ଶ୍ରୀଜଗନ୍ନାଥଙ୍କ ଆୟ ବୃଦ୍ଧି ଉଦ୍ଦେଶ୍ୟରେ ରାଜ୍ୟ ଦେବୋତ୍ତର ବିଭାଗ ଅଧୀନରେ ପରିଚାଳିତ ନୀଳଗିରି ଠାକୁର ମାହାଲ ସଂସ୍ଥା ପକ୍ଷରୁ କୁଡୁଆ ପ୍ରସାଦ, ବିବାହ, ବ୍ରତ ଓ ମାଙ୍ଗଳିକ କାର୍ୟ୍ୟ ପାଇଁ ଗତ ୨୦୧୮ ଅଗଷ୍ଟ ମାସରେ ଟେଣ୍ଡର ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସମସ୍ତ ସର୍ତ୍ତାବଳୀକୁ ଭିତ୍ତିକରି ୫ ଶହ ଟଙ୍କାରେ ଫର୍ମ ଖରିଦ କରି ମୋଟ ୨୪ ଜଣ ବ୍ୟକ୍ତି ଆବେଦନ କରିଥିଲେ। କିନ୍ତୁ ଠାକୁରଙ୍କ କୁଡୁଆ ପ୍ରସାଦ ପ୍ରସ୍ତୁତିରେ ସେବାୟତଙ୍କ ହାତକୁ ଟେକି ଦେବା ନିମନ୍ତେ କେତେକ ସେବାୟତ ପୂର୍ବରୁ ରାଜ୍ୟ ଦେବୋତ୍ତର କମିଶନରଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିଲେ। ସେଠାରୁ ନିର୍ଦେଶ ଆସିନଥିବା ସମୟ ମଧ୍ୟରେ ଠାକୁର ମାହାଲ ସଂସ୍ଥା ପକ୍ଷରୁ ଏହି ଟେଣ୍ଡର ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଅର୍ଥାତ ବିଜ୍ଞପ୍ତି ପ୍ରକାଶ ପାଇବାର କିଛିଦିନ ପରେ ଦେବୋତ୍ତର କମିଶନରଙ୍କ ପତ୍ରସଂଖ୍ୟା ୭୫୧୩ ମୂଳେ ଶ୍ରୀଜଗନ୍ନାଥଙ୍କ ପାରମ୍ପରିକ ସେବାୟତଙ୍କ ବିନା ବାହାର ଲୋକ କେହି ପ୍ରସାଦ ପ୍ରସ୍ତୁତ କରିବାକୁ ରୋଷଘର ଭିତରକୁ ପଶି ପାରିବେନି ବୋଲି ଏକ ଐତିହାସିକ ନିର୍ଦେଶ ଆସିଥିଲା।

ଦେବୋତ୍ତର କମିଶନରଙ୍କ ଏହି ଆନ୍ତଃରୀଣ ନିର୍ଦେଶକୁ ଭିତ୍ତିକରି ଶେଷରେ ପୂର୍ବ ନିଲାମଧାରୀଙ୍କ କାର୍ୟ୍ୟକୁ ଠାକୁରମାହାଲ ସଂସ୍ଥାର ମ୍ୟାନେଜିଂ ଟ୍ରଷ୍ଟି ତଥା ନୀଳଗିରିର ପୂର୍ବତନ ଉପଜିଲାପାଳ ଅବୋଲି ଏସ୍‍ ନରୱଣେ ରଦ୍ଦ କରି ଜଗନ୍ନାଥ ମନ୍ଦିର ସମ୍ମୁଖ କାନ୍ଥରେ ଲଟ୍‌କା ଜାରି କରିଥିଲେ। ଏଥିପାଇଁ ପୁରୁଣା ନିଲାମଧାରୀ କାର୍ୟ୍ୟରୁ ହଟିଯାଇ ଠାକୁର ମାହାଲ ସଂସ୍ଥା ଅଧୀନରେ ସେବାୟତ ତଥା ବ୍ରାହ୍ମଣମାନେ ରୋଷେଇ କରି ଶ୍ରଦ୍ଧାଳୁଙ୍କ କୁଡୁଆ ପ୍ରସାଦ ପରଶୁ ଥିଲେ। ନୀଳଗିରି ଜଗନ୍ନାଥ ମନ୍ଦିରରେ ଏହି କୁଡୁଆ ପ୍ରସାଦ ଘଟଣା ମାନ୍ୟବର ହାଇକୋର୍ଟରେ ପହଞ୍ଚିବା ପରେ ୨୦୧୯ ମାର୍ଚ୍ଚ ୨ ତାରିଖରେ ଦେବୋତ୍ତର କମିଶନର ଦେଇଥିବା ଚୂଡ଼ାନ୍ତ ରାୟ ମୂଳେ ଜଗନ୍ନାଥ ମନ୍ଦିରରେ ଥିବା ରୋଷଶାଳା ଏକ ଓ ଅଭିନ୍ନ। ସେଥିରେ ବଂଶାନୁକ୍ରମିକ ବ୍ରାହ୍ମଣ, ସେବାୟତ କିମ୍ବା ପୂଜକଙ୍କ ବ୍ୟତୀତ ଅନ୍ୟମାନଙ୍କ ପ୍ରବେଶ ନିଷେଦ୍ଧ କରାଯାଇଥିଲା। ଏଥିପାଇଁ କୁଡ଼ୁଆ ପ୍ରସାଦ ବିକ୍ରି ନିମନ୍ତେ ଟେଣ୍ଡର ହୋଇଥିଲା। ମୋଟ ୭ ଜଣ ଟେଣ୍ଡର ଗ୍ରହିତା ୧ ଲକ୍ଷ ଲେଖାଏଁ ଜମା କରିବା ପରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୧ ବର୍ଷ ପାଇଁ ସର୍ବୋଚ୍ଚ ୨୫ ଲକ୍ଷ ୧୦ ହଜାର ୧୦ ଟଙ୍କାରେ ପୂଜକ ହରିବନ୍ଧୁ କର ଏହି ନିଲାମ ନେଇ ସୁରୁଖୁରୁରେ କୁଡୁଆ ପ୍ରସାଦ ବିକ୍ରୟ କରାଯାଉଥିଲା। ତେବେ ମହାପ୍ରଭୁ ଜଗନ୍ନାଥଙ୍କ ଜଣେ ପୂଜକଙ୍କ ହାତରେ ଏହି କୁଡୁଆ ପ୍ରସାଦ ପ୍ରସ୍ତୁତ ହେବା ଶୁଣି ଜଗନ୍ନାଥ ପ୍ରେମୀ ବହୁ ଖୁସି ରହିଥିବାବେଳେ ପୁଣି ଥରେ ଦେବୋତ୍ତର ବିଭାଗ ପକ୍ଷରୁ ଏକ ଟେଣ୍ଡର କରାଯାଇ ଚଳିତବର୍ଷ ଅର୍ଥାତ ୨୦୨୦ ଜାନୁୟାରୀ ମାସରେ ସୁବ୍ରତ ସାହୁ ନାମକ ଜଣେ ନିଲାମଧାରୀ ୨୬ ଲକ୍ଷ ଟଙ୍କା ଡାକି ଟେଣ୍ଡର ନେଇଥିଲେ। କିନ୍ତୁ ସମ୍ପୃକ୍ତ ନିଲାମଧାରୀ ଅମାନତ ଟଙ୍କା ଜମା ନକରିବାରୁ ଦ୍ୱିତୀୟ ସର୍ବୋଚ୍ଚ ନିଲାମଧାରୀ ଧୋବଶିଳା ଅଞ୍ଚଳର ଭବାନୀଶଙ୍କର ବେହେରାଙ୍କୁ ୨୩ ଲକ୍ଷ ଟଙ୍କାରେ ନିଲାମ ଦିଆଯାଇଥିଲା।

ଇତିମଧ୍ୟରେ ମାସାଧିକ କାଳ ବିତି ଯାଇଥିଲେ ହେଁ ଠାକୁର ମାହାଲ ସଂସ୍ଥା ପକ୍ଷରୁ ସମ୍ପୃକ୍ତ ନିଲାମଧାରୀଙ୍କ ଚୁକ୍ତି କରାଯାଇପାରିନଥିବା ଦେଖିବାକୁ ମିଳିଛି। ଶ୍ରୀଜଗନ୍ନାଥଙ୍କ ରୋଷଶାଳା ଅଭିନ୍ନ। ମନ୍ଦିର ପରିସରରେ ଅନ୍ୟ ରୋଷଶାଳା କରାଯିବା ଜଗନ୍ନାଥ ସଂସ୍କୃତିକୁ ବିରୋଧ କରୁଥିବା ଯୋଗୁ ପ୍ରଶାସନ ପକ୍ଷରୁ ଏଯାବତ ତାଙ୍କୁ ରୋଷଶାଳା ଯୋଗାଯାଇ ନଥିବା ଅଭିଯୋଗ ଉଠିଛି। ଫଳରେ ପୁଣିଥରେ ଏହି କୁଡୁଆ ପ୍ରସାଦ ବିବାଦରେ ଛନ୍ଦି ହୋଇ ପଡ଼ିଛି।

ସେପଟେ ଜଗନ୍ନାଥ ସଂସ୍କୃତି ନୀଳାଦ୍ରି ମହୋଦୟ ଓ ବାମଦେବ ସଂହିତା ନିୟମାବଳୀ ଅନୁସାରେ ଜଗନ୍ନାଥ ମନ୍ଦିରର ପ୍ରତ୍ୟେକ ଦିନ ରୀତିନୀତି, ପୂଜା, ସେବା ଓ ପର୍ବପର୍ବାଣୀ ଅନୁଷ୍ଠିତ ହୋଇଥାଏ। କିଛି ନ୍ୟସ୍ତସ୍ୱାର୍ଥ ଲୋକଙ୍କ ହୀନ ଉଦ୍ୟମକ୍ରମେ ଜଗନ୍ନାଥ ସଂସ୍କୃତିରେ ବ୍ୟତିକ୍ରମ ଘଟୁଥିବା ଯୋଗୁ ଶାସ୍ତ୍ରୀୟ ପରମ୍ପରା ଓ ବିଧି ଅନୁସାରେ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ତଥା ଉଚିତ ପ୍ରଚାର ପ୍ରସାର ଉଦେଶ୍ୟରେ ସେବାୟତ ବ୍ରହ୍ମା ପଦ୍ମନାଭ ନନ୍ଦ ମାନ୍ୟବର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏହି ମୋକଦ୍ଦମାଟି ପଞ୍ଜିକୃତ ହେବା ପରେ ଦେବୋତ୍ତର କମିଶନର, ଟ୍ରଷ୍ଟବୋର୍ଡ଼ ଏବଂ ସର୍ବୋଚ୍ଚ ନିଲାମଧାରୀଙ୍କୁ ଉକ୍ତ ଘଟଣାରେ ୪ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦେଶ ହୋଇଥିବା ଜଣାଯାଇଛି। ତେବେ ନୀଳଗିରି ଜଗନ୍ନାଥ ମନ୍ଦିରରେ ଏହି କୁଡ଼ୁଆ ପ୍ରସାଦ ମାମଲା ତଳ କୋର୍ଟରୁ ସୁପ୍ରିମକୋର୍ଟ ପହଞ୍ଚି ଥିବା ବେଳେ କେବେ ଏହାର ଅନ୍ତଃ ହେବ ସେନେଇ ଜଗନ୍ନାଥ ପ୍ରେମୀ ଅନାଇ ବସିଛନ୍ତି।

Comments are closed.