ଶ୍ରୀମନ୍ଦିରରେ ଆଜି ଶ୍ରୀଜଗନ୍ନାଥଙ୍କ ବାଙ୍କଚୂଡା ବେଶ

ପବିତ୍ର କାର୍ତ୍ତିକ ମାସର ଶୁକ୍ଲ ଦ୍ୱାଦଶୀ ତିଥିରେ ଆଜି ଶ୍ରୀମନ୍ଦିରରେ ରତ୍ନସିଂହାସନାଧିଷ୍ଠିତ ତିନି ଠାକୁରଙ୍କୁ ବାଙ୍କଚୂଡା ବେଶରେ ସଜ୍ଜିତ କରାଯାଇଛି। ଠାକୁରମାନଙ୍କର ଅବକାଶ ନୀତି ଶେଷ ହେବାପରେ ପାଳିଆ ମେକାପ, ଖୁଣ୍ଟିଆ, ଚାଙ୍ଗଡା ମେକାପଙ୍କ ସମେତ ୫ ଜଣ ପୁଷ୍ପାଳକ ମିଶି ଶ୍ରୀଜୀଉମାନଙ୍କୁ ଏହି ବେଶରେ ସଜାଇଥିଲେ। ଏହି ବେଶରେ ଠାକୁରମାନେ ଅବିକଳ ବାମନବେଶୀ ପରି ପ୍ରତୀୟମାନ ହେଉଛନ୍ତି। ଭଗବାନ ଶ୍ରୀକୃଷ୍ଣଙ୍କୁ ଭକ୍ତ ଅକ୍ରୁର ମଥୁରା ନେବାପାଇଁ ଗୋପ ଆସିଥିବା ବେଳେ ସେ ମହାପ୍ରଭୁଙ୍କୁ ଏହି ବେଶରେ ଦର୍ଶନ କରିଥିଲେ ବୋଲି ରହିଥିବା ସ୍ମୃତିକୁ ଉଜ୍ଜିବିତ କରିବା ପାଇଁ ଶ୍ରୀମନ୍ଦିରରେ ବହୁ ପୂରାତନ କାଳରୁ ବାଙ୍କଚୂଡା ବେଶ ପାଳିତ ହୋଇଆସୁଛି। କରୋନା କଟକଣା ଯୋଗୁ ଶ୍ରଦ୍ଧାଳୁ ଭକ୍ତମାନେ ଏହି ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ଆସନ୍ତାକାଲି ଶ୍ରୀଜୀଉମାନଙ୍କୁ ନାଗାର୍ଜ୍ଜୁନ ବେଶରେ ସଜ୍ଜିତ କରାଯିବ।

Comments are closed.