ମହାପ୍ରସାଦ ଦର ନିର୍ଦ୍ଧାରଣ ବୈଠକ ଆଜି

0

ପୁରୀ : ମହାପ୍ରସାଦ ଦର ନିର୍ଦ୍ଧାରଣ ପାଇଁ ମଙ୍ଗଳବାର ବସିବ ବୈଠକ। ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ସେଥିରେ ଅଧ୍ୟକ୍ଷତା କରିବେ। ସୁଆର ମୁହାସୁଆର ନିଯୋଗ କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯିବ। ନୃସିଂହ ମନ୍ଦିରରେ ପରୀକ୍ଷାମୂଳକ ଭାବେ ଅନ୍ନବ୍ୟଞ୍ଜନ ରନ୍ଧାଯାଇ ଖର୍ଚ୍ଚ ଓ ଲାଭ ହିସାବ ପରେ ଦରଧାର୍ଯ୍ୟ ପାଇଁ ସ୍ଥିର ହୋଇଛି। ତେବେ କେତେକ ସୁଆର ସେବକ ଏହି ପ୍ରସ୍ତାବକୁ ବିରୋଧ କରୁଛନ୍ତି। କେଉଁ ପଦ୍ଧତିରେ ଦରଧାର୍ଯ୍ୟ କରାଯିବ ସେଥିନେଇ ମଙ୍ଗଳବାର ବୈଠକରେ ସ୍ଥିର ହେବ। ବୈଦ୍ୟନାଥ ମହାସୁଆର, ବିଶ୍ୱନାଥ ସାମନ୍ତରା ଏବଂ ପରିଚାଳନା କମିଟି ସଭ୍ୟ ଅନନ୍ତ ତିଆଡିଙ୍କୁ ବୈଠକକୁ ଡକାଯାଇଛି। ସୁଆର ମହାସୁଆର ନିଯୋଗର ସମସ୍ତ କାର୍ଯ୍ୟନିର୍ବାହୀ ସଭ୍ୟ ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିବେ। ଦିନ ୧୦ଟାରେ ବୈଠକ ବସିବ। କୋର୍ଟମିତ୍ର ଗୋପାଳ ସୁବ୍ରମଣ୍ୟମଙ୍କ ଗସ୍ତ ପୂର୍ବଦିନ ମନ୍ଦିର ପ୍ରଶାସନ ପକ୍ଷରୁ ତରବରିଆ ଭାବେ ଆନନ୍ଦ ବଜାରରେ ମହାପ୍ରସାଦ ଦରତାଲିକା ଲଗାଯାଇଥିଲା। ତାହା ଯଥେଷ୍ଟ ଅଧିକ ଥିବା ଅଭିଯୋଗ ହେବାପରେ ମନ୍ଦିର ପ୍ରଶାସନ ତାଲିକା ହଟାଇ ଦେଇଥିଲା। ପରୀକ୍ଷାମୂଳକ ଭାବେ ମହାପ୍ରସାଦ ପ୍ରସ୍ତୁତ କରାଯାଇ ଦର ନିର୍ଦ୍ଧାରଣ ନିମନ୍ତେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସ୍ଥିର କରାଯାଇଛି। ତେଣୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଙ୍ଗଳବାର ଏ ସମ୍ପର୍କରେ ସୁଆର ମହାସୁଆର ନିଯୋଗ କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯିବ।

Leave A Reply