ଦାଣ୍ଡମୁକୁନ୍ଦପୁରରେ ଶ୍ରୀରାମ ରଥଯାତ୍ରା

ପିପିଲି : ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ଦାଣ୍ଡମୁକୁନ୍ଦପୁର ଠାରେ କୋଭିଡ୍‍ କଟକଣା ମଧ୍ୟରେ ପ୍ରଭୁ ଶ୍ରୀରାମଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ଶ୍ରୀରାମ ନବମୀ ଉତ୍ସବ କମିଟି ଓ ବିଶ୍ୱହିନ୍ଦୁ ପରିଷଦର ମିଳିତ ସହଯୋଗରେ କେବଳ କମିଟିର କର୍ମକର୍ତ୍ତାଙ୍କୁ ନେଇ ଆୟୋଜିତ ଏହି ରଥଯାତ୍ରା ବୁଧବାର ଜନକଲ୍ୟାଣ ପାଠାଗାର ପରିସରରୁ ଆରମ୍ଭ ହୋଇଥିଲା। ସକାଳ ୫ଟାରେ ମଙ୍ଗଳ ଆଳତି ଓ ଅବକାଶ ନୀତି ପରେ ସମସ୍ତ ପ୍ରକାର ନୀତି ନିର୍ଘଣ୍ଟ ଅନୁସାରେ ପୂଜାର୍ଚ୍ଚନା କରାଯାଇ ଶଙ୍ଖ ଓ ଘଣ୍ଟଧ୍ୱନୀ ମଧ୍ୟରେ ସଂକୀର୍ତ୍ତନ ସହିତ ପ୍ରଭୁ ଶ୍ରୀରାମଚନ୍ଦ୍ର, ଲକ୍ଷ୍ମଣ, ଦେବୀ ସୀତା ଓ ପରମଭକ୍ତ ଶ୍ରୀହନୁମାନଙ୍କ ବିଗ୍ରହକୁ ରଥାରୁଢ କରାଯିବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ରଥ ଦାଣ୍ଡମୁକୁନ୍ଦପୁର ଶାସନ, ମୁଖ୍ୟବଜାର, କରଣସାହି, ସଠସ, ବାବଜା, ବାସୁଦେଇପୁର, ମାନସିଂହପାଟଣା, ରାଣପୁର, ମାଳିବରାହି ପ୍ରଭୃତି ଗ୍ରାମ ପରିକ୍ରମା କରିଥିଲା। ବିଭିନ୍ନ ଗ୍ରାମରେ ଠାକୁର ମାନଙ୍କୁ ଦ୍ୱାରିଭୋଗ ଅର୍ପଣ କରାଯାଇଥିଲା। ଗ୍ରାମରେ ଏକତା, ସଂହତି ଓ ପରସ୍ପର ସହଯୋଗ ତଥା ସାମାଜିକ ସମରସତା ରକ୍ଷା କରିବା ଏହି ରଥଯାତ୍ରାର ମୂଳ ଲକ୍ଷ୍ୟ ହୋଇଥିବା ବେଳେ ଶ୍ରୀରାମ ନବମୀ ଉତ୍ସବ କମିଟି, ବିଶ୍ୱହିନ୍ଦୁ ପରିଷଦ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ଜନସ୍ୱାର୍ଥ ସୁରକ୍ଷା ସମିତିର କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିଥିଲେ। ଏହି ଅବସରରେ ପଣ୍ଡିତ ରୂପକ ମିଶ୍ରଙ୍କ ଦ୍ୱାରା ୭ଦିନ ଧରି ରାମଚରିତ ମାନସ ପାଠ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରଶାନ୍ତ କୁମାର ମିଶ୍ର, ଅଭିଷେକ ଲେଙ୍କା, ବଂଶୀଧର ସାହୁ, ରଣଜିତ ପଣ୍ଡା, କମଳେଶ ଦାଶ, ଶିକ୍ଷାବିତ୍‍ ସନ୍ତୋଷ କୁମାର ମିଶ୍ର, ଚିତ୍ତରଞ୍ଜନ ସାହୁ, ପ୍ରସନ୍ନ ଦାସ, ତାପସ ଦାଶ,ଶିଶିର କୁମାର ମହାନ୍ତି, ରଜନିକାନ୍ତ ପଣ୍ଡା, ଚିତ୍ତରଞ୍ଜନ ମହାରଣା, ପ୍ରଭାକର ସେଠୀ, ରମେଶ ବାରିକ, ସଂଯୁକ୍ତାବାଳା ଦାସ, ତାପସ ଦାସ ପ୍ରମୁଖ ପରିଚାଳନା କରିଥିଲେ।

Comments
Loading...