ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ; ଅଡୁଆରେ ଅଭିନେତ୍ରୀ

ପୁରୀ : ପୁଣି ଭାଇରାଲ ହୋଇଛି ଶ୍ରୀମନ୍ଦିର ଭିତର ଫଟୋ। ଏଥର ଜଣେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀଙ୍କ ନାମରେ ଅଭିଯୋଗ। ପରିବାର ସହ ଆନନ୍ଦବଜାରରେ ବସି ସେ ମହାପ୍ରସାଦ ଖାଉଥିବାର ଫଟୋ ବିଭିନ୍ନ ଗଣମାଧ୍ୟମରେ ଭାଇରାଲ ହୋଇଛି। ଶ୍ରୀମନ୍ଦିର ଭିତରକୁ ମୋବାଇଲ ପ୍ରବେଶ ଉପରେ କଟକଣା ଥିବାବେଳେ ସେ କିପରି କ୍ୟାମେରା ଥିବା ମୋବାଇଲ ନେଇଥିଲେ ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେବେ ଏହି ଫଟୋ ଉଠାଯାଇଛି ଏବଂ କାହା ମୋବାଇଲରୁ ଉଠାଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଭାଇରାଲ ହୋଇଥିବା ଫଟୋରେ ଚଳଚ୍ଚିତ୍ର ଅଭିନେତ୍ରୀ ଦିବ୍ୟାଦିଶାଙ୍କ ସମେତ ଅନ୍ୟଜଣେ ଯୁବତୀ ଏବଂ ୪ଜଣ ପୁରୁଷ ବ୍ୟକ୍ତି ବସିଥିବା ଦେଖିବାକୁ ମିଳିଛି। ଗତ ୫ତାରିଖ ଦିନ ଶ୍ରୀମନ୍ଦିର ଭିତରର ଏହି ଫଟୋ ଗଣମାଧ୍ୟମରେ ଛଡାଯାଇଛି। ଏହି ଘଟଣାକୁ ବରିଷ୍ଠ ସେବାୟତ ଇଂ ବଳଦେବ ସିଂହାରୀ ଏବଂ ଦଇତାପତି ନିଯୋଗ ପୂର୍ବତନ ସହସମ୍ପାଦକ ବିନାୟକ ଦାସମହାପାତ୍ର ସମାଲୋଚନା କରିଛନ୍ତି। ମନ୍ଦିର ପ୍ରଶାସନ ଏବଂ ପୁଲିସ ଏହାର ତଦନ୍ତ ସହ କଟକଣା ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି।
ମନ୍ଦିର ପ୍ରଶାସନ ପକ୍ଷରୁ ଏଥିନେଇ ରବିବାର ସିଂହଦ୍ବାର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଫଟୋ ଉଠାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଆନନ୍ଦବଜାରରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି। ଘଟଣା ସଂପର୍କରେ ଅଭିନେତ୍ରୀ ଦିବ୍ୟାଦିଶା କହିଛନ୍ତି, ଫଟୋ କିଏ ଉଠାଇଲା ସେ ଜାଣି ନାହାନ୍ତି, ଏଥିରେ ତାଙ୍କର କୌଣସି ଭୂମିକା ନଥିବା ସେ ସ୍ପଷ୍ଟ କରିଛନ୍ତି ା

Comments are closed.