ଠାକୁରଙ୍କ ସେବାପୂଜାରେ ବିଳମ୍ବ କଲେ ଉଚ୍ଛେଦ ହେବ ଶାଢିବନ୍ଧା ସେବା

0

 

-ନିଲାମ ହେବ ଖୋର୍ଦ୍ଧାରେ ଥିବା ୨୦ ମାଙ୍କଡାପଥର ଖଣି
-୩୬ ସେବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ
-ସକାଳଧୂପ ଏବଂ ଭୋଗମଣ୍ଡପ ଏକତ୍ର କରିବାକୁ ନିଷ୍ପତ୍ତି

ପୁରୀ : ଶ୍ରୀଜୀଉଙ୍କ ସେବାପୂଜାରେ ଜାଣିଶୁଣି ବିଳମ୍ବ କଲେ ଉଚ୍ଛେଦ ହେବ ପାଳିଆ ସେବକଙ୍କ ଶାଢିବନ୍ଧା ସେବା। ମହାପ୍ରଭୁଙ୍କ ସେବାରୁ ସବୁଦିନ ପାଇଁ ତାଙ୍କୁ ବହିଷ୍କାର କରାଯିବ। ସବୁପ୍ରକାର ପ୍ରାପ୍ୟ ପାଉଣାରୁ ବଞ୍ଚିତ ହେବେ ସଂପୃକ୍ତ ସେବକ। ମଙ୍ଗଳବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏପରି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବିଶୃଙ୍ଖଳିତ ସେବକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ପ୍ରଶାସକଙ୍କୁ ସମ୍ପୂର୍ଣ୍ଣ କ୍ଷମତା ଦେଇଛି ପରିଚାଳନା କମିଟି। ଡିସେମ୍ବର ୨୮ତାରିଖ ଦିନ ଦାରୁବ୍ରହ୍ମଙ୍କୁ ୧୨ଘଣ୍ଟା ଉପବାସ ରଖାଯିବା ଘଟଣା ସାଂଘାତିକ ଅପରାଧ ବୋଲି ବୈଠକରେ ମତ ପ୍ରକାଶ ପାଇଛି। ସେଥିରେ ସଂପୃକ୍ତଥିବା ୩୬ ସେବକଙ୍କ ବିରୋଧରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନିମନ୍ତେ ସ୍ଥିର କରାଯାଇଛି। ସିସିଟିଭି ଫୁଟେଜ ଏବଂ କ୍ଷେତ୍ର କର୍ମଚାରୀଙ୍କ ତଦନ୍ତ ରିପୋର୍ଟକୁ ଭିତ୍ତିକରି ଶ୍ରୀଜଗନ୍ନାଥ ମନ୍ଦିର ଆଇନର ୨୧(ଖ) ଧାରା ଅନୁଯାୟୀ ଦଣ୍ଡବିଧାନ କରାଯିବ। ଶ୍ରୀଜୀଉଙ୍କ ସେବାରେ ୧୫ମିନିଟ ବିଳମ୍ବ ପାଇଁ ୨୫%, ୩୦ମିନିଟ ବିଳମ୍ବ କଲେ ୫୦% ଏବଂ ୧ଘଣ୍ଟା ବିଳମ୍ବ ନିମନ୍ତେ ୧୦୦% ପାଳିଆ ପୁରସ୍କାର ବାତିଲ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ବ୍ୟବସ୍ଥା ତତ୍‌କ୍ଷଣାତ କାର୍ଯ୍ୟକାରୀ ପାଇଁ ପରିଚାଳନା କମିଟି ନିର୍ଦେଶ ଦେଇଛି। ଶ୍ରୀଜୀଉଙ୍କ ନବକଳେବର ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ସ୍ମାରକୀମୁଦ୍ରା ମନ୍ଦିର ପ୍ରଶାସନ ଦ୍ବାରା ବିକ୍ରି ପାଇଁ କମିଟି ରାଜି ହୋଇଛି। ସେବକ ପରିବାର ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁକୁଳ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ସମ୍ପର୍କରେ ଆଲୋଚନା କରାଯାଇଛି। ଏଥିପାଇଁ ଆବଶ୍ୟକ ଜମି ଶ୍ରୀମନ୍ଦିର ପ୍ରଶାସନ ଏବଂ ଆର୍ଥିକ ଅନୁଦାନ ରାଜ୍ୟ ସରକାର ପ୍ରଦାନ କରିବେ। ଚୂଡାନ୍ତ ରୂପରେଖ ପ୍ରସ୍ତୁତ ନିମନ୍ତେ ଗଜପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଶ୍ରୀମନ୍ଦିର ରୋଷଘର ଏବଂ ଆନନ୍ଦବଜାର ସଂସ୍କାର, ଯାତ୍ରୀ ପରିଚର୍ଯ୍ୟା ବ୍ୟବସ୍ଥା କାର୍ଯ୍ୟକାରୀ, ସେବକ ଓ କର୍ମଚାରୀଙ୍କୁ ପରିଚୟପତ୍ର ପ୍ରଦାନ ପ୍ରସ୍ତାବକୁ ବୈଠକରେ ଅନୁମୋଦନ କରାଯାଇଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ପରବର୍ତ୍ତୀ ନିର୍ଦେଶ ପରେ ଅନ୍ୟ ସୁପାରିସ ଗୁଡିକୁ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି। ଉତ୍ତରଦ୍ବାର ଏବଂ ଆନନ୍ଦବଜାର ଦେଇ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ରାମ୍ପ ନିର୍ମାଣ ବିବାଦ ସମ୍ପର୍କରେ ଆଲୋଚନା କରାଯାଇଛି। କଲକାତାର ଏକ ଘରୋଇ କମ୍ପାନୀ ଦ୍ବାରା ପ୍ରସ୍ତୁତ ଅଗରବତୀ ପରୀକ୍ଷାମୂଳକ ଭାବେ ବିକ୍ରି ପାଇଁ ବୈଠକରେ ସ୍ଥିର କରାଯାଇଛି।
ରାଜ୍ୟ ସରକାରଙ୍କ ବିଚାରାଧିନ ଥିବା ୟୁନିଫର୍ମ ପଲିସି ଅନୁମୋଦନ ପରେ ଖୋର୍ଦ୍ଧା ଓ ଗଞ୍ଜାମ ଜିଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ମହାପ୍ରଭୁଙ୍କ ଅମୃତମଣୋହି ଜମି ବିକ୍ରି କରାଯିବ। ବାଉଳିମଠ ପରିଚାଳନାକୁ କେନ୍ଦ୍ରକରି ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜ୍ୟ ଦେବୋତ୍ତର କମିଶନରଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଓଡ଼ିଶା ହାଇକୋର୍ଟଙ୍କ ସ୍ଥିତାବସ୍ଥା ଆଦେଶ ରହିଥିବାରୁ ତାହା ପ୍ରତ୍ୟାହାର ହେବାପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପରିଚାଳନା କମିଟି ମତ ଦେଇଛି। ସକାଳଧୂପ ଏବଂ ପ୍ରଥମ ଭୋଗମଣ୍ଡପ ଏକତ୍ର କରିବା ପାଇଁ ୮ବର୍ଷ ତଳେ ମନ୍ଦିର ପ୍ରଶାସନ ଦେଇଥିବା ପ୍ରସ୍ତାବକୁ ସରକାର ଅନୁମୋଦନ କରିଛନ୍ତି। ଏଥିନେଇ ମଙ୍ଗଳବାର ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଥିବା ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ମହାପ୍ରସାଦ ଦର ନିର୍ଦ୍ଧାରଣ, ଟିକଟ ଦର୍ଶନ ବ୍ୟବସ୍ଥା ସମ୍ପର୍କରେ କୌଣସି ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇ ନାହିଁ। ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ବୈଠକରେ ଅଧ୍ୟକ୍ଷତା କରିଥିଲେ। ପ୍ରାୟ ୪ଘଣ୍ଟା ଧରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଆରକ୍ଷୀ ଅଧୀକ୍ଷକ ଡାକ୍ତର ସାର୍ଥକ କୁମାର ଷଡ଼ଙ୍ଗୀ, ଦେବୋତ୍ତର କମିଶନର ବିରଜା ପ୍ରସାଦ ଦତ୍ତ, ପୂର୍ବତନ ପ୍ରଶାସକ ମହୀମୋହନ ତ୍ରିପାଠୀ, ପରିଚାଳନା କମିଟି ସଭ୍ୟ ମାଧବ ମହାପାତ୍ର, ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ଦଇତାପତି ରାମଚନ୍ଦ୍ର ଦାସମହାପାତ୍ର, ମାଧବ ପୂଜାପଣ୍ଡା, ଝାଞ୍ଜପିଟା ମଠ ମହନ୍ତ ବାବା ସଚ୍ଚିଦାନନ୍ଦ ଦାସ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

Leave A Reply