ଶ୍ରୀମନ୍ଦିର ସଂସ୍କାର : ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଗଠିତ ହେଲା କମିଟି

0
ପୁରୀ : ଶ୍ରୀମନ୍ଦିର ପରିଚାଳନା ଏବଂ ଦର୍ଶନ ବ୍ୟବସ୍ଥାରେ ଶୃଙ୍ଖଳା ଆଣିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶ କାର୍ଯ୍ୟକାରୀ କରିପାରୁ ନାହିଁ ମନ୍ଦିର ପ୍ରଶାସନ। ସେବକଙ୍କ ବିରୋଧ ଯୋଗୁଁ ବିଭିନ୍ନ ଆଳ ଦେଖାଇ ପ୍ରଶାସନ ଦିନ ପରେ ଦିନ ଗଡାଇ ଚାଲିଛି। ୩ଟି ପ୍ରସଙ୍ଗ ଉପରେ ଅଧିକ ତର୍ଜମା ପାଇଁ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ସେବକଙ୍କ ପୁରୁଷାନୁକ୍ରମିକ ସେବାସ୍ୱତ୍ୱ ଅଧିକାର ଉଚ୍ଛେଦ ଏବଂ ଦାନଦକ୍ଷିଣା ଓ ପିଣ୍ଡିକା ଆଦାୟ ବନ୍ଦ ନିର୍ଦେଶ ସମ୍ପର୍କରେ ଏହି କମିଟି ରିପୋର୍ଟ ପ୍ରଦାନ କରିବ। ଶନିବାର ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ସଂଶୋଧନକୁ କେତେକ ସେବକ ବିରୋଧ
କରିଛନ୍ତି। ତେଣୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ ପାଇଁ ଅଧିକ ସମୟ ମାଗିବାକୁ ବୈଠକରେ ସ୍ଥିର କରାଯାଇଛି। ଅନ୍ୟ ୯ଟି ପ୍ରସ୍ତାବ ଉପରେ ମଧ୍ୟ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ ହୋଇପାରି ନାହିଁ। ଶ୍ରୀମନ୍ଦିର ରୋଷଶାଳା ଚୁଲି ଲିଜ୍‍ ଏବଂ ଆନନ୍ଦବଜାରରେ ଶୃଙ୍ଖଳା ଆଣିବା ପାଇଁ ପରାମର୍ଶ ଦେବାକୁ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଆଉଏକ କମିଟି ଗଠନ କରାଯାଇଛି। ସେବକଙ୍କୁ ପରିଚୟପତ୍ର ଦେବା ପ୍ରସ୍ତାବ ମଧ୍ୟ ଅଟକି ରହିଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ କାର୍ଯ୍ୟକାରୀ କରିବାକୁ କେନ୍ଦ୍ରକରି ମନ୍ଦିର ପ୍ରଶାସନ ଓ ସେବକ ମୁହାଁମୁହିଁ ହୋଇଛନ୍ତି।

୯ଟି ପ୍ରସ୍ତାବ ଉପରେ ବୈଠକରେ ସହମତି ପ୍ରକାଶ ପାଇଥିବା ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଦେବସ୍ନାନ ପୂର୍ଣ୍ଣିମା, ରଥଯାତ୍ରା, ସୁନାବେଶ ଏବଂ ନୀଳାଦ୍ରି ବିଜେ ସମୟର ସିସିଟିଭି ଫୁଟେଜ ପରିଚାଳନା କମିଟି ଯାଞ୍ଚ କରିଛି। ୨୪ଜଣ ସେବକ ଓ ମନ୍ଦିର କର୍ମଚାରୀ କଟକଣା ଉଲ୍ଲଘଂନ କରିଥିବା ଚିହ୍ନଟ କରାଯାଇଛି। ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ବୈଠକରେ ସ୍ଥିର କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦେଶ କାର୍ଯ୍ୟକାରୀ ପ୍ରସଙ୍ଗ ଉଠିବାମାତ୍ରେ ସେବକ ପ୍ରତିନିଧି ତୀବ୍ର ବିରୋଧ କରିଥିଲେ। ବଂଶାନୁକ୍ରମିକ ସେବା ଅଧିକାର ଉଚ୍ଛେଦ ଏବଂ ଦାନଦକ୍ଷିଣା ଆଦାୟ ବନ୍ଦ କଲେ ସବୁ ସେବକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଥିଲେ। ମନ୍ଦିର ଆଇନ ସଂଶୋଧନ ଆଳରେ ସେବକଙ୍କ ଅଧିକାର ଉଚ୍ଛେଦ ପାଇଁ ଷଡ଼ଯନ୍ତ୍ର ଚାଲିଥିବା ଜଣେ ସେବକ ଅଭିଯୋଗ କରିଥିଲେ। ଏହି ତିନୋଟି ସୁପାରିସକୁ ନେଇ ବୈଠକରେ ବାଦବିବାଦ ଦେଖାଦେଇଥିଲା। ଗଜପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ପାଇଁ ପ୍ରସ୍ତାବ ଗ୍ରହଣ ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ମୁଖ୍ୟ ପ୍ରଶାସକ, ଜିଲାପାଳ, ଏସ୍‍ପିଙ୍କ ସମେତ ୨ଜଣ ପରିଚାଳନା କମିଟି ସଭ୍ୟଙ୍କୁ କମିଟିରେ ନିଆଯାଇଛି। ବ୍ରହ୍ମବିଭ୍ରାଟ ତଦନ୍ତ ରିପୋର୍ଟ କାହିଁକି ଚପାଇ ରଖାଯାଇଛି ବୋଲି ଜଣେ ସଭ୍ୟ ପ୍ରଶ୍ନ କରିଥିଲେ। ତାହାକୁ ସାର୍ବଜନୀନ କରିବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା। ତେବେ ୩ଜଣିଆ ସବ୍‍କମିଟି ଏପର୍ଯ୍ୟନ୍ତ ରିପୋର୍ଟ ଦେଇନଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମ୍ଭବପର ନୁହେଁ ବୋଲି ମନ୍ଦିର ପ୍ରଶାସନ ଯୁକ୍ତି ବାଢିଥିଲା। ସେପ୍ଟେମ୍ବର ମାସ ଶେଷସୁଦ୍ଧା ସବ୍‍କମିଟି ମତାମତ ଦାଖଲ କରିବାକୁ ପରିଚାଳନା କମିଟି ପରାମର୍ଶ ଦେଇଛି। ଜିଲାପାଳ ଜ୍ୟୋତି ପ୍ରକାଶ ଦାସ, ଆରକ୍ଷୀ ଅଧିକ୍ଷକ ଡାକ୍ତର ସାର୍ଥକ କୁମାର ଷଡ଼ଙ୍ଗୀ, ପ୍ରଶାସକ (ନୀତି) ପ୍ରଦୀପ କୁମାର ଦାଶ, ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ପରିଚାଳନା କମିଟି ସଭ୍ୟ ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ରାମଚନ୍ଦ୍ର ଦାସମହାପାତ୍ର, ମହନ୍ତ ସଚ୍ଚିଦାନନ୍ଦ ଦାସ, ମାଧବ ମହାପାତ୍ର, ମାଧବ ପୂଜାପଣ୍ଡା, ଡଃ ସିଦ୍ଧେଶ୍ବର ମହାପାତ୍ର, ଅନନ୍ତ ତିଆଡି ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।
Leave A Reply