ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ବିଭ୍ରାଟ ଆଶଙ୍କା : ବୈଠକରେ ସାମିଲ ହେଲେନି ସେବାୟତ

ଭୁବନେଶ୍ବର : ଚଳିତ ବର୍ଷ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଜାଗର ଯାତ୍ରା ଲାଗି ହୋଇଥିବା ପ୍ରସ୍ତୁତି ବୈଠକରେ କୌଣସି ସେବାୟତ ନିଯୋଗର ପ୍ରତିନିଧି ଯୋଗ ନଦେବା ଯୋଗୁ ଯାତ୍ରାର ସୁପରିଚାଳନା ନେଇ ଆଶଙ୍କା ଉପୁଜିଛି।
ଏବର୍ଷ ବିଏମସି ପାରମ୍ପରୀକରୀତି ମତେ ଖଣ୍ଡଗିରି କୁମ୍ଭମେଳା ପାଳନ କରିବାକୁ ନିଷ୍ପତ୍ତି ନେଇଛି। ଅଥଚ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରାକୁ ଶୃଙ୍ଖଳିତ ଭାବେ ପାଳନ କରିବା ଲାଗି ଆଗ୍ରହ ପ୍ରକାଶ କରିଛିା ଏନେଇ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧରୀ କୋଭିଡ ମାର୍ଗଦର୍ଶିକା ଅନୁସାରେ ଜାଗର ଯାତ୍ରା ପାଳନ କରିବା ଉପରେ ଗୁରୁତ୍ବ ଦେଇ ଏହାର ପୂର୍ବ ପ୍ରସ୍ତୁତି ଲାଗି ଗୁରୁବାର ଏକ ବୈଠକ ଡକାଇଥିଲେ। ଉକ୍ତ ବୈଠକରେ ମନ୍ଦିର ପ୍ରଶାସନ, ସେବାୟତ ନିଯୋଗ ଓ ଯାତ୍ରା ପରିଚାଳନା ସହ ସମ୍ପୃକ୍ତ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଯୋଗ ଦେବାକୁ କୁହାଯାଇଥିଲା। ମାତ୍ର ଏହି ବୈଠକରେ ସେବାୟତ ନିଯୋଗର କୌଣସି ସଦସ୍ୟ ଯୋଗ ଦେଇନଥିଲେ। ସେହିପରି ଜିଲାପାଳଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସର୍କିଟ ହାଉସ ଠାରେ ଅନୁଷ୍ଠିତ ଟ୍ରଷ୍ଟବୋର୍ଡ ବୈଠକରେ ସେବାୟତ ନିଯୋଗ ସାମିଲ ହୋଇନଥିଲେ। ଜାଗର ଯାତ୍ରାକୁ ନେଇ ହେଇଥିବା ଦୁଇଟି ଯାକ ଗୁରୁତ୍ବପୂର୍ଣ୍ଣ ବୈଠକରେ ସେବାୟତଙ୍କ ଅସହଯୋଗ ଯୋଗୁ ଏହା ଚଳିତ ଜାଗର ଯାତ୍ରା ନିର୍ବିଘ୍ନରେ ଶେଷ ହେବା ନେଇ ସନ୍ଦେହ ଉପୁଜିଛି ା ରାଜ୍ୟ ସରକାର ଏକାମ୍ର ବିକାଶ କାର୍ଯ୍ୟ ହାତକୁ ନେଇ ଜାଗର ଯାତ୍ରାରେ ୧୦ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ଲାଗି ପ୍ରସ୍ତୁତି ଚଳାଇଛନ୍ତି। ତେବେ ସେବାୟତମାନେ ପାଇଥିବା ସେବା ସମ୍ପକିତ ଭୂସମ୍ପତ୍ତି ସବୁ ଶ୍ରୀଲିଙ୍ଗରାଜଙ୍କ ନାମରେ ରେକର୍ଡଭୁକ୍ତ ହୋଇଥିବା ଯୋଗୁ ଏହା ସେମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ଏସମ୍ପର୍କରେ ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ କୁହନ୍ତି, ବର୍ଷ ବର୍ଷ ଧରି ସେବାୟତ ପରିବାର ଦିଅଁଙ୍କ ସେବାପୂଜା କରି ସେବାସୂତ୍ରେ ପାଇଥିବା ବେବନ୍ଦୋବସ୍ତ ଜମି ସେବାୟତଙ୍କ ଅଗୋଚରରେ ଶ୍ରୀଲିଙ୍ଗରାଜଙ୍କ ନାମରେ ରେକର୍ଡ କରିଦିଆଯାଉଛି। ଏହାସହ ତାଙ୍କ ନିଯୋଗର ବକେୟା ଶ୍ରାବଣୀ ପାଉଣା ଆଜି ପର୍ଯ୍ୟନ୍ତ ଦିଆଯାଉନାହିଁ। ଯାହାକୁ ନେଇ ନିଯୋଗର ସଦସ୍ୟମାନଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଏସମ୍ପର୍କରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ କୁହନ୍ତି, ସେବାୟତଙ୍କ ବେବନ୍ଦୋବସ୍ତ ସମସ୍ୟା ଦୂର କରିବା ଲାଗି ଜିଲାପାଳ କୋର କମିଟି ଗଠନ କରିଥିବା ବେଳେ ବଡୁ ନିଯୋଗର ଶ୍ରାବଣୀ ପାଉଣା ସହକାରୀ ଦେବୋତ୍ତର କମିସନରଙ୍କ କୋର୍ଟରେ ବିଚାରାଧୀନ ରହିଛି।
ସୂଚନା ଯୋଗ୍ୟ,ଗତ ଦୁଇବର୍ଷ ଧରି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ଶୃଙ୍ଖଳିତ ହୋଇଆସୁଥିଲା। ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ସହଯୋଗରେ ମହାଦୀପ ନୀତିନିର୍ଘଣ୍ଟ ସମୟର ଅବ୍ୟବହିତ ପୂର୍ବରୁ ଉଠିଥିଲା। ଏଥିଲାଗି ମନ୍ଦିର ପ୍ରଶାସନ ଏବଂ ଅଗଣିତ ଶ୍ରଦ୍ଧାଳୁ ସେବାୟତ ନିଯୋଗଙ୍କୁ ଶ୍ରେୟ ଦେଇଥିଲେ।

Comments are closed.