ଶ୍ରଦ୍ଧା ସଞ୍ଜିବନୀ ଶିଶୁ ଯତ୍ନ ଗୃହ ଅନ୍ତେବାସୀଙ୍କ ବିବାହ ; ଜିଲ୍ଲାପାଳ ସାଜିଲେ କନ୍ୟାପିତା

ଗୋପାଳପୁର : ଓଡ଼ିଶାରେ ପ୍ରଥମ ଥର ପାଇଁ ଦୁଇ ଏଚ୍‌ଆଇଭି ସଂକ୍ରମିତ ଯୁବକ ଯୁବତୀଙ୍କ ବିବାହ ଆଜି ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ଉପସ୍ଥିତିରେ ବେଶ ଧୁମଧାମ ଓ  ହିନ୍ଦୁ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଛି। ଶିଶୁ ଯତ୍ନ ଗୃହରେ ପିଲା ବେଳୁ ରହି ନିଜର ଶିକ୍ଷା ସମାପ୍ତ ପରେ ଦିନଦୟାଲ ଉପାଧ୍ୟାୟ ଗ୍ରାମିଣ କୈଶଳ ଯୋଜନାରେ ପ୍ରଶିକ୍ଷଣ ନେବା ପରେ ହାଇଦ୍ରାବାଦରେ ଏକ କମ୍ପାନୀରେ ଗତ ଦୁଇବର୍ଷ ତଳେ କାର୍ଯ୍ୟରେ ଯୋଗ ଦେଇଥିଲେ। ଶନିବାର ଦିନ ଉଭୟ ଯୁବକ ଓ ଯୁବତୀଙ୍କ ମଧ୍ୟରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ଏହି ବିବାହ ସମାରୋହକୁ ୫ଟି ସଚିବ କାର୍ତ୍ତିକ ପାଣ୍ଡିଆନ ଭିଡିଓ କନଫରେନ୍ସିଂ ଜରିଆରେ ପରିଚାଳନା କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ନବ ଦମ୍ପତିଙ୍କୁ ସୁଖମୟ ଦାମ୍ପତ୍ୟ ଜୀବନ ଅତିବାହିତ କରିବାକୁ ଆଶୀର୍ବାଦ ଦେଇଥିଲେ। ଏହା ସହ ଭୁବନେଶ୍ୱର ଆସିବାକୁ ମଧ୍ୟ ଆମନ୍ତ୍ରଣ କରିଥିଲେ।

ଆଜି ସକାଳୁ ଶିଶୁ ଯତ୍ନ ଗୃହ ପରିଚାଳନା ଦାୟିତ୍ଵରେ ଥିବା ଅରୁଣା ଏନ୍‌ଜିଓ ର କର୍ମକର୍ତ୍ତାମାନେ ଗୃହରେ ଉପସ୍ଥିତ ରହି ବିବାହ ବେଦୀ ନିର୍ମାଣ ସହ ସମସ୍ତ କାର୍ଯ୍ୟ ସମ୍ପାଦନା କରିଥିଲେ। ଗୃହ ପରିସରରେ ନିଜେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଗେଂ କନ୍ୟା ପିତା ଭାବେ କାର୍ଯ୍ୟ ସମ୍ପାଦନା କରିବା ସହ କନ୍ୟାକୁ ବିବାହ ନିମନ୍ତେ ସାଜସଜ୍ଜା କରିବା ଏବଂ ବାହାଘର ପରିଚାଳନା ନେଇ ଅନ୍ୟ ମାନଙ୍କ ସହ ଆଲୋଚନା ପୂର୍ବକ ପ୍ରସ୍ତୁତ ଚଳାଇଥିଲେ। ଏପଟେ ନିର୍ଦ୍ଧାରିତ ସମୟରେ ବର ଓ ବରପିତା ତଥା ଅରୁଣା ସ୍ବେଛାସେବୀ ସଂଗଠନର ନିର୍ଦ୍ଦେଶନାକ ଲୋକନାଥ ମିଶ୍ର ଓ ବରଯାତ୍ରୀ ଦଳ ଗୃହ ପରିସରରେ ପହଞ୍ଚିବା ପରେ ନିଜେ କନ୍ୟାପିତା ଜିଲ୍ଲାପାଳ ବିଜୟ ଅମୃତା କୁଲାଗେଂ ବରକୁ ବରଣ କରିବା ସହ ବିବାହ ବେଦୀ କୁ ପାଛୋଟି ନେଇଥିଲେ। ଏହାପରେ ବୈଦିକ ରୀତିରେ ପଣ୍ଡିତ ହରିହର ପାଢ଼ୀ ମନ୍ତ୍ର ଉଚ୍ଚାରଣ କରି ବିବାହ କାର୍ଯ୍ୟ ଆରମ୍ଭ କରିବା ପରେ ନିଜେ ୫ଟି ସଚିବ କାର୍ତ୍ତିକ ପାଣ୍ଡିଆନ ଭିଡିଓ କନଫରେନ୍ସିଂ ଜରିଆରେ ବିବାହ କାର୍ଯ୍ୟର ତଦାରଖ କରିଥିଲେ। ବିବାହ ପରେ ପ୍ରଶାସନ ପକ୍ଷରୁ ନିଜେ ଜିଲ୍ଲାପାଳ ବିଜୁ ଶିଶୁ ସୁରକ୍ଷା ଯୋଜନା ପାଣ୍ଠିରୁ ବର କୁ ୪୦ ହଜାର ଟଙ୍କା ଓ କନ୍ୟାକୁ ୫୦ ହଜାର ଟଙ୍କା ର ସହାୟତା ରାଶି ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଡିଆରଡିଏ ପିଡି ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ବ୍ରହ୍ମପୁର ମହାନଗରନିଗମ କମିଶନର ଡ଼ ସିଦ୍ଧେଶ୍ୱର ବଳିରାମ ବୋନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ ଭି କୀର୍ତ୍ତି ଭାସନ, ଡୁଡା ପିଡି ସୁଦାମ ଚରଣ ମଣ୍ଡଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଉମାଶଙ୍କର ମିଶ୍ର, ବ୍ରହ୍ମପୁର ଉନ୍ନୟନ ପରିଷଦ ସଚିବ ସବୀଂତକୁମାର ରାଉତ, ଅରୁଣା ଫାଉଣ୍ଡେସନର ସଦସ୍ୟ ଲୋକନାଥ ମିଶ୍ର, ସମ୍ପାଦିକା ସୈାଦାମିନୀ ରଥ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ସୂଚନାଯୋଗ୍ୟ, ଯେବେ ଗତ ୨୧ ଡିସେମ୍ବର ୨୦୦୭ ରେ ପ୍ରଥମଥର ନିମନ୍ତେ ତତ୍କାଳୀନ ଜିଲ୍ଲାପାଳ ତଥା ବର୍ତ୍ତମାନର ୫ଟି ସଚିବ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚେଷ୍ଟାରେ ଗୋପାଳପୁର ଶ୍ରଦ୍ଧା ସଞ୍ଜିବନୀ ଶିଶୁ ଯତ୍ନ ଗୃହକୁ ବିଡ଼ିଏ ର ପୁରାତନ ପାନ୍ଥନିବାସ ପରିସରରେ ଆରମ୍ଭ କରାଯାଇଥିଲା। ଏହା ମଧ୍ୟରେ ସରକାରଙ୍କ ଅନୁଦାନରେ ୧୨୦ ଶିଶୁଙ୍କ ରହିବା ନିମନ୍ତେ ନୂତନ କୋଠା ନିର୍ମାଣ କରାଯାଇ ଏଠାରେ ଏଚ୍‌ଆଇଭି ଆକ୍ରାନ୍ତ ଅନାଥ ଶିଶୁ ମାନଙ୍କୁ ରଖିବା ନିମନ୍ତେ ବ୍ୟବସ୍ଥା କରାଯାଇଛି। ଏହା ମଧ୍ୟରେ ୯୮ ଜଣ ଯୁବକ ଯୁବତୀ ଏଠାରେ ରହି ଆସିଥିବା ବେଳେ ୧୮ ବର୍ଷ ଅତିକ୍ରାନ୍ତ କରିବା ପରେ ନିଜେ ନିଜ ଗୋଡ଼ରେ ଠିଆ ହେବା ସହ ଚାକିରି ପାଇବା ପରେ ଏହା ମଧ୍ୟରେ ୪୮ ଜଣ ବାହାରେ ରହୁଥିବା ବେଳେ ଏବେ ଏଠାରେ ୫୦ ଜଣ ଅନ୍ତେବାସୀ ରହି ଆସୁଛନ୍ତି।

Comments are closed.