MEllora 950×100

ଜେଲ୍ ଗଲା ଅଫତାବ, ୨୮ରେ ନାର୍କୋ ପରୀକ୍ଷା

ନୂଆଦିଲ୍ଲୀ: ପ୍ରେମିକା ଶ୍ରଦ୍ଧାକୁ ହତ୍ୟା କରିବା ପରେ ତାଙ୍କ ଶରୀରକୁ ୩୫ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫୋପାଡ଼ିବା ଅଭିଯୋଗରେ ଗିରଫ ହୋଇଥିବା ଅଫତାବ ପୁନୱାଲାକୁ ଦିଲ୍ଲୀର ଏକ କୋର୍ଟ ୧୩ ଦିନ ପାଇଁ ଜେଲ୍‌କୁ ପଠାଇ ଦେଇଛି । ସେ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ତିହାର ଜେଲ୍‌ରେ ରହିବ ବୋଲି ଅଦାଲତ ନିର୍ଦେଶ ଦେଇଛନ୍ତି।
ଶନିବାର ସକାଳେ ଅଫତାବର ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ପୁଲିସ ତାକୁ ଆମ୍ବେଦକର ଡାକ୍ତରଖାନାକୁ ନେଇଥିଲା । ସ୍ବାସ୍ଥ୍ୟ ପରୀକ୍ଷା ପରେ ଅପରାହ୍ଣ ପ୍ରାୟ ୨.୩୦ ମିନିଟ୍‌ରେ ଅଫତାବକୁ ଡାକ୍ତରଖାନାରେ ଥିବା ଏକ କୋଠରିରେ ରଖାଯାଇ ଭିଡିଓ କନ୍‌ଫରେନ୍ସି ଜରିଆରେ କୋର୍ଟରେ ଉପସ୍ଥିତ କରାଯାଇଥିଲା। ଅଦାଲତ ଅଫତାବକୁ ଡିସେମ୍ବର ୮ ପର୍ଯ୍ୟନ୍ତ ଜେଲ୍‌କୁ ପଠାଇ ଦେବାକୁ ପୁଲିସକୁ ନିର୍ଦେଶ ଦେଇଥିଲେ ।

ଅନ୍ୟପକ୍ଷରେ ଆସନ୍ତା ୨୮ରେ ଅଫତାବର ନାର୍କୋ ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ଅଫତାବର ପଲିଗ୍ରାଫ୍‌ ପରୀକ୍ଷା ଶେଷ ହୋଇଥିଲେ ମଧ୍ୟ ପୁଲିସକୁ ଆବଶ୍ୟକ ତଥ୍ୟ ମିଳି ପାରିନଥିବାରୁ ଅଫତାବର ନାର୍କୋ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ ଶ୍ରଦ୍ଧାଙ୍କ ଦେହାବଶେଷର ଡିଏନ୍‌ଏ ରିପୋର୍ଟ ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇନଥିବା ପୁଲିସ ତରଫରୁ ସୂଚନା ଦିଆଯାଇଛି। ଶ୍ରଦ୍ଧାଙ୍କ ବାପା ବିକାଶଙ୍କ ଠାରୁ ଗତ ୧୬ରେ ଦିଲ୍ଲୀ ପୁଲିସ ଡିଏନ୍‌ଏ ନମୁନା ସଂଗ୍ରହ କରିଥିଲା। ଏହାକୁ ମିଳିଥିବା ଦେହାବଶେଷ ସହ ମିଳାଇ ତାହା ଶ୍ରଦ୍ଧାଙ୍କ ମୃତ ଶରୀର କି ନାହିଁ ସେ ସଂପର୍କରେ ନିଶ୍ଚିତ ହେବ ପୁଲିସ। ସୂଚନାଥାଉ କି ଅଫତାବ ଦିଲ୍ଲୀର ଛତ୍ରପୁରର ଏକ ଫ୍ଲାଟରେ ରହୁଥିବା ବେଳେ ସେହି ଫ୍ଲାଟର ରୋଷେଇ ଘରୁ ପୁଲିସ ରକ୍ତଛିଟା ପାଇଛି।

Comments are closed.