ସତରେ କ’ଣ ସୋନିଆଙ୍କ ସ୍ଥାନରେ ୟୁପିଏ ଅଧ୍ୟକ୍ଷ ହେବେ ଶରଦ ପାୱାର ?

ଚଳିତ ସପ୍ତାହରେ ଏକ ମଜାଦାର ବିତର୍କ ମୁଣ୍ଡ ଟେକିଛି । ଗଣମାଧ୍ୟମଗୁଡ଼ିକରେ ପ୍ରକାଶିତ ଖବର ଅନୁସାରେ ୟୁପିଏ ଅଧ୍ୟକ୍ଷ ଭାବରେ ସୋନିଆଙ୍କ ସ୍ଥାନରେ ଶରଦ ପାୱାର ଅବସ୍ଥାପିତ ହେବେ । ତେବେ କୌତୂହଳର ବିଷୟ ହେଉଛି ଏହି ପ୍ରସଙ୍ଗ ୟୁପିଏ ବା କଂଗ୍ରେସ ଯେତେ ଚର୍ଚା କରୁନାହିଁ, ତା’ଠୁ ବେଶୀ ଚର୍ଚା ବିଜେପି ଶିବିରରେ ଆରମ୍ଭ ହୋଇଛି । ଆହୁରି ମଜାଦାର ବିଷୟ ହେଉଛି ମହାରାଷ୍ଟ୍ରରେ କଂଗ୍ରେସ ଓ ଶରଦ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ସହ ମେଣ୍ଟ କରିଥିବା ଶିବସେନା ଏହାକୁ ସମର୍ଥନ କରିଛି । ଯଦିଓ ଶରଦ ପାୱାର ଏପରି ପ୍ରସ୍ତାବର ପ୍ରାସଙ୍ଗିକତାକୁ ନେଇ ପ୍ରଶ୍ନ ଉଠାଇବା ସହ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ତଥାପି ବିତର୍କ ଜାରି ରହିଛି ।

ଅବଶ୍ୟ ଏହି ବିତର୍କ ପଛରେ ୩ଟି ଗୁରୁତ୍ଵପୂର୍ଣ୍ଣ କାରଣ ରହିଛି । ବରିଷ୍ଠ ସାମ୍ବାଦିକ ତଥା  ରାଜନୈତିକ ସମୀକ୍ଷକ ଆଶୁତୋଷଙ୍କ ମତରେ ପ୍ରଥମ କାରଣଟି ହେଉଛି ସୋନିଆଙ୍କ ଅସୁସ୍ଥତା ଓ ୟୁପିଏ ପରିଚାଳନା ନିମନ୍ତେ ତାଙ୍କ ଉପରେ ଅତିରିକ୍ତ ଭାର ଦିଆଯିବା ଉଚିତ୍ ନୁହେଁ ବୋଲି କୁହାଯାଉଛି । ଦ୍ବିତୀୟଟି ହେଉଛି ଅସୁସ୍ଥ ହେବା ପୂର୍ବରୁ ସୋନିଆ ୟୁପିଏରେ ଅନ୍ତର୍ଭୁକ୍ତ ରାଜନୈତିକ ଦଳଗୁଡ଼ିକୁ ବିଶ୍ଵାସକୁ ନେବାରେ ସମର୍ଥ ହୋଇ ନାହାନ୍ତି ଓ ତୃତୀୟଟି ହେଉଛି ବୟସ ବୃଦ୍ଧି ଓ ଅସୁସ୍ଥତା ଯୋଗୁଁ କୌଣସି ନିର୍ଣୟ ନେବାରେ ତାଙ୍କର ବିଳମ୍ବ ପଦକ୍ଷେପ । ମୋଦୀ ସରକାରଙ୍କୁ ମୁକାବିଲା କରିବା ପରି ଏକ ଟାଣୁଆ ବିରୋଧୀ ଦଳ ବା ମେଣ୍ଟର ନେତୃତ୍ଵ ନେବା ନିମନ୍ତେ ଯେପରି ତ୍ଵରିତ ନିଷ୍ପତ୍ତି ନେବାରେ ସୋନିଆ ସଫଳ ହୋଇ ପାରିନାହାନ୍ତି ବୋଲି କୁହାଯାଉଛି ।

ମାତ୍ର ପ୍ରଶ୍ନ ଉଠିଛି ଶରଦ ପାୱାର ବାସ୍ତବରେ ସୋନିଆଙ୍କ ବିକଳ୍ପ ହେବାକୁ ସକ୍ଷମ ଓ ସମର୍ଥ କି ? ସେ ମଧ୍ୟ ଅତିକ୍ରାନ୍ତ ବୟସରେ ପହଞ୍ଚିଛନ୍ତି । ତଥାପି ସୋନିଆଙ୍କ ବଦଳରେ ଶରଦଙ୍କୁ ଉପସ୍ଥାପିତ କରିବା ପଛରେ ମଧ୍ୟ ୩ଟି କାରଣ ରହିଛି । ପ୍ରଥମ ହେଉଛି ତାଙ୍କର ବିପୁଳ ରାଜନୈତିକ ଓ ମିଳିତ ମଞ୍ଚ ଚଳାଇବାର ଅଭିଜ୍ଞତା । ମହାରାଷ୍ଟ୍ରରେ ଆଜି ଯଦି ଅଣ ବିଜେପି ସରକାର ଉଦ୍ଧବ ଠାକରେଙ୍କ ନେତୃତ୍ଵରେ ଚାଲିଛି ତାହାର ଶ୍ରେୟ ଶରଦ ପାୱାରଙ୍କୁ ହିଁ ଯିବା ନିଶ୍ଚିତ । ଦ୍ବିତୀୟଟି ହେଉଛି ଜଣେ ପୁରୁଖା ରାଜନେତା ଭାବରେ ତାଙ୍କର ପ୍ରତ୍ୟେକ ଦଳରେ କେହି ନା କେହି ବନ୍ଧୁ ଅଛନ୍ତି ଓ ତାଙ୍କର ରାଜନୈତିକ ନେଟୱାର୍କ ବେଶ୍ ଦୃଢ଼ । ଏହାବ୍ୟତୀତ ତାଙ୍କର ସବୁଠାରୁ ବଡ଼ ଗୁଣ ହେଉଛି ସେ ଯେ କୌଣସି ଦଳର ଯେ କୌଣସି ନେତାଙ୍କ ସହ ସିଧାସଳଖ ଆଲୋଚନା କରିବାର ସାମର୍ଥ୍ୟ ରଖିଛନ୍ତି । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକଦା ଶରଦ ପାୱାରଙ୍କୁ ରାଜନୈତିକ ଗୁରୁ ବୋଲି ମଧ୍ୟ ପ୍ରକାଶ କରିଥିବା ନଜିର ରହିଛି । ବର୍ତମାନ ରାଜନୈତିକ ଧୃବୀକରଣ ସମୟରେ ଏହା ସବୁଠୁ ବଡ଼ ଭୂମିକା ଗ୍ରହଣ କରିବାକୁ ସକ୍ଷମ ।

ତୃତୀୟ ହେଉଛି ଦଳ ବା ମୋର୍ଚା ଚଳାଇବା ପାଇଁ ପାଣ୍ଠି । ପାୱାର ମୁମ୍ବାଇରେ ରହୁଛନ୍ତି ଓ ବଡ଼ବଡ଼ ବ୍ୟବସାୟୀ, ଶିଳ୍ପପତିଙ୍କ ସହ ତାଙ୍କର କେବଳ ପରିଚିତି ନାହିଁ, ସେମାନଙ୍କ ଉପରେ ତାଙ୍କର ପ୍ରଭାବ ମଧ୍ୟ ରହିଛି । ଯଦିଓ ଆଜିର ସମୟରେ ସମ୍ବଳ ଦୃଷ୍ଟିରୁ ବିଜେପି ବେଶ୍ ସଶକ୍ତ ଓ ବିରୋଧୀଙ୍କୁ ଧ୍ଵଂସ କରିବାକୁ ସକ୍ଷମ, ତଥାପି ପାୱାର ବିଜେପିକୁ ଏ କ୍ଷେତ୍ରରେ ମୁକାବିଲା କରିବାକୁ ମଧ୍ୟ ସକ୍ଷମ ହେବେ ବୋଲି ବିଶ୍ଵାସ କରାଯାଉଛି ।

ଏହା ସତ୍ବେ ଶରଦ ପାୱାର ୟୁପିଏର ନେତୃତ୍ଵ ନେବାକୁ ଯେତିକି ସଫଳ ହେବେ ବୋଲି କୁହାଯାଉଛି; ତାଙ୍କ ବିପକ୍ଷରେ ମଧ୍ୟ ଅନୁରୂପ ୩ଟି ପ୍ରସଙ୍ଗ ସ୍ବାଭାବିକ ଯୋଡ଼ି ହୋଇଛି । ପ୍ରଥମ କାରଣ ହେଉଛି ଯଦିଓ ଶରଦ ପାୱାର ରାଜନୀତିରେ ପ୍ରତିଷ୍ଠିତ, ମାତ୍ର ତାଙ୍କର ବିଶ୍ଵସନୀୟତା ସନ୍ଦେହର ଊର୍ଧ୍ବରେ ନୁହେଁ । ପାୱାର ଅନେକ ସମୟରେ ବିଭିନ୍ନ ଦଳ ଭାଙ୍ଗିବା ଓ ନେତାମାନଙ୍କୁ ରସାତଳକୁ ଫିଙ୍ଗି ଦେବାରେ କାର୍ପଣ୍ୟ କରି ନ ଥିବା ଅନେକ ଉଦାହରଣ ରହିଛି । ୧୯୭୮ରେ ନିଜର ପରାମର୍ଶଦାତା ବସନ୍ତ ଦାଦା ପାଟିଲଙ୍କୁ ପ୍ରତାରଣା କରି ୩୮ ବର୍ଷ ବସୟରେ ମହାରାଷ୍ଟ୍ରର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ଅନୁରୂପ ଭାବରେ ଶରଦ ପାୱାର ଅଶୀ ଦଶକର ମଧ୍ୟଭାଗରେ କଂଗ୍ରେସରେ ଯୋଗ ଦେଇଥିଲେ । ସେତେବେଳେ ରାଜୀବ ଗାନ୍ଧୀ ଥିଲେ କଂଗ୍ରେସର ସର୍ବେସର୍ବା । ମାତ୍ର ୧୯୯୮ ମସିହାରେ ସେ ସୋନିଆଙ୍କ ବିରୋଧରେ ବିଦ୍ରୋହ କରି କଂଗ୍ରେସରୁ ଭିନ୍ନ ହୋଇ ଯାଇଥିଲେ । ପୁଣି ୨୦୦୪ ମସିହାରେ ଶରଦ ପାୱାର ପୁଣି କଂଗ୍ରେସ ମେଣ୍ଟର ଅଂଶୀଦାର ହୋଇଥିଲେ ଓ ମନମୋହନ ସିଂହ ସରକାରରେ କୃଷିମନ୍ତ୍ରୀ ଭାବରେ ନିଯୁକ୍ତି ପାଇଥିଲେ ।

ଦ୍ବିତୀୟ ପ୍ରସଙ୍ଗଟି ଯାହା ଶରଦ ପାୱାରଙ୍କ ବିରୋଧରେ ଯାଉଛି ତାହା ହେଉଛି ଆଦର୍ଶଗତ ଭାବରେ ସେ ଦୃଢ଼ ନୁହନ୍ତି । କହିବାକୁ ଗଲେ ସେ ସେ କ୍ଷମତା ରାଜନୀତିରେ ବିଶ୍ଵାସ କରନ୍ତି ଓ କ୍ଷମତା ଲାଗି ​‌ଯେ କୌଣସି ବୁଝାମଣା କରିବାକୁ ପ୍ରସ୍ତତ ବୋଲି ଅଭିଯୋଗ ହୋଇଥାଏ । କଂଗ୍ରେସ ପରମ୍ପରାରୁ ଆସିଥିଲେ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ହେବା ପାଇଁ ୧୯୭୮ ମସିହାରେ ଜନତା ଦଳର ସମର୍ଥନ ନେଇଥିଲେ । ସେହିପରି ଯେଉଁ ସୋନିଆଙ୍କ ବିରୋଧରେ ସେ ୧୯୯୮ରେ ବିଦ୍ରୋହ କରିିଥିଲେ, ୧୯୯୯ମସିହାରେ ମହାରାଷ୍ଟ୍ରରେ ତାଙ୍କରି କଂଗ୍ରେସ ଦଳକୁ ସମର୍ଥନ କରି ସରକାରରେ ସାମିଲ ହୋଇଥିଲେ । ଅନୁରୂପ ଭାବରେ କଂଗ୍ରେସ ସହ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ଦଳର ଘନିଷ୍ଠ ସମ୍ପର୍କ ଥିଲେ ମଧ୍ୟ ୨୦୧୪ରେ ଦେବେନ୍ଦ୍ର ଫଡ଼ନାଭିସଙ୍କ ବିଜେପି ସରକାରକୁ ସମର୍ଥନ ଦେବାକୁ ଶରଦ ପାୱାର ପ୍ରସ୍ତୁତ ଥିଲେ ।

ଶେଷ ତଥା ତୃତୀୟ ବଡ଼ କାରଣ ହେଉଛି ଶରଦ ପାୱାରଙ୍କ ଗ୍ରହଣୀୟତା । ଜଣେ ମରାଠା ନେତା ଭାବରେ ତାଙ୍କର ଯେତିକି ସୁଖ୍ୟାତି ଓ ପ୍ରଭାବ ଅଛି, ସାରା ଦେଶର ଲୋକଙ୍କ ମଧ୍ୟରେ ସେହି ଗ୍ରହଣୀୟତା ନାହିଁ । ଅନୁରୂପ ଭାବରେ ୟୁପିଏର ସବୁଠାରୁ ବଡ଼ ଦଳ କଂଗ୍ରେସ ଓ ସୋନିଆଙ୍କର ଯେପରି ସାରା ଦେଶରେ ଗ୍ରହଣୀୟତା ଅଛି ପାୱାର ପରିଣତ ବୟସରେ ସେପରି ଗ୍ରହଣୀୟତା ପାଇ ନାହାନ୍ତି । ଏପରିକି ମହାରାଷ୍ଟ୍ରରେ ତାଙ୍କ ନିଜ ଦଳ​‌ରେ ମଧ୍ୟ ତାଙ୍କ ଗ୍ରହଣୀୟତାକୁ ନେଇ ପ୍ରଶ୍ନବାଚୀ ଉଭା ହୋଇଛି । ଏହା ହୋଇ ନ ଥିଲେ ତାଙ୍କ ନିଜ ସଂପର୍କୀୟ ଅଜିତ୍ ପାୱାର ବିଦ୍ରୋହ କରି ବିଜେପି ସହ ମିଶି ସରକାର ଗଠନ କରି ନ ଥାନ୍ତେ ବା ଉପମୁଖ୍ୟମନ୍ତ୍ରୀ ଶପଥ ନେଇ ନ ଥାନ୍ତେ ।

ବାସ୍ତବିକତା ଦେଖିଲେ ଶରଦ ପାୱାର ପରିଣତ ବୟସରେ ଉପନୀତ ହୋଇନ୍ତି । ଭାରତର ରାଜନୀତି ଆଉ ରାଜ୍ୟ କୈନ୍ଦ୍ରୀକ ହୋଇ ନାହିଁ । କଂଗ୍ରେସର ଅତୀତ ଭୋଟ ବ୍ୟାଙ୍କ ଏବେ ବିଜେପିର ଭୋଟ ବ୍ୟାଙ୍କରେ ପରିଣତ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ଘନିଷ୍ଠ ସହଯୋଗୀମାନେ ନିଜର ଦୃଢ଼ ବିଚାରଶକ୍ତି ଓ ଦୂରଦର୍ଶୀତା ଯୋଗୁଁ ଯେଉଁ ଦୃଢ଼ ଭିତ୍ତି ପକାଇ ସାରିଛନ୍ତି ତାହା କ୍ବଚିତ୍ ଦେଖାଯାଏ । ଆରଏସଏସ୍ ପୃଷ୍ଠଭୂମି ଓ ଦେଶରେ ଭୋଟ ଏକୀକରଣ ପାଇଁ ବିଜେପି ଯେଉଁ ପଦକ୍ଷେପ ଗ୍ରହଣ କରୁଛି ତାହାକୁ ମୁକାବିଲା କରିବାକୁ ଶରଦ ପାୱାର ସମର୍ଥ ହେବେ ସେ ବିଶ୍ଵାସ କରି ହେଉନାହିଁ । ଏହି ସ୍ଥିତିରେ ୟୁପିଏ ଲାଗି ଏପରି ଜଣେ ନେତା ଲୋଡ଼ା ଯିଏ ରାଜନୈତିକ ପୃଷ୍ଠଭୂମିରୁ ଆସିଥିବେ, ମାତ୍ର ପାରମ୍ପରିକ ରାଜନୈତିକ ଭାବନାରେ ବିଶ୍ଵାସ ରଖୁ ନ ଥିବେ । ନୂଆ ଚେହେରା ହୋଇଥିବେ ଓ ରାଜନୈତିକ ବ୍ୟାକରଣ ବୁଝିବାକୁ ସମର୍ଥ ହେଉଥିବେ । ୨୦୦୪ ମସିହାରେ ସୋନିଆ ଗାନ୍ଧୀ ଏଇଥିପାଇଁ ସଫଳ ହୋଇଥିଲେ, କାରଣ ସେତେବେଳେ ତାଙ୍କୁ ନୂଆ ମୁହଁ ଭାବରେ ଉପସ୍ଥାପନ କରାଯାଇଥିଲା।

ଏହି ସ୍ଥିତିରେ ମୋଦୀଙ୍କୁ ମୁକାବିଲା କରିବା ପାଇଁ ଯଦି ସୋନିଆ ସମର୍ଥ ହେଉ ନାହାନ୍ତି ବୋଲି କୁହାଯାଉଛି, ତେବେ ପାୱାର କେମିତି ସମର୍ଥ ହେବେ ?

Comments are closed.