ବାସ୍ତବବାଦୀ ହେବା ଉଚିତ

ଚୀନ ଆମର ପଡ଼ୋଶୀ ରାଷ୍ଟ୍ର। ପାକିସ୍ତାନ ସହିତ ଜାମ୍ମୁ-କାଶ୍ମୀରକୁ ନେଇ ଯେପରି ବିବାଦ ଥିଲା ଚୀନ ସହିତ ସୀମାକୁ ନେଇ ସେମିତି ବିବାଦ ସର୍ବଦା ଲାଗି ରହିଛି। ୧୯୬୨ରେ ଚୀନ ସହିତ ଭାରତର ଯୁଦ୍ଧ ହୋଇଥିଲା। ପରେ ସୀମାରେ ସଦାସର୍ବଦା କିଛି ନା କିଛି ଅଶାନ୍ତି, ଗଣ୍ଡଗୋଳ ଲାଗିରହିଛି। ଏକ ନିର୍ଦିଷ୍ଟ ଅଞ୍ଚଳକୁ ଚୀନ ନିଜର ବୋଲି କହୁଥିଲାବେଳେ ଭାରତ ତା’ର ଅଞ୍ଚଳ ବୋଲି କହୁଛି। ଏପରିକି ଚୀନ ଆମ ଦେଶର କିଛି ଅଞ୍ଚଳ ମାଡ଼ିବସିଛି ବୋଲି ମଧ୍ୟ କୁହାଯାଉଛି। ନିକଟରେ ଲଦାଖର ଗଲୱାନ ଉପତ୍ୟକାରେ ଚୀନ ଓ ଭାରତର ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ଭାରତର ୨୦ଜଣ ସୈନ୍ୟ ସହିଦ ହେବା ଘଟଣା ସମଗ୍ର ଦେଶବାସୀଙ୍କୁ ମର୍ମାହତ କରିଛି। ଚୀନର ମଧ୍ୟ କିଛି ସୈନିକ ମୃତାହତ ହୋଇଛନ୍ତି ବୋଲି ଖବର ମିଳିଛି। ଯେହେତୁ ସୀମାରେ କ’ଣ ଘଟୁଛି ତାହା ଜାଣିବା ସମ୍ଭବ ନୁହେଁ, ଏଣୁ ଗଣମାଧ୍ୟମରେ ଯେଉଁ ଖବର ପ୍ରଚାରିତ ହେଉଛି ତାହାକୁ ବିଶ୍ୱାସ କରିବାକୁ ପଡୁଛି। ସେ ଯାହାହେଉ ଭାରତୀୟ ବୀର ଯବାନମାନଙ୍କର ବଳିଦାନ କେବେ ବ୍ୟର୍ଥ ହେବନି। ଚୀନର ଏହି ସଇତାନୀ ଚକ୍ରାନ୍ତକୁ କେବଳ ନିନ୍ଦା ନକରି ଏହାକୁ ପ୍ରତିହତ କରିବାର ସମୟ ଉପନୀତ।

ଚୀନ କେବେ ଭାରତର ବନ୍ଧୁ ନଥିଲା କି ଆଗାମୀ ଦିନରେ ବନ୍ଧୁ ହେବାର ସମ୍ଭାବନା ନାହିଁ, କିନ୍ତୁ ଚୀନର କାର୍ଯ୍ୟକଳାପକୁ ନିନ୍ଦା କରିବାବେଳେ ସାମ୍ୟବାଦ, କମ୍ୟୁନିଜିମ୍‍ ବା ବାମପନ୍ଥୀ ଚିନ୍ତାଧାରାକୁ ଏହା ସହିତ ଯୋଡ଼ି ଅହରହ ଗଣମାଧ୍ୟମରେ ଯାହା ପ୍ରଚାର କରାଯାଉଛି ତାହା ଠିକ୍‍ ନୁହେଁ। ଏକଥା ସତ୍ୟ ଯେ ଚୀନରେ ଏକ କମ୍ୟୁନିଷ୍ଟ ସରକାର ଶାସନ କରୁଛି, କିନ୍ତୁ ଭାରତ ସହିତ ଯେଉଁ ବିବାଦ ରହିଛି ତାହାର କମ୍ୟୁନିଜିମ୍‍ ସହିତ କୌଣସି ସମ୍ପର୍କ ନାହିଁ। କମ୍ୟୁନିଷ୍ଟ ଶାସିତ ସୋଭିଏତ୍‍ ରୁଷିଆ ବିଖଣ୍ଡିତ ପୂର୍ବରୁ ଭାରତକୁ ଅନେକ ବିପଦ ସମୟରେ ସାହାଯ୍ୟ କରିଛି। ଏପରିକି ଆମେରିକା ପାକିସ୍ତାନକୁ ସାହାଯ୍ୟ କରିବା ଏବଂ ପରମାଣୁ ଅସ୍ତ୍ର ନିର୍ମାଣରେ ସାହାଯ୍ୟ କଲାବେଳେ ସୋଭିଏତ୍‍ ରୁଷିଆ ଭାରତ ସହିତ ଥିଲା।

ଚୀନ୍‍ର ଭାରତ ବିରୋଧୀ ଆଭିମୁଖ୍ୟ ପରିପ୍ରେକ୍ଷୀରେ ବର୍ତ୍ତମାନ ଯାହା ଚର୍ଚ୍ଚା ହେଉଛି ତାହା ହେଲା ଚୀନରୁ ଆମଦାନୀ ବନ୍ଦ କରିବା ଏବଂ ଆତ୍ମନିର୍ଭରଶୀଳ ହେବା। ପ୍ରଥମ କଥା ହେଉଛି ଏହି ସବୁ ସିଦ୍ଧାନ୍ତ ନେବା ପୂର୍ବରୁ ବା ଏହା ସପକ୍ଷରେ ପ୍ରଚାର କରିବା ପୂର୍ବରୁ ଏହାର ପ୍ରଭାବ କେତେ ସୁଦୂରପ୍ରସାରୀ ହେବ ତାହା ଭାବିବା ଉଚିତ। ଯେଉଁମାନେ ପ୍ରକୃତ ଦେଶପ୍ରେମୀ ଓ ଦେଶ ପାଇଁ ଚିନ୍ତା କରୁଛନ୍ତି ସେମାନେ ଠିକ୍‍ କଥା କହିଥାନ୍ତି, କିନ୍ତୁ ଅନ୍ୟମାନେ ସାଧାରଣ ଜନତାଙ୍କ ଭାବାବେଗକୁ ସୁହାଇଲା ପରି କହିଥାନ୍ତି। ଏକଥା ସତ୍ୟ ଯେ ଚୀନକୁ ଏକ ଶିକ୍ଷା ଦେବା ଆବଶ୍ୟକ, କିନ୍ତୁ ସେଥିପାଇଁ ଯଦି ଚୀନରୁ ଆମଦାନି ବନ୍ଦ କରାଯାଏ ତେବେ ଚୀନର କ୍ଷତି ଅପେକ୍ଷା ଭାରତର ଅଧିକ କ୍ଷତି ହେବ। ପ୍ରଥମ କଥା ହେଉଛି ବିଶ୍ୱ ବାଣିଜ୍ୟ ସଂଗଠନର ପ୍ରତ୍ୟେକ ସଦସ୍ୟ ନିୟମ ମାନିବାକୁ ବାଧ୍ୟ। ମନଇଚ୍ଛା ରପ୍ତାନି ବା ଆମଦାନି ବନ୍ଦ କରିପାରିବେ ନାହିଁ ବା ଶୁଳ୍କ ଧାର୍ଯ୍ୟ କରିପାରିବେ ନାହିଁ। ଦ୍ୱିତୀୟତଃ ଏହାର ବିକଳ୍ପ ସ୍ୱରୂପ ପ୍ରଚାର କରାଯାଉଛି ଯେ ଲୋକମାନେ ଚୀନ ସାମଗ୍ରୀ ବର୍ଜନ କରନ୍ତୁ, କିନ୍ତୁ ପ୍ରାୟ ସମସ୍ତ ଗଣମାଧ୍ୟମରେ ଏହି ଦ୍ରବ୍ୟ ସପକ୍ଷରେ ବିଜ୍ଞାପନ ଦିଆଯାଉଛି ଏବଂ ବଡ଼ବଡ଼ ସେଲିବ୍ରିଟି ଏହାର ପ୍ରଚାର କରୁଛନ୍ତି। ବଡ଼ବଡ଼ ଲୋକ ଚୀନର ସାମଗ୍ରୀ ବ୍ୟବହାର କରୁଛନ୍ତି।

କଠୋର ସତ୍ୟ ହେଉଛି ଯେ ବିଭିନ୍ନ ସମୟରେ ଭାରତର ଶାସକମାନେ ଜଗତୀକରଣ, ଉଦାରୀକରଣ ଓ ଘରୋଇକରଣ ନିଶାରେ ଆତ୍ମନିର୍ଭରଶୀଳତାକୁ ଭୁଲିଯାଇଥିଲେ। ଚୀନ ସହିତ ଆମର ବିବାଦ ସତ୍ତ୍ବେ ଚୀନର ସାମଗ୍ରୀ ଆମ ଦେଶରେ ବ୍ୟାପକ ଭାବେ ବିକ୍ରି ହେବା, ତାହାର କମ୍ପାନୀମାନେ ଭାରତରେ ପତିଆରା ଜାହିରି କରିବାକୁ ଏମାନେ ଜାଣିଶୁଣି ପ୍ରଶ୍ରୟ ଦେଇଛନ୍ତି, ଯେହେତୁ ବିଭିନ୍ନ ଦ୍ରବ୍ୟ ସେଠାରୁ ଅତ୍ୟନ୍ତ ଶସ୍ତାରେ ଆମଦାନି ହୋଇପାରୁଥିଲା। ସବୁଠାରୁ ଆଶ୍ଚର୍ଯ୍ୟ ବିଷୟ ହେଉଛି ୨୦୧୮-୧୯ରେ ଚୀନରୁ ଖେଳନା ଆମଦାନି କରି ଆମେ ୧.୫ ବିଲିୟନ ଡଲାର ବ୍ୟୟ କରିଛୁ। ୨୦୧୮-୧୯ରେ ଚୀନ ସହିତ ମୋଟ ବାଣିଜ୍ୟ କାରବାର ୮୭. ୦୭ ବିଲିୟନ ଡଲାର ଥିଲା। ଚୀନରୁ ଭାରତ ଆମଦାନି କରିଥିବା ଦ୍ରବ୍ୟର ମୂଲ୍ୟ ୭୦.୩୧ ବିଲିୟନ ଡଲାର ହୋଇଥିଲାବେଳେ ଚୀନକୁ ଭାରତ ରପ୍ତାନି କରିଥିବା ଦ୍ରବ୍ୟର ମୂଲ୍ୟ ୧୬. ୭୫ ବିଲିୟନ ଡଲାର। ଚୀନ ଭାରତକୁ ଯେତିକି ରପ୍ତାନି କରୁଛି ତାହାର ମୋଟ ରପ୍ତାନିର ଏହା ୩%ରୁ କମ୍‍, କିନ୍ତୁ ଚୀନରୁ ଭାରତ ଅନେକ ଦ୍ରବ୍ୟ ଆମଦାନି କରୁଛି, ଯାହା ଭାରତର ବିଭିନ୍ନ ଚୂଡ଼ାନ୍ତ ଦ୍ରବ୍ୟ ପ୍ରସ୍ତୁତରେ ଆବଶ୍ୟକ ହୋଇଥାଏ। ସେଥିରୁ କିଛି ମଧ୍ୟ ରପ୍ତାନି ହୋଇଥାଏ। ଚୀନ ମଧ୍ୟ ଚାଲାକ କରି କିଛି ଦ୍ରବ୍ୟ ତା ଦେଶ ଅପେକ୍ଷା ଆମ ଦେଶରେ କମ୍‍ ମୂଲ୍ୟରେ ବିକ୍ରି କରୁଛି ଯାହାକୁ ଡମ୍ପିଂ କୁହାଯାଏ। ଚୀନ ଭାରତରେ ୬ରୁ ୮ ବିଲିୟନ ଡଲାର ପ୍ରତ୍ୟକ୍ଷ ପୁଞ୍ଜି ନିବେଶ କରିଛି। ଚୀନର ଆମଦାନି ଓ ରପ୍ତାନି ତଥା ନିବେଶ ପ୍ରକ୍ରିୟା ଯୋଗୁଁ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଯାହାର ଉଦାହରଣ ମୋବାଇଲ ଦୋକାନ। ଅନେକ ବଡ଼ବଡ଼ କମ୍ପାନୀ ମଧ୍ୟ ଚୀନରୁ ସେମାନଙ୍କ ଇନ୍‍ପୁଟ୍‍ ଆମଦାନୀ କରୁଛନ୍ତି। ଭାରତୀୟ ଅର୍ଥନୀତି ମାତ୍ର ୩ ଟ୍ରିଲିୟନ ଡଲାର ହୋଇଥିଲାବେଳେ ଚୀନର ଅର୍ଥନୀତି ଆକାର ୧୪ଦଶମିକ ୫ ଟ୍ରିଲିୟନ ପାଖାପାଖି। ଏଣୁ ହଠାତ୍‍ ଯଦି ଚୀନରୁ ଆମଦାନି ବନ୍ଦ କରାଯାଏ ବା ଚୀନ ଦ୍ରବ୍ୟ ଲୋକ କ୍ରୟ ନକରନ୍ତି କରୋନା, ବିମୁଦ୍ରାୟନ ଓ ଜିଏସ୍‍ଟି ଯୋଗୁ ବିପର୍ଯ୍ୟୟମୁଖୀ ଭାରତୀୟ ଅର୍ଥନୀତି ଆହୁରି ଧ୍ୱସ୍ତବିଧ୍ୱସ୍ତ ହେବ।

ଏଥିପାଇଁ ବାସ୍ତବବାଦୀ ହେବା ଉଚିତ। ଚୀନରୁ ଯେଉଁ ସବୁ ଦ୍ରବ୍ୟ ଆସୁଛି, ତାହାର ତାଲିକା ପ୍ରସ୍ତୁତ କରିବା ଉଚିତ। ତରବରିଆ ନହୋଇ ଗୋଟିଏ ପରେ ଗୋଟିଏ ଦ୍ରବ୍ୟରେ କିପରି ଆତ୍ମନିର୍ଭରଶୀଳ ହେବା ଏବଂ କମ୍‍ ମୂଲ୍ୟରେ ଗୁଣାତ୍ମକ ମୂଲ୍ୟକୁ ବଳି ନଦେଇ ଉତ୍ପାଦନ ହେବ ବା ଅନ୍ୟ ଦେଶରୁ ଅଣାଯାଇ ପାରିବ ତାହାର ଚେଷ୍ଟା ହେବା ଉଚିତ, ଯେପରି ଆସ୍ତେଆସ୍ତେ ଲୋକେ ଚୀନ ଦ୍ରବ୍ୟ ବଦଳରେ ସେହିସବୁ ଦ୍ରବ୍ୟ ବ୍ୟବହାର କରିବେ। ପୁନଶ୍ଚ ଅର୍ଥନୈତିକ ଓ ସାମରିକ ଦୃଷ୍ଟିରୁ ଅଧିକ ଶକ୍ତିଶାଳୀ ହେବା ଆବଶ୍ୟକ। ସେଥିପାଇଁ ଅଧିକ ସମ୍ବଳ ଆବଶ୍ୟକ। ଧନିକ ଶ୍ରେଣୀଠାରୁ ଅଧିକ ହାରରେ ଟିକସ ଆଦାୟ ନକଲେ ତାହା ଅସମ୍ଭବ।

Comments are closed.