ଘରୋଇ ଚିକିତ୍ସାଳୟ ମୁହାଁ ହିତାଧିକାରୀ

ଆଉ ୫ଦିନ ସମସ୍ୟା ଲାଗି ରହିବ: ପରିବାର କଲ୍ୟାଣ ନିର୍ଦେଶକ, ଆଜି ୪ ଜିଲାରେ ହେବ ଟିକାକରଣ

ଭୁବନେଶ୍ୱର : ରାଜ୍ୟରେ ‘କୋଭିସିଲ୍ଡ’ ଟିକାର ଅଭାବ ଯୋଗୁଁ ଏବେ ବିଭିନ୍ନ ଜିଲାରେ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଯେଉଁ ହିତାଧିକାରୀମାନଙ୍କ ପ୍ରଥମ ପାନ ଟିକା ନେବାର ୧୬ସପ୍ତାହ ବିତିଗଲାଣି ସେମାନେ ବ୍ୟତିବ୍ୟସ୍ତ ହୋଇପଡୁଛନ୍ତି। ବିଳମ୍ବରେ ଟିକା ନେଲେ ତାହା ଶରୀରର ପ୍ରତିରୋଧକ ଶକ୍ତି ବଢ଼ାଇବ କି ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାକୁ ନେଇ କେତେକ ଲୋକ ଏବେ ଘରୋଇ ହସ୍ପିଟାଲ ମୁହାଁ ହୋଇଛନ୍ତି। ଲୋକେ ସରକାରୀ ଟିକାର ଏଭଳି ବେଫିକର ପଣିଆକୁ ନେଇ ଆଉ ଭରସା କରିପାରୁ ନାହାନ୍ତି। ତେଣୁ ଟଙ୍କା ଦେଇ ଘରୋଇ ଚିିକତ୍ସାଳୟରେ ଟିକା ନେବା ପାଇଁ ବାଧ୍ୟ ବୋଲି ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ରାଜ୍ୟ ସରକାର ବିଭିନ୍ନ ପ୍ରକାର ଟିକା ପାଇଁ ନିର୍ଦିଷ୍ଟ ଦର ଧାର୍ଯ୍ୟ କରିଛନ୍ତି। ହେଲେ ଘରୋଇ ଚିକିତ୍ସାଳୟଗୁଡିକ ଟିକାର ଅଭାବକୁ ଆଖି ଆଗରେ ରଖି ଧାର୍ଯ୍ୟଦରଠାରୁ ଅଧିକ ଅର୍ଥ ଦାବି କରୁଛନ୍ତି।  ଯେହେତୁ ଟିକା ମିଳୁନାହିଁ ତେଣୁ ଭୁବନେଶ୍ବର ଓ କଟକ ଆସି ଲୋକେ ଟିକା ନେବା ବେଳକୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ଏନେଇ ରାଜ୍ୟ ପରିବାର କଲ୍ୟାଣ ନିର୍ଦେଶକ ଡା. ବିଜୟ ପାଣିଗ୍ରାହୀଙ୍କ କହିବା କଥା ହେଲା ଯେ ରାଜ୍ୟରେ ଏବେ ପ୍ରାୟ ୪୧ହଜାର ‘କୋଭିସିଲ୍ଡ’ ଟିକା ରହିଛି। ଏହାକୁ କେବଳ ପ୍ରାଥମିକତା ଭିତ୍ତିରେ କେତେକ ବର୍ଗଙ୍କୁ ଟିକାକରଣ କରିବା ପାଇଁ ରଖାଯାଇଛି। ତେଣୁ ସବୁ ଜିଲାରେ ଟିକାକରଣ କାର୍ଯ୍ୟକ୍ରମ ତ୍ବରାନ୍ବିତ ହୋଇପାରୁନାହିଁ। ଯେଉଁମାନେ ଚାହିଁବେ ଘରୋଇ ଚିକିତ୍ସାଳୟରେ ଟଙ୍କା ଦେଇ ଟିକା ନେଇପାରିବେ। ମାତ୍ର ଟିକା ପାଇଁ ଅଧିକ ଅର୍ଥ ଦାବି କରୁଥିବା ନେଇ ଯଦି କେହି ନିର୍ଦିଷ୍ଟ ଭାବେ ଅଭିଯୋଗ କରି‌େ‌ବ ତେବେ ସଂପୃକ୍ତ ଚିକିତ୍ସାଳୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେ କହିଛନ୍ତି ଯେ  ଟିକା ଆସିବା ବେଳକୁ ୧୫ତାରିଖ ହେବ, ଏହାପରେ ଯାଇ ଟିକାକରଣ କରାଯିବ। ତେବେ ଚଳିତମାସରେ ୨୮.୩୧ଲକ୍ଷ ହିତାଧିକାରୀ ଦ୍ବିତୀୟପାନ ବାବଦକୁ ଟିକା ପାଇବାକୁ ଯୋଗ୍ୟ ଥିବାବେଳେ ରାଜ୍ୟର କୋଟା ୨୫.୩୧ଲକ୍ଷ ପାନ ଟିକା ରହିଛି। ତେଣୁ ଯେମିତି ହେଲେ ୩ଲକ୍ଷ ଲୋକ ଟିକାର ସମସ୍ୟାର ସମ୍ମୁଖୀନ ହେବେ। ଏହାବାଦ୍ ଅନ୍ୟାନ୍ୟ ବର୍ଗଙ୍କୁ ଟିକାକରଣ କରିବାରେ ସମସ୍ୟା ଉପୁଜିବ। ଯଦି କେନ୍ଦ୍ର ସରକାର ରାଜ୍ୟର ପ୍ରସ୍ତାବକୁ ବିଚାର କରି ଅଧିକ ଟିକା ଯୋଗାଣ କରିବେ ତେବେ ସମସ୍ୟା ରହିବ ନାହିଁ ବୋଲି ସେ କହିଛନ୍ତି।

ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଶନିବାର ୩୨୨ଟି କେନ୍ଦ୍ରରେ ୬୦ହଜାର ୫୭ଜଣ ହିତାଧିକାରୀଙ୍କୁ ଟିକାକରଣ କରାଯାଇଛି। ଏହାକୁ ନେଇ ରାଜ୍ୟର ଟିକାକରଣ ସଂଖ୍ୟା ୧କୋଟି ୩୩ଲକ୍ଷ ୩୨ହଜାର ୬୯୫ରେ ପହଞ୍ଚିଛି। ଆଜି ୧୮ରୁ ୪୪ବର୍ଷର ୩୦ହଜାର ୬୧ ଯୁବବର୍ଗ ପ୍ରଥମ ପାନ ଟିକା ନେଇଥିବାବେଳେ ୩ହଜାର ୪୭୨ଜଣ ଦ୍ବିତୀୟପାନ ଟିକା ନେଇଛନ୍ତି। ସେହିପରି ୪୫ବର୍ଷରୁ ଊର୍ଦ୍ଧ୍ବ ବର୍ଗର ୮ହଜାର ୮୫୮ଜଣ ବରିଷ୍ଠ ନାଗରିକ ପ୍ରଥମ ପାନ ଟିକା ନେଇଥିବାବେଳେ ୧୬ହଜାର ୫୩୦ଜଣ ଦ୍ବିତୀୟପାନ ଟିକା ନେଇଛନ୍ତି। ଏହାବାଦ୍ ୬୬ଜଣ ସ୍ବାସ୍ଥ୍ୟକର୍ମୀ ପ୍ରଥମପାନ, ୭୫ଜଣ ଦ୍ବିତୀୟପାନ ଟିକା ନେଇଥିବାବେଳେ ୭୮ଜଣ କୋଭିଡ଼ ଯୋଦ୍ଧା ପ୍ରଥମ ପାନ ଏବଂ ୯୧୭ଜଣ ଦ୍ବିତୀୟପାନ ଟିକା ନେଇଛନ୍ତି। ଟିକାର ଅଭାବକୁ ନେଇ ଆସନ୍ତାକାଲି ଗଞ୍ଜାମ, ନବରଙ୍ଗପୁର, ପୁରୀ ଓ ସୁନ୍ଦରଗଡ଼ରେ ମାତ୍ର ୧୨ଟି କେନ୍ଦ୍ରରେ ଟିକାକରଣ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଯାଇଛି।

Comments are closed.