ମଣ୍ଡି ଅଭାବ : ମକା ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ

ଚାନ୍ଦିପୁଟ : ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି I ହେଲେ ଉତ୍ପାଦିତ ଫସଲର ବିକ୍ରିବଟା ଅସୁବିଧା କାରଣରୁ ଅଧି୍କାଂଶ ସମୟରେ ଚାଷୀ କ୍ଷତି ସହୁଛନ୍ତି । ଅର୍ଥକାରୀ ଫସଲ ଭାବେ ଗଜପତି ଜିଲାର ମୋହନା ଅଞ୍ଚଳରେ ମକା ଫସଲର ସ୍ବତନ୍ତ୍ର ଚାହିଦା ରହିଛି। ମକା ଚାଷ କରି ଚାଷୀ ବାରମ୍ବାର କ୍ଷତି ସହୁଥିବାରୁ ଉକ୍ତ ଚାଷରୁ ଚାଷୀ ଏବେ ମୁହଁ ଫେରାଇବାକୁ ବାଧ୍ୟ ହେଉଛନ୍ତି। ଏପରିକି କି ମକାଚାଷର ଏନ୍ତୁଡିଶାଳ କୁହାଯାଉଥି୍ବା ତିବ୍ଦତୀୟ ଶରଣାର୍ଥୀମାନେ ମଧ୍ୟ ମକା ଚାଷ କରି ଲଗାତାର କ୍ଷତି ସହୁଥିବା ଯୋଗୁ ବିକଳ୍ପ ଚାଷ କରିବାକୁ ମନ ବଳାଇଛନ୍ତି।
ଗଜପତି ଜିଲା ଚନ୍ଦ୍ରଗିରି ଅଞ୍ଚଳର ୫ଟି କ୍ୟାମ୍ପରେ ତିବ୍ଦତୀୟ ଶରଣାର୍ଥୀମାନେ ବସବାସ କରିଆସୁଛନ୍ତି । ଏମାନଙ୍କ ଜୀବିକା ନିର୍ବାହ ପାଇଁ ସରକାର ପ୍ରତି ପରିବାରକୁ ୫ ଏକର ଚାଷ ଜମି ଲିଜ ଆକାରରେ ଦେଇଛନ୍ତି। ପାରମ୍ପରିକ ଚାଷ ଭାବେ ମୁଖ୍ୟତଃ ମକା ଚାଷ କରିଆସୁଛନ୍ତି। ଏଥିପାଇଁ ତିବ୍ଦତୀୟ ବହୁମୁଖୀ ସମବାୟ ସମିତି ଜରିଆରେ ଋଣ ନେଇ ମକା ଚାଷ କରିବା ସହ ଉତ୍ପାଦିତ ମକାକୁ ବିକ୍ରି କରିଆସୁଛନ୍ତି I ୧୯୬୩ ମସିହାରେ ସ୍ବିଜରଲାଣ୍ଡ ଦେଶର ସ୍ବିଚ୍ଚ ଟେକନିକାଲ କୋ-ଅପରେଟିଭ ସଂସ୍ଥାର ଦୁଇଜଣ ବ୍ୟକ୍ତି ଚନ୍ଦ୍ରଗିରି ପରିଦର୍ଶନରେ ଆସି ସର୍ବ ପ୍ରଥମେ ମକା ଚାଷ ଉପରେ ତିବ୍ଦତୀୟଙ୍କୁ ତାଲିମ ଦେଇଥିଲେ। ଏଥିପାଇଁ ଆବଶ୍ୟକୀୟ ଟ୍ରାକ୍ଟର ସହ କୃଷି ଯନ୍ତ୍ରପାତି ମଧ୍ୟ ଯୋଗାଇଥିଲେ I ଏହାପରେ ଜିଲାରେ ପ୍ରଥମ କରି ତିବ୍ଦତୀୟମାନେ ମକା ଚାଷ ଆରମ୍ଭ କରିବା ପରେ ଆଖପାଖ ଅଞ୍ଚଳବାସୀ ମଧ୍ୟ ଆଗ୍ରହ ପ୍ରକାଶ କରି ପ୍ରତି ବର୍ଷ ହେକ୍ଟର ହେକ୍ଟର ଚାଷଜମିରେ ମକା ଚାଷ କରିଆସୁଛନ୍ତି I
ଆଦିବାସୀ ଅଧ୍ୟୁଷିତ ପାହାଡ ପର୍ବତ ଘେରା ଗଜପତି ଜିଲାରେ ବହୁ ପୁରାତନ କାଳରୁ ପାରମ୍ପରିକ ଚାଷ ଭାବେ ଧାନ , ଜହ୍ନା, ମାଣ୍ଡିଆ, ସୋରିଷ, ତିଳା, କାନ୍ଦୁଲ ଆଦି ଚାଷ କରାଯାଉଥିଲା । ହେଲେ କ୍ରମଶଃ ତାହା ଲୋପ ପାଇବା ସହ ପାହାଡିଆ ଜମିରେ ମଧ୍ୟ ମକା ଚାଷ କରାଯାଉଛି I କିନ୍ତୁ ଗତ କିଛିବର୍ଷ ହେଲା ଲଗାତାର ଭାବେ ଲଗାଣ ବର୍ଷା , ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ମକା ଚାଷ କ୍ଷତିଗ୍ରସ୍ତ ହୋଇଛି। ରାସାୟନିକ ସାର ପ୍ରୟୋଗ ଯୋଗୁ ଜମିର ଉର୍ବରତା ନଷ୍ଟ ହେବାରେ ଲାଗିବା ସହ ମକା ଉତ୍ପାହନ ମଧ୍ୟ କମିବାରେ ଲାଗିଛି। ମକା ଦର ମଧ୍ୟ ପ୍ରତି ବର୍ଷ କମିବାରେ ଲାଗିଛି। ମକା କିଣିବା ପାଇଁ ସରକାରଙ୍କ ତରଫରୁ କୌଣସି ମଣ୍ଡିର ସୁବିଧା ନଥିବାରୁ ସାହୁକାରକୁ କମ ଦାମରେ ବିକ୍ରି କରି ଅଭାବ ବିକ୍ରିର ଶିକାର ହେଉଛନ୍ତି ଚାଷୀ I ଫଳରେ ମକା ଚାଷରେ କ୍ଷତି ହେଉଥିବାରୁ ମକା ଚାଷ ରୁ ଓହରି ଯିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ମକାଚାଷୀ ମିଥୁନ କାର୍ଜୀ। ୨୦୧୮-୧୯ ମସିହାରେ ତିବ୍ଦତୀୟ ବହୁମୁଖୀ ସମବାୟ ସମିତି ଜରିଆରେ ଚନ୍ଦ୍ରଗିରିରେ ୨୦୧୮-୧୯ ମସିହାରେ ୬୪୦ ହେକ୍ଟର ଜମିରେ ମକା ଚାଷ ହୋଇଥିଲା। ମୋଟ ୧୧ହଜାର ୩୧୮ କ୍ବିଣ୍ଟାଲ ମକା ସେହିବର୍ଷ ଉତ୍ପାଦିତ ହୋଇଥିଲା। ସେହିପରି ୨୦୧୯-୨୦ ମସିହାରେ ୬୪୦ ହେକ୍ଟରରେ ଚାଷ କରାଯାଇ ୧୮,୫୭୯ କ୍ବିଣ୍ଟାଲ ମକା ଆଦାୟ କରାଯାଇଥିଲା। ସେହିବର୍ଷ କିନ୍ତୁ କ୍ବିଣ୍ଟାଲ ପିଛା ଦର ରହିଥିଲା ୧୧୦୫ ଟଙ୍କା। ଏହା ଦ୍ବାରା ଚାଷୀ କ୍ଷତି ସହିଥିଲେ। ୨୦୨୦-୨୧ ମସିହାରେ ସେହି ଏକା ପରିମାଣର ଜମିରେ ଚାଷ କରାଯାଇ ମୋଟ ୧୧,୨୫୬ କ୍ବିଣ୍ଟାଲ ମକା ଆଦାୟ କରାଯାଇଥିବା ବେଳେ ଦର କ୍ବିଣ୍ଟାଲ ପିଛା ରହିଥିଲା ୯୫୦ରୁ ୧୦୫୦ ଟଙ୍କା। ସେହିପରି ମୋହନା ବ୍ଲକର ବିଭିନ୍ନ ସ୍ଥାନରେ ୨୦୧୮-୧୯ ମସିହାରେ ୩୭୫୦ ହେକ୍ଟର ଜମିରେ ମକାଚାଷ କରାଯାଇଥିବା ବେଳେ ୨୦୧୯-୨୦ରେ ୪୩୦୦ ଏବଂ ୨୦୨୦-୨୧ରେ ୪୬୦୦ ହେକ୍ଟର ଜମିରେ ଚାଷ ହୋଇଥିଲା। ଚାଷୀର ଉତ୍ପାଦିତ ଫସଲର ସଠିକ ମୂଲ୍ୟ ପାଇବା ପାଇଁ ସରକାର ବିଭିନ୍ନ ସ୍ଥାନରେ ମଣ୍ଡିର ସୁବିଧା କରି ଆସୁଛନ୍ତି। ହେଲେ ଗଜପତି ଜିଲା ମକା ଚାଷୀ ଙ୍କ ପାଇଁ କୌଣସି ମଣ୍ଡିର ସୁବିଧା ନାହିଁ। ଫଳରେ ପ୍ରତିବର୍ଷ ମକାକୁ ଶାଗମାଛ ଦରରେ ବେପାରୀକୁ ଚାଷୀ ବିକି କ୍ଷତି ସହୁଛନ୍ତି।

Comments are closed.