ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ସାଧାରଣ ନାଗରିକ ମୃତ, ରାସ୍ତାକୁ ଓହ୍ଲାଇଲେ ଲୋକେ

ଶ୍ରୀନଗର: ଶୋପିଆଁ ଜିଲାର ତୁର୍କୱାଗାମ ଅଞ୍ଚଳରେ ରବିବାର ପୁଲିସ ଓ ସୁରକ୍ଷାବଳଙ୍କ ମିଳିତ ଟିମ୍‌ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି।

ମିଳିଥିବା ସୂଚନା ମୁତାବକ, ଶୋପିଆଁର ତୁର୍କୱାଗାମକୁ ପୁଲୱାମା ସହ ସଂଯୋଗ କରୁଥିବା ପୋଲ ନିକଟରେ ଆତଙ୍କବାଦୀମାନେ ସିଆରପିଏଫର ପାଟ୍ରୋଲିଂ ଦଳ ଉପରକୁ ଗୁଳି ଚାଳନା କରିଥିଲେ। ଗୁଳି ଚାଳନା ସମୟରେ ଜଣେ ସାଧାରଣ ନାଗରିକ ଆହତ ହୋଇଥିଲେ। ଏହାପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ତୁର୍କୱାଗାମ ଅଞ୍ଚଳର ଶୋଏବ ଗନୀ ବୋଲି ଜଣାପଡ଼ିଛି। ଗୁଳି ବିନିମୟ ସମୟରେ ଆତଙ୍କବାଦୀମାନେ ନିକଟସ୍ଥ ଉଦ୍ୟାନକୁ ପଳାଇଥିଲେ। ସୁରକ୍ଷାବଳ ଟିମ୍‌ ତଲାସୀ ଅଭିଯାନ ଚଳାଇଛି।

ଅପରପକ୍ଷେ ସାଧାରଣ ନାଗରିକଙ୍କ ମୃତ୍ୟୁ ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ନାରାବାଜି କରି ରାସ୍ତାରେ ଏକାଠି ହୋଇ ପ୍ରଦର୍ଶନ କରିଛନ୍ତି। ଘଟଣାସ୍ଥଳରେ ସୁରକ୍ଷା ବଳ ଓ ପୁଲିସ ଟିମ୍‌ ଲୋକଙ୍କୁ ବୁଝାସୁଜା କରୁଛନ୍ତି।

 

Comments are closed.