ସୁଟିଂରେ ହିନାଙ୍କୁ ବ୍ରୋଞ୍ଜ୍‍

0

ପାଲେମବାଙ୍ଗ୍‍ : ଚଳିତ ଏସୀୟ କ୍ରୀଡ଼ାର ମହିଳା ୧୦ ମିଟର ଏୟାର ପିସ୍ତଲ୍‍ ବିଭାଗରେ ବ୍ରୋଞ୍ଜ୍‍ ପଦକ ଜିତିଛନ୍ତି ହିନା ସିଧୁ। ଅନ୍ୟପକ୍ଷରେ ୧୬ ବର୍ଷୀୟା ସୁଟର୍‍ ମାନୁ ଭାକେର ନୈରାଶ୍ୟଜନକ ପ୍ରଦର୍ଶନ କରି ୫ମ ସ୍ଥାନରେ ରହିଥିଲେ।
ଯୋଗ୍ୟତା ହାସଲ ପର୍ଯ୍ୟାୟରେ ହିନା ୫୭୧ ପଏଣ୍ଟ ହାସଲ କରି ୭ମ ଓ ମାନୁ ୫୭୪ ପଏଣ୍ଟ ହାସଲ କରି ଫାଇନାଲରେ ପ୍ରବେଶ କରିଥିଲେ। ଫାଇନାଲ ରାଉଣ୍ଡରେ ହିନା ଭଲ ପ୍ରଦର୍ଶନ କରିଥିବା ବେଳେ ମାନୁ ଆଶାନୁରୂପକ ପ୍ରଦର୍ଶନ କରି ପାରିନଥିଲେ। ହିନା ଫାଇନାଲ ପର୍ଯ୍ୟାୟରେ ମୂଳରୁ ପଛୁଆ ରହିଥିଲେ ମଧ୍ୟ ଶେଷ ବେଳକୁ ଚମତ୍କାର ପ୍ରଦର୍ଶନ କରିଥିଲେ। ୨୧ତମ ସଟ୍‍ରେ ହିନା ୧୦.୮ ପଏଣ୍ଟ ହାସଲ କରିଥିବା ବେଳେ ପରବର୍ତ୍ତୀ ସଟ୍‍ରେ ୯.୬ ପଏଣ୍ଟ ହାସଲ କରିଥିଲେ। ମୋଟ୍‍ ୨୧୯.୨ ପଏଣ୍ଟ ହାସଲ କରି ହିନା ବ୍ରୋଞ୍ଜ୍‍ ପଦକ ଜିତିବାକୁ ସକ୍ଷମ ହୋଇଥିଲେ। ପ୍ରଥମ ସିରିଜ୍‍ର ୫ଟି ସଟ୍‍ ଶେଷ ବେଳକୁ ହିନା ୫ମ ଓ ମାନୁ ୬ଷ୍ଠ ସ୍ଥାନରେ ରହିଥିଲେ। ୧୪ତମ ଶେଷ ବେଳକୁ ହିନା ପଦକ ଦୌଡ଼ରେ ସାମିଲ ହୋଇଥିବା ବେଳେ ମାନୁ ବାଦ୍‍ ପଡ଼ି ସାରିଥିଲେ। ଚୀନ୍‍ର ୱାଙ୍ଗ୍‍ କୁଆନ୍‍ ୨୪୦.୩ ପଏଣ୍ଟ ହାସଲ କରି ସ୍ୱର୍ଣ୍ଣ ପଦକ ଓ ଦକ୍ଷିଣ କୋରିଆର କିମ୍‍ ମିନ୍‍ଜୁଙ୍ଗ୍‍ ୨୩୭.୬ ପଏଣ୍ଟ ହାସଲ କରି ରୌପ୍ୟ ପଦକ ଜିତିଥିଲେ।

Leave A Reply