କାର୍ଯ୍ୟାଳୟରେ କର୍ମଚାରୀଙ୍କ ଆଖିବୁଜା ଗୁଳିମାଡ଼, ୧୨ ସହକର୍ମୀଙ୍କୁ ହତ୍ୟା

ୱାଶିଂଟନ: ଆମେରିକାର ଭର୍ଜିନିଆ ବିଚ୍‌ସ୍ଥିତ ଏକ ସରକାରୀ କାର୍ଯ୍ୟାଳୟରେ ଜଣେ କର୍ମଚାରୀ ଆଖିବୁଜା ଗୁଳିମାଡ଼ କରି ୧୨ ସହକର୍ମୀଙ୍କୁ ହତ୍ୟା କରିଛନ୍ତି। ଗୁଳିମାଡ଼ରେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ପୁଲିସ କର୍ମଚାରୀ ରହିଛନ୍ତି। ପୁଲିସ ଗୁଳିରେ ସମ୍ପୃକ୍ତ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ଅପରାହ୍ନରେ ଭର୍ଜିନିଆ ମ୍ୟୁନିସିପାଲ ସେଣ୍ଟରରେ ଏହି ଘଟଣା ଘଟିଥିବାବେଳେ ଏହା ୨୦୧୮ ନଭେମ୍ବେରରେ ଲସ ଏଞ୍ଜେଲ୍ସରେ ଘଟିଥିବା ଗୁଳିକାଣ୍ଡ ଭଳି ଅତ୍ୟନ୍ତ ଭୟଙ୍କର ବୋଲି କୁହାଯାଇଛି।

ଭର୍ଜିନିଆ ବିଚ୍‌ ପୁଲିସ ମୁଖ୍ୟ ଜେମ୍ସ ସର୍ଭେରା କହିଛନ୍ତି, କର୍ମଚାରୀ ଜଣକ ଏକ .୪୫ କ୍ୟାଲିବର ପିସ୍ତଲରେ ଶବ୍ଦ ନିରୋଧୀ ଡିଭାଇସ ଲଗାଇ ଏହି ଆକ୍ରମଣ କରିଥିଲେ। ଗୁଳିମାଡ଼ ସମୟରେ କର୍ମଚାରୀଙ୍କ ଭୟରେ ଭୟର ବାତାବରଣ ଖେଳିଯାଇଥିଲା। ସେମାନେ ଅଫିସ ଭିତରେ ଲୁଚିବାକୁ ପ୍ରୟାସ କରିଥିଲେ। କିନ୍ତୁ ଗୁଳିମାଡ଼ରେ ୧୨ ଜଣଙ୍କ ଜୀବନ ଚାଲିଯାଇଥିଲା। ହତ୍ୟାକାରୀ ଜଣକ ସାଧାରଣ ବିନିଯୋଗ ବିଭାଗର କର୍ମଚାରୀ ଥିଲେ। ସେ କିଛି ଦିନ ହେବ କାର୍ଯ୍ୟକୁ ନେଇ ଅସନ୍ତୁଷ୍ଟ ଥିବା ସୂଚନା ମିଳିଛି। ଶୁକ୍ରବାର ଅପରାହ୍ନରେ ସେ ଅଫିସରେ କାର୍ଯ୍ୟ କରୁଥିବାବେଳେ ହଠାତ ବନ୍ଧୁକ ବାହାର କରି ଗୁଳି ଚଳାଇଥିଲେ। ଖବର ପାଇ ପୁଲିସ ସେଠାରେ ପହଞ୍ଚିଥିଲା। ପୁଲିସ ସହିତ ମଧ୍ୟ ତାଙ୍କର ଅନେକ ସମୟ ପର୍ଯ୍ୟନ୍ତ ଗୁଳିବିନିମୟ ଚାଲିଥିଲା। ଶେଷରେ ପୁଲିସ ଗୁଳିରେ ସେ ଟଳିପଡ଼ିଥିଲେ। ହତ୍ୟକାରୀ ଗୁଳିରେ ଜଣେ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ତେବେ ସେ ବୁଲେଟ ପ୍ରୁଫ୍‌ ଜ୍ୟାକେଟ ପିନ୍ଧିଥିବାରୁ ତାଙ୍କ ଜୀବନ ରକ୍ଷା ପାଇଯାଇଥିଲା।

Comments are closed.