କୋଭିଡ ପଜିଟିଭ ଜାଣି ଚମକି ଯାଇ ବିଦ୍ୟୁତ ଖୁଣ୍ଟରେ କାର ପିଟିଲେ ମହିଳା

କୋଲାମ : କରୋନାର ଭୟ ସଭିଁଙ୍କ ମନରେ ରହିଛି। ମାତ୍ର ନିଜେ କରୋନା ପଜିଟିଭ ଖବର ଶୁଣିବା ପରେ ଜଣେ ମହିଳା ବିଦ୍ୟୁତ ଖୁଣ୍ଟରେ କାରକୁ ପିଟି ଦୁର୍ଘଟଣାର ଶିକାର ହୋଇଛନ୍ତି। ଏଭଳି ଘଟଣା କେରଳର କୋଲାମ ଜିଲାର କଡାକାଲରେ ଘଟିଛି। ଉକ୍ତ ମହିଳାଙ୍କ ବୟସ ୪୦ ବର୍ଷ ହେବ ବୋଲି ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ମହିଳା ଜଣଙ୍କ କୋଲାମ ଅଞ୍ଚଳରେ ଥିବା ଏକ କୋଭିଡ ଲାବରେଟୋରୀରୁ ଫେରିବା ବେଳେ ଦୁର୍ଘଟଣା ଘଟିଥିଲା। ମହିଳା ଜଣଙ୍କ ରାସ୍ତାରେ କାର ଚଳାଇ ଯାଉଥିବା ସମୟରେ ସେ କୋଭିଡ ପଜିଟିଭ ବୋଲି ଜାଣିବା ପରେ ଚମକି କାର ଉପରୁ ନିୟନ୍ତ୍ରଣ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିଲେ। ଘଟଣାଟି ସୋମବାରର। ଦୁର୍ଘଟଣାରେ କାର ସମ୍ପୂର୍ଣ୍ଣ ଓଲଟି କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ମହିଳାଙ୍କ ମୁଣ୍ଡରେ ଆଘାତ ଲାଗିଛି ,ଅଧିକ କ୍ଷତି ହୋଇ ନାହିଁ। ଘଟଣା ବିଷୟରେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ମଧ୍ୟ ଅନେକ ସମୟ ପର୍ଯ୍ୟନ୍ତ କୌଣସି ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ନଥିଲେ। କିଛି ସମୟ ପରେ ଏକ ଦମକଳ ଗାଡି ପହଞ୍ଚି ମହିଳାଙ୍କୁ ପିପିଇ କିଟ୍‍ ପିନ୍ଧିବାକୁ ଦେବା ସହ ଦମକଳ ଗାଡିରେ ତାଙ୍କ ନେବାକୁ ଅନୁମତି ନାହିଁ ବୋଲି ଜଣାଇଥିଲେ। ଅନେକ ସମୟ ପରେ ମହିଳାଙ୍କ ସମ୍ପର୍କୀୟ ପହଞ୍ଚି ତାଙ୍କୁ ସେଠାରୁ ଆଣିଥିଲେ। ମହିଳାଙ୍କ ୧୧ ଓ ୮ ବର୍ଷର ପିଲାଙ୍କୁ ସମ୍ପର୍କୀୟଙ୍କ ଘରେ ଛାଡିଥିବାରୁ ସେମାନେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି।

 

Comments are closed.