ଆଇସିସିକୁ ଅଖତର୍‌ଙ୍କ ସମାଲୋଚନା

କରାଚି : ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)କୁ ସମାଲୋଚନା କରିଛନ୍ତି ପାକିସ୍ତାନ କ୍ରିକେଟ୍‌ ଦଳର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର୍‌। ଆଇସିସି ପକ୍ଷପାତିତା କରୁଥିବା ସୋଏବ ଅଭିଯୋଗ କରିଛନ୍ତି।
ସୂଚନାଥାଉକି କିଛିଦିନ ତଳେ ଅଖତର୍ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ବାର୍ତ୍ତା ଦେଇ ବର୍ତ୍ତମାନ ମଧ୍ୟ ସେ ଅଷ୍ଟ୍ରେଲିଆର ତାରକା ବ୍ୟାଟସମ୍ୟାନ୍‌ ଷ୍ଟିଭେନ୍‌ ସ୍ମିଥ୍‌ଙ୍କୁ ଆଉଟ୍ କରିବା ପାଇଁ ଦକ୍ଷ ବୋଲି ମତ ଦେଇଥିଲେ। ଅଖତର୍‌ଙ୍କ ଭିଡିଓ ଭାଇରାଲ୍‌ ହେବା ପରେ ଆଇସିସି ତରଫରୁ ଏକ ଭିଡିଓ ପୋଷ୍ଟ କରାଯାଇଥିଲା। ଏହି ଭିଡିଓରେ ଜଣେ ମହାନ୍‌ ବାସ୍କେଟବଲ୍ ଖେଳାଳି ସୋଏବ ଅଖତରଙ୍କ କଥା ଶୁଣି ହସୁଥିବା ଦେଖିବାକୁ ମିଳିଛି। ଆଇସିସି ତରଫରୁ ଜାରି ଏହି ଭିଡିଓକୁ ନେଇ ଆପତ୍ତି ଉଠାଇଛନ୍ତି ଅଖତର୍‌। ସେ ଯେଉଁ ମନ୍ତବ୍ୟ ଦେଇଥିଲେ ତାହା ଏକ ତୁଳନାତ୍ମକ ଥିବା ବେଳେ ଆଇସିସି ଏହାକୁ ହାଲୁକା ଭାବେ ଗ୍ରହଣ ନ କରି ତାଙ୍କ ପ୍ରତି ବ୍ୟଙ୍ଗୋକ୍ତି କରିବା ଅନୁଚିତ୍‌ ବୋଲି ଅଖତର୍‌ ଦର୍ଶାଇଛନ୍ତି। ଆଇସିିସିର ଏପରି ମନୋଭାବ ପକ୍ଷପାତିତାର ପରିଚୟ​‌ ଦେଉଛି ବୋଲି ଅଖତର୍‌ ଅଭିଯୋଗ କରିଛନ୍ତି।
ପାକିସ୍ତାନ ତରଫରୁ ଅଖତର୍‌ ୪୬ଟି ଟେଷ୍ଟ, ୧୬୩ଟି ଦିନିକିଆ ଓ ୧୫ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳି ଯଥାକ୍ରମେ ୧୭୮, ୨୪୭ ଓ ୧୯ଟି ୱିକେଟ୍‌ ହାସଲ କରିଛନ୍ତି।

Comments are closed.