ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପିଏସ୍‌ଏଲ୍‌ : ଅଖତର୍‌

କରାଚି : ପାକିସ୍ତାନ କ୍ରିକେଟ୍‌ ଆସୋସିଏସନ୍‌ ତରଫରୁ ଆୟୋଜିତ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) କ୍ରିକେଟ୍‌ ଲିଗ୍‌ ଘୋର ଗୁରୁତର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର୍‌। ଏକ ଗଣମାଧ୍ୟମକୁ ସୂଚନା ଦେଇ ଅଖତର୍‌ କହିଛନ୍ତି ପିଏସ୍‌ଏଲ୍‌ ଘୋର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ବେଳେ କେତେକ ଫ୍ରାଞ୍ଚାଇଜ୍‌ ମାଲିକମାନେ ନିଜ ନିଜର ଦଳ ବିକ୍ରି କରିବାକୁ ଯୋଜନା କରୁଛନ୍ତି। ଆସନ୍ତା ୧୬ରୁ ୧୮ ମାସ ପର୍ଯ୍ୟନ୍ତ ପିଏସ୍‌ଏଲ୍‌ ଆୟୋଜିତ ହେବାର ସମ୍ଭାବନା ନାହିଁ। ତେଣୁ ବିଭିନ୍ନ ଫ୍ରାଞ୍ଚାଇଜ୍‌ ମାଲିକମା​‌େ​‌ନ ନିଜ ଦଳ ବିକ୍ରି କରିବାକୁ ଚାହୁଁଛନ୍ତି। ପିଏସ୍‌ଏଲ୍‌ର ଭବିଷ୍ୟତ ସୁରକ୍ଷିତ ରଖିବାକୁ ହେଲେ ପାକିସ୍ତାନ କ୍ରିକେଟ୍ ବୋର୍ଡ ତରଫରୁ ବିଭିନ୍ନ ଫ୍ରାଞ୍ଚାଇଜ୍‌କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ଉଚିତ୍‌। କରୋନା ଭୂତାଣୁ ସଂକ୍ରମଣଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ବସ୍ତରରେ କ୍ରିକେଟ୍‌ ଖେଳାଯାଉନଥିବାରୁ ପାକିସ୍ତାନରେ ମଧ୍ୟ ସମାନ ସ୍ଥିତି ରହିଛି। ପିଏସ୍‌ଏଲ୍‌ର ଚଳିତ ସଂସ୍କରଣର ଶେଷ ପର୍ଯ୍ୟାୟ ଖେଳାଯିବାକୁ ବାକି ରହିଛି। ତେବେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ୧୬ରୁ ୧୮ ମାସ ପର୍ଯ୍ୟନ୍ତ ପିଏସ୍‌ଏଲ୍‌ ଆୟୋଜିତ ହେବା ସମ୍ଭବପର ନୁହେଁ। ତେଣୁ ବିଭିନ୍ନ ଫ୍ରାଞ୍ଚାଇଜ୍‌ ବ୍ୟାପକ କ୍ଷତି ସହିବା ଆଶଙ୍କା ରହିଛି। ପିଏସ୍‌ଏଲ୍‌ ଆୟୋଜିତ ହେଲେ ମଧ୍ୟ ଏଥିରେ ବିଦେଶୀ କ୍ରିକେଟର୍‌ ଭାଗ ନେବାକୁ ଅନିଚ୍ଛା ପ୍ରକାଶ କରିପାରନ୍ତି ବୋଲି ଅଖତର୍‌ କହିଛନ୍ତି।
ଅନ୍ୟପକ୍ଷରେ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌କୁ ସ୍ଥଗିତ ରଖି ଆଇପିଏଲ୍‌ ଆୟୋଜନ ପାଇଁ ବିସିସିଆଇ ଉଦ୍ୟମ କରୁଥିବା ଖବରକୁ ଅଖତର୍‌ ଅସତ୍ୟ ବୋଲି ଦର୍ଶାଇଛନ୍ତି। ଟ୍ବେଣ୍ଟି୨୦ ବିଶ୍ବକପ୍‌ ସ୍ଥଗିତ ରଖାଯିବ କି ନାହିଁ ସେ ନିଷ୍ପତ୍ତି ଅଷ୍ଟ୍ରେଲିଆ ସରକାର ନେବେ ଏଥିରେ ବିସିସିଆଇର କୌଣସି ଭୂମିକା ନାହିଁ ବୋଲି ଅଖତର୍‌ ସ୍ପଷ୍ଟ କରି ଦେଇଛନ୍ତି।

Comments are closed.