ପୁଅକୁ କ୍ରିକେଟର କରିବା ପାଇଁ ସର୍ବସ୍ବ ହରାଇଥିଲେ ବାପା, ଏବେ ଟିମ୍‌ ଇଣ୍ଡିଆରେ ସ୍ଥାନ ମିଳିଲା

ମୁମ୍ବଇ: ପିଲାଙ୍କ ପ୍ରତି ଜଣେ ବାପାର ଭଲପାଇବା ତାଙ୍କ ଜୀବନର ସଂଘର୍ଷରୁ ହିଁ ଜଣାପଡ଼ିଥାଏ। ଏପରି ଜଣେ ବାପା ହେଉଛନ୍ତି ରାଜେଶ ଦୁବେ। ତାଙ୍କ ବଳିଦାନର ମୂଲ୍ୟ ଆଜି ତାଙ୍କୁ ମିଳିଛି। ତାଙ୍କ ଛାତି ସେତେବେଳେ ଚଉଡ଼ା ହୋଇଗଲା, ଯେତେବେଳେ ପୁଅ ଶିବମଙ୍କୁ ଟିମ୍‌ ଇଣ୍ଡିଆରେ ସ୍ଥାନ ମିଳିବାର ଖବର ତାଙ୍କୁ ମିଳିଲା।

ଦିନେ ପୁଅକୁ କ୍ରିକେଟର ବନାଇବାର ନିଶା ରାଜେଶଙ୍କୁ ଦାରିଦ୍ର୍ୟ ଭିତରକୁ ଠେଲି ଦେଇଥିଲା। ପୁଅ ପାଇଁ ସେ ସର୍ବସ୍ବ ହରାଇଥିଲେ। ନିଜର ଜିନ୍ସ ବ୍ୟବସାୟକୁ ମଧ୍ୟ ବିକ୍ରି କରିଦେଇଥିଲେ। ଆର୍ଥିକ ସଙ୍କଟ ସତ୍ବେ ରାଜେଶ କେବେ ହାର ମାନି ନ ଥିଲେ କି ଶିବମ ନିଜ ସାଧନାରେ ପଛକୁ ହଟି ନ ଥିଲେ। ଶେଷରେ ତାଙ୍କୁ ଆଜି ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ ପାଇଁ ଟିମ୍‌ ଇଣ୍ଡିଆରେ ସ୍ଥାନ ମିଳିଛି। ଶିବମ ଏବଂ ତାଙ୍କ ବାପାଙ୍କ ସ୍ବପ୍ନ ସାକାର ହୋଇଛି।

ଶିବମଙ୍କୁ ଯେତେବେଳେ ୪ବର୍ଷ ହୋଇଥିଲା ସେତେବେଳେ ଘରେ କାମ କରୁଥିବା ଜଣେ ବ୍ୟକ୍ତି ତାଙ୍କ ପ୍ରତିଭାକୁ ଚିହ୍ନି ପାରିଥିଲେ। ବାପା ରାଜେଶ ବି ଯେତେବେଳେ ତାଙ୍କ ଖେଳ ଦେଖିଲେ ସେ ବି ବୁଝିଗଲେ ଯେ ତାଙ୍କ ପୁଅ କେବଳ କ୍ରିକେଟର ବନିବା ପାଇଁ ଜନ୍ମ ହୋଇଛି। ରାଜେଶଙ୍କ ସ୍ବପ୍ନକୁ ବି ଶିବମ ନିଜ ଜୀବନର ଲକ୍ଷ୍ୟ ବୋଲି ଧରିନେଇଥିଲେ। ଛୋଟ ଥିବା ସମୟରେ ଘରେ ତିଆରି ହେଲା କ୍ରିକେଟ ଗ୍ରାଉଣ୍ଡ। ସକାଳେ ଏବଂ ସନ୍ଧ୍ୟାରେ ଘଣ୍ଟା ଘଣ୍ଟା ଅଭ୍ୟାସ ଆରମ୍ଭ ହେଲା। ଶିବମଙ୍କୁ ପ୍ରଶିକ୍ଷଣ ଦେବା ଦାୟିତ୍ଵ ନିଜେ ରାଜେଶ ନେଲେ। ପୁଅ ପାଇଁ ସ୍ବତନ୍ତ୍ର ଡାଏଟ ପ୍ରସ୍ତୁତ କଲେ। ପଡ଼ିଆରେ ତାଙ୍କୁ ଦୌଡ଼ିବା ଶିଖାଇଲେ। ପ୍ରତିଦିନ ଶିବମଙ୍କୁ ସେ ୫୦୦ ବଲ୍‌ ପକାନ୍ତି ଏବଂ ଶିବମ ବ୍ୟାଟିଂ କରନ୍ତି। ୧୦ ବର୍ଷ ଧରି ଏପରି ଚାଲିଲା। ୧୦ମ ପାସ କରିବା ପରେ ଶିବମ କ୍ରିକେଟକୁ ନିଜର ସବୁକିଛି ମାନିନେଇଥିଲେ। ୧୪ ବର୍ଷ ବୟସରେ ସେ ଚନ୍ଦ୍ରକାନ୍ତ ପଣ୍ଡିତଙ୍କଠାରୁ କୋଚିଂ ନେବା ଆରମ୍ଭ କରିଥିଲେ। ମୁମ୍ବଇରେ ରହୁଥିବା ଶିବମଙ୍କ ଘର ଉତ୍ତରପ୍ରଦେଶରେ। ଶିବମ କୁହନ୍ତି ବାପା ତାଙ୍କୁ ସଫଳ କରିବା ଲାଗି ସବୁକିଛି ତ୍ୟାଗ କରିଦେଇଛନ୍ତି। ଦିନରାତି ଏକ କରିଦେଇଛନ୍ତି।

କ୍ରମଶଃ ଶିବମଙ୍କୁ ଭାରତୀୟ ‘ଏ’ ଦଳରେ ସ୍ଥାନ ମିଳିଥିଲା। ନିକଟରେ ତାଙ୍କ ଖେଳର କରିସ୍ମା ଚର୍ଚ୍ଚାକୁ ଆସିଥିଲା। ଦକ୍ଷିଣ ଆଫ୍ରିକା ‘ଏ’ ଟିମ୍‌ ବିରୋଧରେ ଭାରତର ‘ଏ’ ଟିମରେ ସାମିଲ ହୋଇଥିବା ଶିବମଙ୍କ ପ୍ରଦର୍ଶନ ଦର୍ଶକ ଏବଂ ଟିମ୍‌ ଇଣ୍ଡିଆର ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।  ଏହା ପୂର୍ବରୁ ରଣଜୀ ଟ୍ରଫିରେ ସେ ବଡୋଦରାର ସ୍ବପ୍ନିଲ ସିଂହଙ୍କ ଗୋଟିଏ ଓଭରରେ ଲଗାତର ୫ଟି ବିଶାଳ ଛକା ମାରି ଚର୍ଚ୍ଚାକୁ ଆସିଥିଲେ। ତାଙ୍କର ଏହି ପ୍ରଦର୍ଶନ ତାଙ୍କୁ ଆଇପିଏଲରେ ସ୍ଥାନ ଦେଇଥିଲା। ବିରାଟ କୋହଲିଙ୍କ ନେତୃତ୍ଵାଧୀନ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଶିବମଙ୍କୁ ୫କୋଟି ଟଙ୍କାରେ କିଣିଥିଲା। ପୂର୍ବ ସିଜନରେ ଶିବମ ବିଜୟ ହଜାରେ ଟ୍ରଫିରେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ଏହି ଅବସରରେ​‌ ସେ ଏକ ଶତକ ବି ମାରିଥିଲେ। ତାଙ୍କ ଏଭଳି ପ୍ରଦର୍ଶନ ଆଜି ତାଙ୍କୁ ଟିମ୍‌ ଇଣ୍ଡିଆରେ ସ୍ଥାନ ଦେଇଛି। କୁହାଯାଉଛି ସେ ଭାରତର ପୂର୍ବତମ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଯୁବରାଜ ସିଂହଙ୍କ ସ୍ଥାନ ନେଇପାରିବେ।

Comments are closed.