ବିଜେପିକୁ ଶିବସେନାର ଚେତାବନୀ; ଅତି ଉତ୍ତେଜିତ ହୁଅନାହିଁ, ନଚେତ୍‌ ଶେଷ ହୋଇଯିବ

ମୁମ୍ବଇ: ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନରେ ହୋଇଥିବା ନିର୍ବାଚନର ଫଳାଫଳ ବାହାରି ସାରିଛି। ୨୦୧୪ ବିଧାନସଭା ନିର୍ବାଚନ ତୁଳନାରେ ବିଜେପିକୁ କମ୍‌ ଆସନରେ ବିଜୟ ମିଳିଛି। ଏହାକୁ ବିଜେପିକୁ ଟାର୍ଗେଟ କରିଛି ଶିବସେନା। ଶିବସେନା ଏହାର ମୁଖପତ୍ର ‘ସାମନା’ର ସମ୍ପାଦକୀୟରେ ଉଲ୍ଲେଖ କରିଛି, ଏହା ମହାଜନାଦେଶ ନୁହେଁ, ଜନାଦେଶ। ଏହାକୁ ଗ୍ରହଣ କରିବା ଉଚିତ।

ସମ୍ପାଦକୀୟରେ ଆହୁରି ଲେଖାଯାଇଛି, ମହାରାଷ୍ଟ୍ରର ଜନତାଙ୍କ ପ୍ରବୃତ୍ତି ସାଦାସିଧା ଏବଂ ନିର୍ମଳ। ଅତି ଉତ୍ତେଜିତ ହୁଅନାହିଁ, ନଚେତ ଶେଷ ହୋଇଯିବ, ଇଭିଏମ ଭିତରୁ ଏପରି ଜନାଦେଶ ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବିଶ୍ଵାସ ଥିଲା ଯେ ଇଭିଏମରୁ କେବଳ ପଦ୍ମ ଫୁଲ ଫୁଟିବ। କିନ୍ତୁ ୧୬୪ ଆସନରୁ ୬୩ ଆସନରେ ପଦ୍ମ ଫୁଟିଲା ନାହିଁ। ଏହା ମହାଜନାଦେଶ ନୁହେଁ, ବରଂ ଜନାଦେଶ। ଏହାକୁ ମାନିବାକୁ ପଡ଼ିବ। ଜନତାଙ୍କ ନିଷ୍ପତ୍ତିକୁ ଗ୍ରହଣ କରି ନିଜର ବଡ଼ପଣ ଦେଖାଇବାକୁ ପଡ଼େ। ପୂର୍ବ ତୁଳନାରେ ମହାରାଷ୍ଟ୍ରରେ ଫଳାଫଳ ଭିନ୍ନ ଆସିଛି। ୨୦୧୪ରେ ମେଣ୍ଟ ନ ଥିଲା। ୨୦୧୯ରେ ମେଣ୍ଟ ସତ୍ବେ କମ୍‌ ଆସନରେ ବିଜୟ ମିଳିଛି। ବହୁମତ ମିଳିଛି, କିନ୍ତୁ କଂଗ୍ରେସ-ଏନସିପି ମେଣ୍ଟ ୧୦୦ ଆସନ ହାତେଇଛନ୍ତି। ଏହା କ୍ଷମତାଶୀନଙ୍କୁ ଏକପ୍ରକାର ଉଚିତ ଶିକ୍ଷା ବୋଲି ସମ୍ପାଦକୀୟରେ ଉଲ୍ଲେଖ କରାଯାଇଛି।

Comments are closed.