ଚଳିତବର୍ଷ ଭକ୍ତଙ୍କ ମେଳରେ ହେବ ଆଖଣ୍ଡଳମଣିଙ୍କ ଶିବବିବାହ ଉତ୍ସବ; ୧୬ରେ ଉଠିବ ଲଗ୍ନଚିଟାଉ ଥାଳ

ରାଜ୍ୟ ଓ ରାଜ୍ୟ ବାହାରୁ ଆସିବ ପାରମ୍ପରିକ ଲୋକବାଦ୍ୟ

ଆରଡି: ଗତ ୨ବର୍ଷ ପରେ ଚଳିତ ବର୍ଷ ବାବା ଆଖଣ୍ଡଳମଣିଙ୍କ ବିବାହ ଶୋଭାଯାତ୍ରାରେ ପାରମ୍ପରିକ ଲୋକବାଦ୍ୟରେ ପୁଣି ଦୁଲୁକିବ ଆରଡିପୀଠ। ଏଥିପାଇଁ ଗତ ମଙ୍ଗଳବାର ଜିଲାସ୍ତରୀୟ ବୈଠକ ସରିବା ପରେ ଆରମ୍ଭ ହୋଇଛି ପ୍ରସ୍ତୁତିପର୍ବ। ବିଶେଷକରି ଗତ ୨ବର୍ଷ ହେବ କରୋନା କଟକଣା ଯୋଗୁ ବିନା ଭକ୍ତରେ ନିଡାମ୍ବର ସହ ପାଳିତ ହେଉଥିଲା ମଣିବାବାଙ୍କ ଶିବବିବାହ ମହୋତ୍ସବ। ଚଳିତବର୍ଷ ଭକ୍ତଙ୍କ ଗହଣରେ ଶିବବିବାହ ମହୋତ୍ସବ ପାଳିତ ହେବା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମିଳିବା ପରେ ବରାନୁଗମନରେ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିବାକୁ ଥିବା ରାଜ୍ୟ ଓ ରାଜ୍ୟ ବାହାରର ସାଂସ୍କୃତିକ ଓ ଲୋକବାଦ୍ୟଙ୍କ ଆଗମନ ପାଇଁ ପ୍ରଶାସନ ପକ୍ଷରୁ ୫ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିଯିବା ପାଇଁ ମଞ୍ଜୁର କରାଯାଇଛି।

ସେହିପରି ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ବରାନୁଗମନ ଶୋଭାଯାତ୍ରାରେ ଯୋଡିଶଙ୍ଖ ପରିବେଷଣ ପାଇଁ ଜିଲା ଲୋକ ସମ୍ପର୍କ ଅଧିକାରୀ ରମେଶ ନାୟକଙ୍କୁ ଦାୟୀତ୍ବ ଭାର ଦେଇଛନ୍ତି ଭଦ୍ରକ ଜିଲାପାଳ ତଥା ଶିବବିବାହ ମହୋତ୍ସବର ଅଧ୍ୟକ୍ଷ ତ୍ରିଲୋଚନ ମାଝୀ। ଏହି ବିବାହ କାର୍ଯ୍ୟ ଲୋକାଚାରରେ ହେଉଥିବାରୁ ଚଳିତବର୍ଷ ବରପିତା ଭାବେ ଦୁସ୍ମନ୍ତ ପାଢୀ ଓ କନ୍ୟାପିତା ଭାବେ ଚନ୍ଦ୍ରମଣୀ ପାଢୀ ଚୟନ ହୋଇଛନ୍ତି। ବୈଦିକ ରୀତିନୀତି ଅନୁଯାୟୀ ଆସନ୍ତା ୧୬ରେ ସୋମବାର ଚନ୍ଦନପୂର୍ଣ୍ଣିମା ଦିନ ବିବାହ ନିମନ୍ତେ ଶୁଭ ଲଗ୍ନଚିଟାଉ ଥାଳ ନୀତି ସମ୍ପନ୍ନ ହେବା ସହ ଜ୍ୟୋତିଷ୍ୟଙ୍କ ପକ୍ଷରୁ ଲଗ୍ନଚିଟାଉ ପାଠ କରାଯିବ। ଜୁନ ୪ରେ ଦେବଦମ୍ପତିଙ୍କ ବିବାହ ନିମନ୍ତେ ମଙ୍ଗୁଳା ଗୁଆ ଓ ନିମନ୍ତ୍ରଣପତ୍ର ପୀଠ ସମେତ ଆଖପାଖ ଜିଲାର ଦେବାଦେବୀଙ୍କ ନିମନ୍ତ୍ରଣ ପାଇଁ ସେବାୟତମାନେ ଯିବାର କାର୍ଯ୍ୟକ୍ରମ ରହିଛି। ବରାନୁଗମନ ଶୋଭାଯାତ୍ରା ବିବାହ ଉତ୍ସବର ମୁଖ୍ୟ ଆର୍କଷଣ ହୋଇଥିବାରୁ ରାଜ୍ୟ ଓ ରାଜ୍ୟ ବାହାରୁ ହଜାରହଜାର ଭକ୍ତଙ୍କ ଭିଡ ଲାଗିବ।

Comments are closed.