ବିବାହ ସମାରୋହରେ ଯୋଗ ଦେଇ ଫେରିବା ବାଟରେ ଚାଲିଗଲା ୪ ଜୀବନ

ଶିମଳା : ହିମାଚଳ ପ୍ରଦେଶରେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ପ୍ରଦେଶର ରାଜଧାନୀ ଶିମଳାର ରୋହଡୁରେ ଏକ କାର ଖାଇକୁ ଖସି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୪ ଜଣ କାର ଯାତ୍ରୀଙ୍କର ମୃତ୍ୟୁ ଘଟିଛି। କାରରେ ଥିବା ସମସ୍ତ ଯାତ୍ରୀ ଏକ ବିବାହ ସମାରୋହରେ ଯୋଗ ଦେଇ ଫେରୁଥିଲେ। ଫେରୁଥିବା ସମୟରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ସମସ୍ତଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।
ଶିମଳା ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, ବିବାହ ସମାରୋହରୁ ଫେରୁଥିବା ସମୟରେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଘଟଣାର ତଦନ୍ତ ଜାରି ରହିଛି। କାରରେ ଥିବା ସମସ୍ତ ଯାତ୍ରୀ ଗୋଟିଏ ଗାଁର ହୋଇଥିବା ବେଳେ ସମୋଲୀରେ ଗାଁରେ ଥିବା ବିବାହ ସମାରୋହରେ ଯୋଗ ଦେଇ ଘରକୁ ଫେରୁଥିଲେ। ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଆଜି ସକାଳେ ଗାଁର ଜଣେ ମହିଳା ଘାସ ଆଣିବାକୁ ଯାଇଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଦେଖି ସ୍ଥାନୀୟ ବାସିନ୍ଦାଙ୍କୁ ଜଣାଇଥିଲେ। ଖବର ପାଇ ପୁଲିସ,ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ।

 

Comments are closed.