ଧର୍ମାନ୍ତରୀକରଣର ଗୁମର ଖୋଲିବୁ : ବିଜେପି

0

ଭୁବନେଶ୍ୱର :ଧର୍ମାନ୍ତରୀକରଣର ପ୍ରମୁଖ କେନ୍ଦ୍ର୍ର ଏବେ ଓଡ଼ିଶା ପାଲଟିଛି ବୋଲି ବିଜେପି ଅଭିଯୋଗ କରିଛି। ଯେଉଁ ପ୍ରସଙ୍ଗକୁ ନେଇ କନ୍ଧମାଳରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କୁ ହତ୍ୟା କରାଗଲା ଏବେ ସେହି କାର୍ଯ୍ୟ ସରକାରଙ୍କ ପ୍ରୋତ୍ସାହନରେ ଦିନଦ୍ୱିପ୍ରହରେ ଚାଲୁଛି ବୋଲି ସୋମବାର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଭାନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।
ସେ କହିଛନ୍ତି ଯେ ଗୁଡ଼୍‍ ନିୟୁଜ୍‍ ଇଣ୍ଡିଆ ପରିଚାଳିତ ଢେଙ୍କାନାଳ ଜିଲାର ବେଲଟିକିରିଠାରେ ଥିବା ସେଲଟର ହୋମ୍‍ରେ କେବଳ ବାଳକ,ବାଳିକାଙ୍କୁ ନିର୍ଯାତନା କିମ୍ବା ବାହାରକୁ ଚାଲାଣ କରାଯାଉଥିଲା ତାହା ନୁହେଁ ଏଠାରେ ଧର୍ମାନ୍ତରୀକରଣ କରାଯାଉଥିଲା। ଆମେରିକା ପ୍ରଭୃତି ବିଦେଶୀ ସଂସ୍ଥା ମୋଟା ଅଙ୍କର ଟଙ୍କା କାରବାର କରି ଏଠାରୁ ନାବାଳିକା ଝିଅ ଓ ନାବାଳକଙ୍କୁ ଧର୍ମାନ୍ତରୀକରଣ କରିବା ସହିତ ତାଙ୍କ ସହିତ ଯୌନ କାରବାର କରୁଥିଲେ। ଯାହାର ମାଷ୍ଟର ମାଇଣ୍ଡ ଥିଲା ଢ଼େଙ୍କାନାଳ ଜିଲା ପ୍ରଶାସନ। ଯେଉଁ ଗୁଡ଼୍‍ ନିୟୁଜ୍‍ ଇଣ୍ଡିଆର କାର୍ଯ୍ୟକଳାପକୁ ନେଇ ରାଜ୍ୟ ସରକାର କଳାତାଲିକାଭୁକ୍ତ କରିଥିଲେ ତାହା ପରବର୍ତ୍ତୀ ସମୟରେ ରାଜ୍ୟରେ କିଭଳି ସାଲଗରିଆ ହାପି ଏଣ୍ଡ ହୋଲି ସୋସାଇଟ୍‍ ନାଁରେ ୨୬ଟି ସ୍ଥାନରେ କାର୍ଯ୍ୟକରୁଛି ତାହା ଦୁର୍ଭାଗ୍ୟଜନକ। ଢ଼େଙ୍କାନାଳ ମାମଲା ଭାତ ହାଣ୍ଡିରୁ ଗୋଟିଏ ଚିପିଲା ପରି ଘଟଣା। ଯଦି ପ୍ରଶାସନ ଓ ରାଜ୍ୟ ସରକାର ଏହି ସେଲଟର ହୋମକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ନକରନ୍ତି ତେବେ ଆଗାମୀ ଦିନରେ ପରିସ୍ଥିତି ସାଂଘାତିକ ହେବ। ଅନ୍ୟପକ୍ଷରେ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ଯେଉଁ ତାଚ୍ଛଲ୍ୟକର ମନ୍ତବ୍ୟ ଦେଉଛନ୍ତି ତାହା ରାଜ୍ୟବାସୀଙ୍କ ପାଇଁ ଲଜ୍ଜାକର କଥା।
ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ଗତକାଲି ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ଘଟଣାସ୍ଥଳ ପରିଦର୍ଶନ କରି ବାସ୍ତବ ସ୍ଥିତି ସଂପର୍କରେ ଅନୁଧ୍ୟାନ କରିଛନ୍ତି। ଏହି ସମୟରେ ଜାଣିବାକୁ ପାଇଛନ୍ତି ଯେ ଜିଲା ପ୍ରଶାସନ ନିଜ ଦୋଷ ଦୁର୍ବଳତା ପଦାରେ ପଡିଯିବା ଭୟରେ ସକାଳୁ ସମସ୍ତ ୯୪ଜଣ ଅନ୍ତେବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଛି। କେଉଁ ସ୍ଥାନରେ ଅନ୍ତେବାସୀମାନଙ୍କୁ ରଖାଯାଇଛି ସେନେଇ ଜିଲାପାଳ ଚୁପ୍‍ ରହୁଛନ୍ତି। କାହା ଚାପରେ ଏସବୁ ଘଟଣା ଚାପି ଦିଆଯାଉଛିି ତାହା ସରକାର ସ୍ପଷ୍ଟ କରନ୍ତୁ। ନଚେତ୍‍ ବିଜେପି ସବୁ ଡ୍ରିମ୍‍ ହୋମର ଗୁମର ଖୋଲିବ ଏବଂ ବନ୍ଦ କରିବା ଦିଗରେ ପଦକ୍ଷେପ ନେବ ବୋଲି ଶ୍ରୀମତୀ ପରିଡା କହିଛନ୍ତି।
ଏହି ଅବସରରେ ରାଜ୍ୟ ସମ୍ପାଦିକା ଡ.ଲେଖାଶ୍ରୀ ସମାନ୍ତସିଂହାର କହିଛନ୍ତି ଯେ ଗୁଡ୍‍ ନିୟୁଜ୍‍ ଡ୍ରିମ୍‍ ସଂସ୍ଥା କିଏ ଏବଂ ତା’ର କାର୍ଯ୍ୟକଳାପ ସଂପର୍କରେ ରାଜ୍ୟ ସରକାର କେମିତି ଜାଣି ପାରିଲେନାହିଁ। ରାଜଧାନୀ ଉପକଣ୍ଠ ଅନନ୍ତପୁର, ଫୁଲନଖରାରେ ଏକ ୬ ମହଲା ବିଶିଷ୍ଟ ଗୁଡ୍‍ନିୟୁଜ୍‍ ସଂସ୍ଥାର ମୁଖ୍ୟକାର୍ଯ୍ୟାଳୟରୁ ଏହି ସଂସ୍ଥାର ମୁଖ୍ୟ ଏବଂ ଆସାମୀ ଫୈଜ୍‍ ରେହମାନ୍‍ ଗିରଫ ହୋଇଥିଲେ। ସେଠାରେ ସନ୍ଦେହାତ୍ମକ କାର୍ଯ୍ୟକଳାପ ଚାଲୁଥିବାର ସ୍ଥାନୀୟ ଲୋକମାନେ ବାରମ୍ବାର ଅଭିଯୋଗ କରୁଥିଲେ ଏବଂ କେତୋଟି ଗଣମାଧ୍ୟମରେ ଏହାକୁ ଉପାସ୍ଥାପନ କରିଥିଲେ। କିନ୍ତୁ ଦୁର୍ଭାଗ୍ୟ ବିଷୟ ହେଉଛି କି ଭୁବନେଶ୍ୱର-କଟକ ଭଳି ଟ୍ୱିନ୍‍ ସିଟି ଭିତରେ ମୁଖ୍ୟ ଆସାମୀ ଥାଇ ବି ରାଜ୍ୟସରକାର କିଛି ଜାଣିନାହାନ୍ତି କହିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ଡ. ସାମନ୍ତସିଂହାର କହିଛନ୍ତି। ବିଭାଗୀୟ ମନ୍ତ୍ରୀ ଶ୍ରୀ ସାମଲଙ୍କ ନିଜସ୍ୱ ଜିଲା ଆନନ୍ଦପୁର ଅଞ୍ଚଳରେ ସାଲଗରିଆ ହାପି ଏଣ୍ଡ ହୋଲି ସୋସାଇଟ୍‍ ସଂସ୍ଥାକୁ ସ୍ୱୀକୃତି ଦିଆଯାଇଛି, ତେବେ କେଉଁ ପରିପ୍ରେକ୍ଷୀରେ ତାକୁ ଅନୁମତି ଦିଆଯାଇଛି ଏବଂ ଏହା ପଛରେ କି ରହସ୍ୟ ଅଛି ତାହା ସରକାର ସ୍ପଷ୍ଟ କରନ୍ତୁ। ଏହି ସମ୍ବେଦନଶୀଳ ଘଟଣାରେ ମନ୍ତ୍ରୀ ଶ୍ରୀ ସାମଲ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଥିଲେ। ସମ୍ମିଳନୀରେ ରାଜ୍ୟ ଉପ ସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ ଉପସ୍ଥିତ ଥିଲେ।

Leave A Reply