ସିବିଆଇକୁ ଝିଅ ସିନାଙ୍କ ହତ୍ୟାକାରୀ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଚିଠି : ସିନା ବଞ୍ଚିଛନ୍ତି; କାଶ୍ମୀରରେ ଅଛନ୍ତି !

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ସିନା ବୋରା ହତ୍ୟା ମାମଲା ନୂଆ ମୋଡ଼ ନେଇଛି। ଦୀର୍ଘ ୯ ବର୍ଷ ପୂର୍ବେ ଯେଉଁ ଝିଅକୁ ହତ୍ୟା କରିଛନ୍ତି ବୋଲି ମୁଖ୍ୟ ଅଭିଯୁକ୍ତ ମାଆ ଇନ୍ଦ୍ରାଣୀ ମୁଖାର୍ଜୀ କହିଥିଲେ ସେ ଏବେ ଝିଅ ଜୀବିତ ଥିବା ଦାବି କରିଛନ୍ତି। ଏହି ହତ୍ୟା ମାମଲାରେ ୨୦୧୫ରୁ ଇନ୍ଦ୍ରାଣୀ ମୁମ୍ବଇର ବାଇକୁଲା କାରାଗାରରେ ଅଛନ୍ତି। ତାଙ୍କ ଜାମିନ ଆବେଦନକୁ ଗତ ମାସରେ ବମ୍ବେ ଉଚ୍ଚ ନ୍ୟାୟାଳୟ ଖାରଜ କରିଦେଇଛନ୍ତି । ସେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହେବାକୁ ପ୍ରସ୍ତୁତି ଚଳାଇଛନ୍ତି। ଇତିମଧ୍ୟରେ ମାମଲାର ତଦନ୍ତ କରୁଥିବା ସିବିଆଇ ନିଜ କାର୍ଯ୍ୟ ଶେଷ କରିଥିବା ସର୍ବୋଚ୍ଚ ନ୍ୟାୟାଳୟକୁ ଜଣାଇସାରିଛି। ଏପରି ସ୍ଥଳେ ୫୦ବର୍ଷୀୟା ଇନ୍ଦ୍ରାଣୀ ସିବିଆଇ ମୁଖ୍ୟଙ୍କୁ ଲେଖିଥିବା ଚିଠିକୁ ନେଇ ସମଗ୍ର ମାମଲା ଜିଇ ଉଠିଛି। ଏତେ ବାଦବିବାଦ ପରେ ହଠାତ୍‌ ସିନା ଜୀବିତ ଥିବା ବିଷୟ ଚିଠି ମାଧ୍ୟମରେ ସିବିଆଇକୁ ଜଣାଇଛନ୍ତି ଇନ୍ଦ୍ରାଣୀ। ଜଣେ ମହିଳା କଏଦୀ ସିନାଙ୍କୁ କାଶ୍ମୀରରେ ଭେଟିଥିବା ତାଙ୍କୁ କହିଛନ୍ତି; ତେଣୁ ସେ କାଶ୍ମୀରରେ ଅଛନ୍ତି ଏବଂ ସିବିଆଇ ତାଙ୍କୁ ଠାବ କରୁ ବୋଲି ଇନ୍ଦ୍ରାଣୀ ଚିଠିରେ ଲେଖିଛନ୍ତି। ଏତେ ବର୍ଷ ଧରି ସିନା ମରିଯାଇଥିବା କହିଆସୁଥିବା ଇନ୍ଦ୍ରାଣୀ ଏବେ ହଠାତ୍‌ ସେ ବଞ୍ଚିଥିବା କହିବା ସମସ୍ତଙ୍କୁ ବିସ୍ମିତ କରିଛି। ଇନ୍ଦ୍ରାଣୀ ଏ ସମ୍ପର୍କରେ ସ୍ବତନ୍ତ୍ର ସିବିଆଇ ଅଦାଲତରେ ମଧ୍ୟ ଏକ ଆବେଦନପତ୍ର ଦାଖଲ କରିଛନ୍ତି; ଯାହାର ଶୁଣାଣି ଖୁବ୍ ଶୀଘ୍ର କରାଯିବ। ଇନ୍ଦ୍ରାଣୀଙ୍କ ଓକିଲ ସାନା ଖାଁଙ୍କ ସୂଚନାନୁଯାୟୀ, ତାଙ୍କ ମହକିଲ ଲେଖିଥିବା ଚିଠି ସମ୍ପର୍କରେ ତାଙ୍କ ପାଖରେ ଅଧିକ ସୂଚନା ନାହିଁ।
ସୂଚନାନୁଯାୟୀ, ୨୦୧୨ ଏପ୍ରିଲରେ ନିଖୋଜ ହୋଇଯାଇଥିବା ସିନାଙ୍କ ଗଳିତ ମୃତଦେହ ମାସକ ପରେ ମହାରାଷ୍ଟ୍ରର ରାଇଗଡ଼ ଜିଲା ଅଧୀନ ପେନ୍‌ ଜଙ୍ଗଲରୁ ଉଦ୍ଧାର ହୋଇଥିଲା ଏବଂ ତାଙ୍କୁ ହତ୍ୟା ଅଭିଯୋଗରେ ବିଶିଷ୍ଟ ଗଣମାଧ୍ୟମ ବ୍ୟକ୍ତିତ୍ବ ତଥା ସିନାଙ୍କ ମାଆ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ୨୦୧୫ ଅଗଷ୍ଟରେ ମୁମ୍ବଇ ପୁଲିସ ଗିରଫ କରିଥିଲା । ଇନ୍ଦ୍ରାଣୀ, ତାଙ୍କ ପ୍ରଥମ ସ୍ବାମୀ ସଞ୍ଜୀବ ଖାନ୍ନା ଓ ଗାଡ଼ିଚାଳକ ଶ୍ୟାମ ରାଏ କାର୍‌ ଭିତରେ ତଣ୍ଟିଚିପି ୨୫ବର୍ଷୀୟା ସିନାଙ୍କୁ ହତ୍ୟା କରିଥିବା ତଦନ୍ତ ବେଳେ ସ୍ବୀକାର କରିଥିଲେ । ଇନ୍ଦ୍ରାଣୀଙ୍କ ଦୁଇ ସ୍ବାମୀ (ଦ୍ବିତୀୟ ସ୍ବାମୀ ପିଟର ମୁଖାର୍ଜୀ)ଙ୍କ ସହ କାର୍‌ ଚାଳକ ଏହି ମାମଲାରେ‌ ଗିରଫ ହୋଇଥିଲେ। ଆହୁରି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ୨୦୧୫ରେ ଘଟିଥିଲା; ଯେତେବେଳେ ସିଦ୍ଧାର୍ଥ ଦାସ ନାମକ ଜଣେ ବ୍ୟକ୍ତି ସିନାଙ୍କ ପ୍ରକୃତ ବାପା ବୋଲି ସ୍ବୀକାର କରିଥିଲେ।
ସଞ୍ଜୀବ ଖାନ୍ନାଙ୍କ ଔରସରୁ ଜନ୍ମିତ ସିନାଙ୍କ ସହ ଇନ୍ଦ୍ରାଣୀଙ୍କର ସମ୍ପର୍କ ଭଲ ନ ଥିଲା। ଦ୍ବିତୀୟ ସ୍ବାମୀ ପିଟର ମୁଖାର୍ଜୀଙ୍କ ପୁଅ ରାହୁଲଙ୍କ ସହ ସିନାଙ୍କ ସମ୍ପର୍କକୁ ନେଇ ମା’ଝିଅଙ୍କ ମଧ୍ୟ​ରେ‌ ଅପଡ଼ ହୋଇଥିଲା । ଏତଦ୍‌ ବ୍ୟତୀତ ଆର୍ଥିକ କାରବାରକୁ ନେଇ ମଧ୍ୟ ସେମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା; ଯେଉଁଥିପାଇଁ ଇନ୍ଦ୍ରାଣୀ ସିନାଙ୍କୁ ହତ୍ୟା କରିଥିଲେ ବୋଲି ସିବିଆଇ ତଦନ୍ତରୁ ଜଣାପଡ଼ିଥିଲା । ହତ୍ୟା ପରେ ସିନା ଆମେରିକାରେ ଥିବା ଇନ୍ଦ୍ରାଣୀ କହିଥିଲେ । ୨୦୧୫ରେ ଅନ୍ୟ ଏକ ହତ୍ୟା ମାମଲାରେ ଇନ୍ଦ୍ରାଣୀଙ୍କ କାର୍‌ ଚାଳକ ଶ୍ୟାମ ଗିରଫ ହେବା ପରେ ସିନା ମୃତ୍ୟୁ ରହସ୍ୟ ପଦାକୁ ଆସିଥିଲା । ଶ୍ୟାମର ବୟାନ ଆଧାରରେ ସଞ୍ଜୀବ, ପିଟର ପ୍ରମୁଖଙ୍କୁ ଗିରଫ କରାଯାଇଥିଲା । ଏହି ମାମଲାରେ ପ୍ରାୟ ୬୦ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ଏପରି ସ୍ଥଳେ ୨୦୧୯ରେ ପିଟର ଇନ୍ଦ୍ରାଣୀଙ୍କୁ ଛାଡ଼ପତ୍ର ଦେଇ ୧୭ବର୍ଷ ସମ୍ପର୍କର ଅନ୍ତ ଘଟାଇଥିଲେ । ୨୦୨୦ ମାର୍ଚ୍ଚରେ ପିଟର ଜାମିନରେ ମୁକୁଳିଛନ୍ତି । ପିଟରଙ୍କ ଔରସରୁ ଜନ୍ମିତ ଇନ୍ଦ୍ରାଣୀଙ୍କ ଝିଅ ୨୪ବର୍ଷୀୟା ବିଧି ନିକଟରେ ଏକ ସାକ୍ଷାତକାରରେ କହିଥିଲେ ଯେ ମାଆଙ୍କ ପ୍ରତି ଏବେ ସୁଦ୍ଧା ତାଙ୍କର ଦରଦ ରହିଛି; ତେଣୁ ତାଙ୍କୁ ବୁଝିବା ପାଇଁ ସୁଯୋଗ ମିଳିବା ଉଚିତ।

Comments are closed.