ଚିକିତ୍ସା ପାଇଁ ଲଣ୍ଡନ ଗଲେ ସରିଫ

ଲାହୋର : ଗୁରୁତର ଅସୁସ୍ଥ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ମଙ୍ଗଳବାର ଚିକିତ୍ସା ପାଇଁ ଲଣ୍ଡନ ଯାଇଛନ୍ତି। ଆଇସିୟୁ ତଥା ଅପରେସନ ଥିଏଟର ସମ୍ବଳିତ ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଲଣ୍ଡନ ନିଆଯାଇଛି। ସାନ ଭାଇ ତଥା ପାକିସ୍ତାନ ମୁସଲିମ୍‌ ଲିଗ୍‌ (ନୱାଜ) (ପିଏମ୍‌ଏଲଏନ୍‌) ନେତା ଶେହବାଜ ସରିଫ ଓ ତାଙ୍କର ବ୍ୟକ୍ତିଗତ ଚିକିତ୍ସକ ଡାକ୍ତର ଅଦନାନ ଖାଁ ତଥା ଏକ ଚିକିତ୍ସକ ଦଳ ସରିଫଙ୍କ ସହିତ ଯାଇଛନ୍ତି। କ୍ବାତାର ଦେଇ ବିମାନ ଲଣ୍ଡନ ଯାଇଛି। ଏହି ଏୟାର ଆମ୍ବୁଲାନ୍ସ ଦୋହାରୁ ଅଣାଯାଇଥିଲା। କନ୍ୟା ତଥା ପିଏମ୍‌ଏଲଏନ୍‌ ମୁଖପାତ୍ର ମାରିୟମ୍‌ ଔରନ୍‌ଜେବ୍‌ଙ୍କ ସୂଚନାନୁଯାୟୀ, ସରିଫ ଲଣ୍ଡନରେ ପହଞ୍ଚିବା ପରେ ତାଙ୍କୁ ପ୍ରଥମେ ହାର୍ଲେ ଷ୍ଟ୍ରିିଟ୍‌ କ୍ଲିନିକକୁ ନିଆଯିବ। ଆବଶ୍ୟକ ପଡ଼ିଲେ ସେଠାରୁ ଆମେରିକାର ବୋଷ୍ଟନ୍‌କୁ ସ୍ଥାନାନ୍ତର କରାଯିବ। ‘ଜତି ଉମ୍‌ରା’ ବାସଭବନ ଛାଡ଼ିବା ପୂର୍ବରୁ ଡାକ୍ତର ସରିଫଙ୍କୁ ସୁସ୍ଥ ରଖିବା ପାଇଁ ଉଚ୍ଚ ଶକ୍ତିସମ୍ପନ୍ନ ଷ୍ଟେରଏଡ଼ ବା ଶକ୍ତିବର୍ଦ୍ଧକ ଇଞ୍ଜେକସନ୍‌ ଦେଇଥିଲେ ବୋଲି ମାରିୟମ୍‌ କହିଛନ୍ତି। ଆଇନଗତ ସମସ୍ୟା ତଥା ସରକାରୀ ଅନୁମତି ପାଇଁ ତାଙ୍କର ଲଣ୍ଡନ ଯିବା ବିଳମ୍ବିତ ହୋଇଛି। ମଙ୍ଗଳବାର ୬୯ବର୍ଷୀୟ ସରିଫଙ୍କ ସମର୍ଥକମାନେ ତାଙ୍କୁ ବିଦାୟ ଦେବା ପାଇଁ ବିପୁଳ ସଂଖ୍ୟାରେ ଉପସ୍ଥିତ ହୋଇଥିଲାବେଳେ ତାଙ୍କର ଆସୁ ଆରୋଗ୍ୟ ସହ ଦୀର୍ଘ ଜୀବନ କାମନା କରିଛନ୍ତି। ନୱାଜଙ୍କ ଉପରେ ସେମାନେ ପୁଷ୍ପବୃଷ୍ଟି କରିଥିବା ଲକ୍ଷ୍ୟ କରାଯାଇଛି। ସ୍ବାସ୍ଥ୍ୟଗତ କାରଣରୁ ଲାହୋର ହାଇକୋର୍ଟ ଗତ ସପ୍ତାହରେ ସରିଫଙ୍କୁ ଜାମିନ ପ୍ରଦାନ ସହ ଲଣ୍ଡନ ଯିବା ପାଇଁ ଅନୁମତି ପ୍ରଦାନ କରିଥିଲେ। ସରିଫଙ୍କ ଉପରେ ବିମାନଯାତ୍ରା କଟକଣା ଜାରି ହୋଇଥିବାରୁ ତୁରନ୍ତ ଏହାକୁ କୋହଳ ପୂର୍ବକ ତାଙ୍କୁ ଲଣ୍ଡନ ଯିବା ପାଇଁ ଅନୁମତି ଦେବାକୁ ଇମ୍ରାନ ଖାଁଙ୍କ ସରକାରଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ଏମିତିକି ବିମାନଯାତ୍ରା ପାଇଁ ରହିଥିବା ବ୍ୟକ୍ତିଗତ ମୁଚାଲିକା ଦାଖଲରୁ ସରିଫଙ୍କୁ କ୍ଷାନ୍ତ କରିବା ପାଇଁ ହାଇକୋର୍ଟ ନିର୍ଦେଶ ଦେଇଥିଲେ।

Comments are closed.