୯ ମାସ ପରେ ସର୍ବୋଚ୍ଚସ୍ତରରେ ସେନସେକ୍ସ: ୫୫୩ ପଏଣ୍ଟ ବୃଦ୍ଧି ସହ ୪୧୮୯୩

୧୪୩ ପଏଣ୍ଟ ବୃଦ୍ଧି ସହ ନିଫ୍ଟି ୧୨୨୬୩କୁ ଛୁଇଁଲା

କରୋନା ଆରମ୍ଭ ପରେ ଦେଶରେ କ୍ରମାନୁଗତ ଭାବରେ ହ୍ରାସ ପାଉଥିବା ସେନସେକ୍ସ ଓ ନିଫ୍ଟି ପୁଣିଥରେ ଶୀର୍ଷସ୍ଥାନକୁ ଫେରିଛି । ୯ ମାସ ପରେ ସର୍ବୋଚ୍ଚସ୍ତରରେ ସେନସେକ୍ସ ପହଞ୍ଚିଛି । ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ପ୍ରମୁଖ ସୂଚକାଙ୍କ ସେନସେକ୍ସ ଶୁକ୍ରବାର ୫୫୩ ବୃଦ୍ଧି ପାଇ ୪୧୮୯୩ସ୍ତରରେ ପହଞ୍ଚିଛି । ଆଜି ଗୋଟିଏ ଦିନରେ ସେନସେକ୍ସରେ ୧.୩୪% ବୃଦ୍ଧି ଘଟିଛି । ଅନୁରୂପ ଭାବରେ ନିଫ୍ଟି ମଧ୍ୟ ୧୪୩ ପଏଣ୍ଟ ବୃଦ୍ଧି ପାଇଛି । ୧.୧୮% ବୃଦ୍ଧି ସହ ନିଫ୍ଟି ୧୨୨୬୩ ଅଙ୍କରେ ପହଞ୍ଚିଛି । ବଜାଜ ଫିନସର୍ଭ,  ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଇଣ୍ଡସ୍ ଇଣ୍ଡିଆ ବ୍ୟାଙ୍କ, ଏଚଡ଼ିଏଫସି ବ୍ୟାଙ୍କ, କୋଟାକ୍ ମହିନ୍ଦ୍ରା ସେୟାର ବୃଦ୍ଧି ପାଇଛି।ସେହିପରି ମାରୁତି ସୁଜୁକି ଇଣ୍ଡିଆ, ଗେଲ, ଭାରତୀ ଏୟାରଟେଲ, ଅଲଟ୍ରାଟେକ୍ ସିମେଣ୍ଟ ଏବଂ ଏସୀୟ ପେଣ୍ଟ ସେୟାର ସାମାନ୍ୟ ରହିଛି ।

ଚଳିତ ସପ୍ତାହରେ ବଜାରରେ ସ୍ଥିତିର ଉନ୍ନତି ଯୋଗୁ ନିବେଶକମାନେ ୫ ଦିନରେ ୬.୩ କୋଟିଟଙ୍କା ଲାଭ କରିଛନ୍ତି । ନଭେମ୍ବର ୨ ତାରିଖରେ ବିଏସଇ ତାଲିକାଭୁକ୍ତ କମ୍ପାନି ବାର ୧୫୭୧୮୫୭୪.୯୬ କୋଟି ଟଙ୍କା ଥିବାବେଳେ ୬ ତାରିଖରେ ସପ୍ତାହର ବଜାର ବନ୍ଦ ହେବା ବେଳକୁ ଏହା ୧୬୩୫୫୮୯୪.୪୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ଅନ୍ୟପକ୍ଷରେ ବିଦେଶୀ ନିବେଶକମାନେ ନଭେମ୍ବର ମାସରେ ଭାରତୀୟ ବଜାରରେ ନିବେଶ କରିବାକୁ ଆଗ୍ରହ ଦେଖାଇଛନ୍ତି । ଅକ୍ଟୋବରରେ ମୋଟ ୧୩୫୩୭.୪ କୋଟି ଟଙ୍କାର ସେୟାର ବିଦେଶୀ ନିବେଶକମାନେ କିଣିଥିବାବେଳେ ନଭେମ୍ବରର ୬ ଦିନ ମଧ୍ୟରେ ଏ ଯାଏ ୮୫୨୯.୫୪ କୋଟି ଟଙ୍କାର ସେୟାର ବିଦେଶୀମାନେ କିଣିଛନ୍ତି ।

ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ନିର୍ବାଚନର ପ୍ରଭାବ ମଧ୍ୟ ପୁଞ୍ଜିବଜାର ଉପରେ ପଡ଼ିଛି । ଡ଼େମୋକ୍ରାଟିକ୍ ପାର୍ଟି ଜିତିବା ସମ୍ଭାବନା ବଜାର କାରବାରରେ ୨% ବୃଦ୍ଧି ଘଟାଇଛି ।  ଜାପାନ, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ, ହଂକଂର ସୂଚକାଙ୍କ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସେହିପରି ବ୍ୟାଙ୍କିଂ, ଆଇଟି, ଫର୍ମା, ଇସ୍ପାତ ଶିଳ୍ପ, ଭିତ୍ତିଭୂମି, ଅଟୋ ଶିଳ୍ପ, ଟେଲିକମ କ୍ଷେତ୍ରରେ ସେୟାର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି ।

Comments are closed.