ପୱାର ହେବେ ୟୁପିଏ ଅଧ୍ୟକ୍ଷ !

ନୂଆଦିଲ୍ଲୀ: ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଇପାରନ୍ତି। ବୁଧବାର ୭୪ତମ ଜନ୍ମଦିନ ଅବସରରେ ସେ ପରୋକ୍ଷ ଭାବେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସୋନିଆଙ୍କ ଅବସର ପରେ ରାହୁଲ ଗାନ୍ଧୀଙ୍କୁ ପୁନର୍ବାର କଂଗ୍ରେସ ସଭାପତି ପଦରେ ବସାଇବା ପାଇଁ ପ୍ରୟାସ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି; କିନ୍ତୁ ୟୁପିଏ ମେଣ୍ଟର ଅଧ୍ୟକ୍ଷ ପଦ ପାଇଁ କାହାରି ନାମ ଚୂଡ଼ାନ୍ତ ହୋଇନାହିଁ। କଂଗ୍ରେସର ବରିଷ୍ଠ ନେତାଙ୍କୁ ପଛରେ ପକାଇ ଏନ୍‌ସିପି ମୁଖ୍ୟ ଶରଦ ପୱାର ଦୌଡ଼ର ଆଗରେ ରହିଥିବା ସୂଚନା ମିଳିଛି। ପୱାରଙ୍କୁ ରାଜନୀତିର ସବୁ ଅଙ୍କ ଜଣାଥିବାବେଳେ ୟୁପିଏ ମେଣ୍ଟର ଅଧ୍ୟକ୍ଷ ହେବା ପାଇଁ ତାଙ୍କ ପାଖରେ ସବୁ ଗୁଣ ରହିଥିବା କୁହାଯାଉଛି। ବିଶେଷକରି ମହାରାଷ୍ଟ୍ରରେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବାରେ ପୱାର ଯେଉଁ ରାଜନୈତିକ ଗୋଟିଚାଳନା କରିଥିଲେ ତାହା ୟୁପିଏ ମେଣ୍ଟ ଅନ୍ତର୍ଭୁକ୍ତ ଦଳଙ୍କୁ ପ୍ରଭାବିତ କରିଛି। ଏହି ବରିଷ୍ଠ ରାଜନୀତିଜ୍ଞ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗେଇ ପାରିବେ ବୋଲି ମନେ କରାଯାଉଛି। ଏନ୍‌ସିପି ମୁଖପାତ୍ର ମହେଶ ତାପ୍‌ସେ ଏହି ଖବରକୁ ଖଣ୍ଡନ କରିଛନ୍ତି। ପୱାର ୟୁପିଏ ଅଧ୍ୟକ୍ଷ ହେବା ଦୌଡ଼ରେ ନାହାନ୍ତି ବୋଲି ସେ କହିଛନ୍ତି।

Comments are closed.