କେବେ ଜେଲ ଯାଇନାହିଁ, ଗଲେ ଖୁସି ହେବି: ଶରଦ ପାୱାର

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କରେ ୨୫ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନସିପି) ମୁଖ୍ୟ ଶରଦ ପାୱାର, ତାଙ୍କ ଭଣଜା ଅଜିତ ପାୱାରଙ୍କ ସମେତ ଅନେକ ରାଜନେତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହାର ଦିନକ ପରେ ଶରଦ ପାୱାର ମୁହଁ ଖୋଲିବା ସହିତ ତାତ୍ସଲ୍ୟ କରି କହିଛନ୍ତି, ମୁଁ କେବେ ଜେଲ ଯାଇନାହିଁ। ଯଦି ମୋତେ ଜେଲ ପଠାଯାଏ, ତା’ହେଲେ ମୁଁ ଖୁସି ହେବି।

ଶରଦ କହିଛନ୍ତି, ମାମଲା ରୁଜୁ ହୋଇଛି। ଜେଲ ଯିବାରେ ମୋର କୌଣସି ଅସୁବିଧା ନାହିଁ। ଯେହେତୁ ଜେଲ ଯିବାର ଅଭିଜ୍ଞନା ତାହଁ, ତେଣୁ ଜେଲ ଗଲେ ଖୁସି ହେବ। ଯଦି କେହି ମୋତେ ଜେଲ ପଠାଇବାକୁ ଯୋଜନା କରୁଛି, ତେବେ ମୁଁ ସ୍ବାଗତ କରୁଛି। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ କିଛି ସପ୍ତାହ ବାକି ଥିବାବେଳେ ରାଜ୍ୟରେ ବଡ଼ ଦୁର୍ନୀତି ପଦାକୁ ଆସିଛି। ଏଥିରେ ବହୁ ବିଶିଷ୍ଟ ନେତାମାନଙ୍କ ସମ୍ପୃକ୍ତି ରହିଥିବା ଜଣାପଡ଼ିଛି। ବମ୍ବେ ହାଇକୋର୍ଟ ମଧ୍ୟ ମୁମ୍ବଇ ପୁଲିସର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)କୁ ଏହାର ତଦନ୍ତ କରିବା ସହିତ ପାୱାର ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ନିର୍ଦେଶ ଦେଇଛନ୍ତି।

ନିକଟରେ ଅଜିତ ପାୱାର ଏବଂ ଅନ୍ୟମାନେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇ ଏହି ମାମଲାର ତଦନ୍ତ ପ୍ରକ୍ରିୟାକୁ ରଦ୍ଦ କରିବାକୁ ନିର୍ଦେଶ ଦେବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ବିଚାରପତି ଅରୁଣ ମିଶ୍ରା ଓ ଏମ.ଆର. ଶାହ ସେମାନଙ୍କ ଆବେଦନକୁ ଖାରଜ କରିଦେଇଥିଲେ ଏବଂ ମାମଲାର ଅବାଧ ଏବଂ ନିରପେକ୍ଷ ତଦନ୍ତ କରିବାକୁ ମୁମ୍ବଇ ପୁଲିସକୁ ନିର୍ଦେଶ ଦେଇଥିଲେ।

ସୂଚନା ମୁତାବକ, ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ସମବାୟ ସୁଗାର ଫ୍ୟାକ୍ଟ୍ରିକୁ ଋଣ ପ୍ରଦାନରେ ବହୁ ଅନିୟମିତତା ହୋଇଥିବା ନେଇ ଇଡି ତଦନ୍ତରୁ ଜାଣିବାକୁ ପାଇଛି। ଏଥିବରେ ସମବାୟ ବ୍ୟାଙ୍କର ଅଧିକାରୀମାନେ ମଧ୍ୟ ସମ୍ପୃକ୍ତ ରହିଛନ୍ତି। ନାବାର୍ଡ ପକ୍ଷରୁ ମଧ୍ୟ ଏହାର ତଦନ୍ତ କରାଯିବା ସହ ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କର ଅଡିଟ୍‌ କରାଯାଇଥିଲା। ଋଣ ପ୍ରଦାନରେ ଆରବିଆଇର ନିୟମକୁ ଉଲ୍ଲଂଘନ କରାଯାଇଥିବା ଅଡିଟ୍‌ରୁ ଜଣାପଡ଼ିଥିଲା।

Comments are closed.