ବେଆଇନ କାଠ କାରବାର ଅଭିଯୋଗରେ ୪ ଗିରଫ

୨୫ଖଣ୍ଡ ଶାଳ ଗଣ୍ଡି ଜବତ

ବଲାଙ୍ଗିର : ବଲାଙ୍ଗିର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଉପରଝର ନିକଟସ୍ଥ ରେଙ୍ଗାଲି ପତରା ଜଙ୍ଗଲରେ ବେଆଇନ ଭାବେ ଗଛକଟା ଚାଲିଥିବା ବେଳେ ବନ ବିଭାଗ ପକ୍ଷରୁ ଚଢଉ କରାଯାଇଥିଲା । ଘଟଣାସ୍ଥଳରୁ କାଠ ଜବତ କରାଯିବା ସହିତ ୪ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।

ସୂଚନା ଅନୁସାରେ ବଲାଙ୍ଗିର ଫରେଷ୍ଟ ରେଞ୍ଜ ଅଧିନରେ ଥିବା ପତରା ଜଙ୍ଗଳରେ ବେଆଇନ ଭାବେ ଗଛ କାଟି ତାକୁ ସାଇଜ କରାଯାଉଥିବା ନେଇ ଅଭିଯୋଗ ହୋଇଆସୁଥିଲା । ବିଶ୍ୱସ୍ତସୂତ୍ରରୁ ଖବର ପାଇ ମଙ୍ଗଳବାର ଡିଏଫଓ ସମୀର କୁମାର ଶତପଥୀଙ୍କ ନିର୍ଦ୍ଦେଶକ୍ରମେ ମୋବାଇଲ ସ୍କ୍ୱାର୍ଡ ପକ୍ଷରୁ ରେଙ୍ଗାଲିରେ ଚଢଉ କରାଯାଇଥିଲା । ଜଙ୍ଗଲ ଭିତରେ ଗଛ କାଟି କିଛି ଲୋକ ତାକୁ ସାଇଜ କରୁଥିବା ବନ ବିଭାଗର ମୋବାଇଲ ସ୍କ୍ୱାର୍ଡ ଦେଖିବାକୁ ପାଇଥିଲା । ଘଟଣାସ୍ଥଳରୁ ୨୫ ଖଣ୍ଡ ଶାଳଗଣ୍ଡି ଜବତ କରିଥିବା ବେଳେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ମାନେ ହେଲେ ବ୍ରାହ୍ମଣୀପାଲି ଗାଁର ଭରତ ବଗାର, ବିଶ୍ୱାମିତ୍ର ଉଦୁରକୁଲିଆ, ରାତୁ ଉଦୁରକୁଲିଆ ଓ ରେଙ୍ଗାଲି ଗାଁର ନିଲମଣୀ ପଧାନ ବୋଲି ଜଣାପଡିଛି । ଏହି ଅଞ୍ଚଳରେ ଏହି କାରବାର ରୀତିମତ ଭାବେ ଚାଲିଥିବା ବେଳେ ଅଭିଯୋଗ ପାଇବା ପରେ ବନ ବିଭାଗର ଟିମ ତତକ୍ଷଣାତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଏସିଏଫ ବାବାଜୀ ଚରଣ ରାଉଲ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଏହି ଚଢଉରେ ମୋବାଇଲ ସ୍କ୍ୱାର୍ଡ ଫରେଷ୍ଟର ସୁନୀଲ ମିଶ୍ର, ଫରେଷ୍ଟ ଗାର୍ଡ ହରେକୃଷ୍ଣ ପାଣି ଓ ରାଜେଶ୍ୱରୀ ନାଗ ପ୍ରମୁଖ ଉପସ୍ଥିତ ରହିଥିଲେ ।

Comments are closed.