ଆମ ପରମ୍ପରା ଓ ଶକ୍ତି ଉପାସନା 

ସମ୍ବଲପୁର : ଶକ୍ତି ଉପାସନାର ବିଶେଷ ଗୁରୁତ୍ୱ ଆମର ଧର୍ମଧାରରେ ସବୁ ବେଳେ ରହି ଆସିଛି। ଆମର ଓଡିଶାକୁ ଭାରତର ପ୍ରଥମ ଶକ୍ତି ଉପାସନାର ପୀଠସ୍ଥଳୀ ବୋଲି ମଧ୍ୟ ମତ ପ୍ରକାଶ ପାଇଥାଏ। ଏହି ପରିପ୍ରେକ୍ଷୀ ରେ କୁହାଯାଇପାରେ ଯେ ଶକ୍ତି ଉପାସନା ବହୁ ପୁରାକାଳରୁ ଚାଲି ଆସିଛି ଏବଂ ଏହା ଅନନ୍ତ କାଳ ପର୍ଯ୍ୟନ୍ତ ଚାଲିଥିବ। ବିଜ୍ଞାନର ପ୍ରଭାବ ତଥା ଯୁଗର ପରିବର୍ତ୍ତନ ଯୋଗୁଁ ଆମ ସମାଜ ପାଶ୍ଚାତ୍ୟନ୍ନୁମୁଖୀ ହେବାରେ ଲାଗିଛି। ଏହା ସତ୍ୱେ ଧର୍ମ ପ୍ରତି ଲୋକଙ୍କର ଆସ୍ଥା ଏବଂ ବିଶ୍ୱାସ କମି ନାହିଁ। କିନ୍ତୁ ଅତ୍ୟନ୍ତ ଦୁଃଖର ବିଷୟ ଯେ ଏହା ଦିନକୁ ଦିନ ଲୋକ ଦେଖାଣିଆ ତଥା ପ୍ରଚାରଅଭିମୁଖୀ ହେବାରେ ଲାଗିଛି। ଫଳରେ ଦଶହରା ସମୟରେ ଚାକଚକ୍ୟ ସହିତ ମୃଣମୟ ମୃର୍ତ୍ତି ପୁଜା ଅଧିକ ଲୋକଦେଖାଣିଆ ଭାବରେ ବହୁଳ ଭାବରେ ବଢି ବଢି ଚାଲିଛି ଏବଂ ଲୋକଙ୍କ ଉପରେ ଚାନ୍ଦାର ବୋଝ ମଧ୍ୟ ଅସହ୍ୟ ହେବାରେ ଲାଗିଛି। ଏହା ସହିତ ପୁରାତନ କାଳରୁ ଘରେ ଘରେ ଚାଲି ଆସିଥିବା ପୀଠ ପୂଜା ସହିତ ଶକ୍ତି ଉପାସନା ର ପରମ୍ପରା ଦିନକୁ ଦିନ ଲୋପ ପାଇବାରେ ଲାଗିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଏହି ପରମ୍ପରା ବିଶେଷ ଭାବରେ ଉତ୍କଳୀୟ ବ୍ରାହ୍ମଣ ସମାଜରେ ଦେଖିବାକୁ ମିଳିଥାଏ। ସମ୍ବଲପୁରର ନନ୍ଦପଡାର ଘରେ ଘରେ ଏହି ଶକ୍ତି ଉପାସନା ଚାଲିଥିଲା, କିନ୍ତୁ ଆଜିକାଲିର କର୍ମମୟ ଜୀବନ ଶୈଳୀ ହେଉ ଅଥବା ଲୋକଙ୍କ ମଧ୍ୟରେ ନିଷ୍ଠା ଓ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ହେଉ, ଏହି ପରମ୍ପରା କ୍ରମଶଃ ଲୋପ ପାଇବାରେ ଲାଗିଛି। ପୀଠ ପୁଜାର ମୁଖ୍ୟ ତତ୍ୱ ହେଉଛି ନିଜର ଇଷ୍ଟଦେବୀଙ୍କୁ ତାଙ୍କ ଅସ୍ଥାନରୁ ଉଠାଇ ଆଣି ପୀଠରେ ସ୍ଥାପନ କରି ଦଶହରା ସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ତ୍ରିରାତ୍ର ପୂଜା କିମ୍ବା ମହାଳୟା ଦିନଠାରୁ ଦଶହରା ଦଶମୀ ପର୍ଯ୍ୟନ୍ତ ନବରାତ୍ର ପୂଜା ପର୍ଯ୍ୟନ୍ତ ଅତ୍ୟନ୍ତ ନିଷ୍ଠା ଓ ଭକ୍ତିପୁତ ମନୋଭାବ ନେଇ କରାଯାଇଥାଏ। ଏଥିରେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କର କିଛି ନା କିଛି ଭୁମିକା ରହିଥାଏ। କେବଳ ସେତିକି ନୁହେଁ ପରିବାରର ଯିଏ ଯେଉଁଠି ଥିଲେ ମଧ୍ୟ ପୂଜା ସମୟରେ ନିଶ୍ଚିତ ରୁପେ ଘରକୁ ଆସନ୍ତି। ଏହା ସହିତ ଘରର ବାହା ହୋଇଥିବା ଝିଅମାନେ ମଧ୍ୟ ଏହି ସମୟରେ ଶାଶୁ ଘରୁ ଆସି ପୁଜା ଓ ଉପାସନାରେ ସାମିଲ ହୋଇଥାନ୍ତି। ପରିବାରର ବୋହୁମାନେ ମଧ୍ୟ ତାଙ୍କର ପିତ୍ରାଳୟକୁ ନ ଯାଇ ପୁଜାରେ ପୂର୍ଣ୍ଣ ରୂପେ ସାମିଲ ହୋଇ ସହଯୋଗ କରିଥାନ୍ତି।

ଏହି ପରମ୍ପରାକୁ ବଜାୟ ରଖି ଏ ପର୍ଯ୍ୟନ୍ତ ନିଷ୍ଠା ଓ ଭକ୍ତିର ସହିତ ପାଳନ କରୁଥିବା ଏକ ପରିବାର ହେଉଛି ନନ୍ଦପଡା ବାଲୁଙ୍କେଶ୍ୱର ମନ୍ଦିର ସମ୍ମୁଖରେ ବାସ କରୁଥିବା ମିଶ୍ର ପରିବାର। କାହିଁ କେଉଁ ପୁରା କାଳରୁ ଏହି ପରିିବାରରେ ଶକ୍ତି ଉପାସନା ଓ ପୂଜାର ପ୍ରଚଳନ ରହିଛି । ତାହା କହିବା ମୁସ୍କିଲ। ପ୍ରତିବର୍ଷ ଇଷ୍ଟଦେବୀ ଭୁବନେଶ୍ୱରୀଙ୍କୁ ତାଙ୍କର ଆସ୍ଥାନରୁ ଆଣି ପୀଠରେ ସ୍ଥାପନ ପୂର୍ବକ ଦଶହରା ସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ରୀତିନୀତି ପାଳନ କରି ତ୍ରିରାତ୍ର ପୁଜା ଓ ଶକ୍ତି ଉପାସନା ଏହି ପରିବାର ଅତ୍ୟନ୍ତ ଆନନ୍ଦ, ଉଲ୍ଲାସ ଓ ନିଷ୍ଠାର ସହିତ କରିଥାନ୍ତି। ପୂର୍ବେ ନବମୀ ଦିନ ରାତିରେ ମାଁ ଦୁର୍ଗାଙ୍କ ମନ୍ଦିରରେ ପଶୁବଳି ଦେଇ ଦଶମୀ ଦିନ ମାଁ ଭୁବନେଶ୍ୱରୀଙ୍କ ପାଖରେ ବଳି ମାଂସ କୁ ଭୋଗ ଲାଗାଇବାର ପରମ୍ପରା ମଧ୍ୟ ରହି ଆସିଥିଲା। କିନ୍ତୁ ଏହି ପ୍ରଥାକୁ ନୁଆଁ ପିଢୀର ପରିବାର ସଦସ୍ୟ ମାନେ ୨୭ ବର୍ଷ ପୂର୍ବେ ବନ୍ଦ କରି ଦେଇଥିଲେ।

ପ୍ରତି ବର୍ଷ ଶ୍ରାବଣ ପୁର୍ଣିମା ପରେ ପରେ ପୁଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥାଏ। ଯେଉଁ କୋଠରୀରେ ମାଁଙ୍କ ପୀଠ ସ୍ଥାପିତ ହୁଏ, ସେଇ କୋଠରୀକୁ ଚୁନ ସଫେଇ କରି ସଫାସୁତୁରା କରାଯାଇଥାଏ । ଦଶହରା ଷଷ୍ଠୀ ଦିନ ସେଇ ଘରେ ରଙ୍ଗୀନ ଚାନ୍ଦୁଆ, ଆମ୍ବ ପତ୍ର ତୋରଣ ଆଦି ଲାଗାଯାଇ ପାରମ୍ପରିକ ସାଜସଜା କରାଯାଇଥାଏ। ସେହି ଦିନ ସନ୍ଧ୍ୟାରେ ପରିବାରର ପୁତ୍ର ମାନଙ୍କ ଦ୍ୱାରା ଗୋଟିଏ କାଠ ତିଆରି ଟେବୁଲ ଉପରେ ଧଳା କନା ଲାଗାଇବା ପରେ ମାଁ ଭୁବନେଶ୍ୱରୀଙ୍କ ଯନ୍ତ୍ର ତିଆରି କରାଯାଇଥାଏ ଯାହାକୁ ମଣ୍ଡଳ ବୋଲି କୁହାଯାଇ ଥାଏ। ମଣ୍ଡଳ ନିର୍ମାଣରେ ଧଳା, କଳା, ନାଲି, ହଳଦିଆ ଓ ସବୁଜ ରଙ୍ଗର ଚାଉଳ ବ୍ୟବହାର କରାଯାଇଥାଏ। ମଣ୍ଡଳ ନିର୍ମାଣ ପାଇଁ ପ୍ରାୟ ଚାରି ଘଣ୍ଟା ସମୟ ଲାଗିଥାଏ। ସପ୍ତମୀ ଦିନ ସନ୍ଧ୍ୟାରେ ମୁଖ୍ୟ ପୁଜକ ମଙ୍ଗଳ ମୁହୁର୍ତ୍ତ ଦେଖି ଘଣ୍ଟ ଓ ଶଙ୍ଖ ଧ୍ୱନି ମଧ୍ୟରେ ମହାନଦୀ ରୁ କଳସରେ ଜଳ ଭର୍ତ୍ତି କରିବା ପରେ ଏହାକୁ ପୁଜା କୋଠରୀ ରେ ଆଣି ସ୍ଥାପନା କରିଥାନ୍ତି। କଳସ ସ୍ଥାପନ ସହିତ ଉପଯୁକ୍ତ ରୀତିନୀତି ରେ ତ୍ରିରାତ୍ର ପୁଜା ର ଶୁଭାରମ୍ଭ ହୋଇଥାଏ। ରୀତି ଅନୁଯାୟୀ ଅଖଣ୍ଡ ଜାଗର ର ପ୍ରଜ୍ୱଳନ କରାଯାଇ ବିଧିବଦ୍ଧ ଭାବରେ ସପ୍ତମୀ ରାତ୍ର ପୁଜା ଆରମ୍ଭ ହେବା ସହ ନବମୀ ପର୍ଯ୍ୟନ୍ତ ପ୍ରତ୍ୟେକ ରାତ୍ରିରେ ଷୋଡଶ ଉପଚାର ସହିତ ମାଁ ଙ୍କର ପୁଜା ଉପାସନା କରାଯାଇଥାଏ। ମାଁ ଙ୍କ ସହିତ ଅନ୍ୟାନ୍ୟ ଗୁହ ଦେବ ଦେବୀ ମାନେ ମଧ୍ୟ ଏହି ତିନି ଦିନ ଧରି ପୁଜା ପାଇଥାନ୍ତି। ପ୍ରତ୍ୟେକ ଦିନ ପ୍ରଥମ ପୂଜା ରେ ପିଠାପଣା ଓ ଭାଙ୍ଗ ଭୋଗ, ଦ୍ୱୀତିୟ ପୂଜାରେ ଭାତ ଭୋଗ ଏବଂ ତୃତୀୟ ପୂଜାରେ ଗୃହରେ ପ୍ରସ୍ତୁତ ବିଭିନ୍ନ ପିଠାପଣା ଓ ଫଳମୁଳ କୁ ମହତୀ ଭୋଗ ଭାବରେ ଭୋଗ ଲାଗାଯାଇଥାଏ। ସପ୍ତମୀ ରୁ ନବମୀ ପର୍ଯ୍ୟନ୍ତ ପ୍ରତିଦିନ ଦେବୀଙ୍କ ପାଖରେ ଚଣ୍ଡୀ ପାଠ କରାଯାଇଥାଏ। ଅଷ୍ଟମୀ ଦିନ ନନ୍ଦପଡା ସ୍ଥିତ ମାଁ ଦୁର୍ଗାଙ୍କ ମନ୍ଦିରରେ ରାତିରେ ଅନ୍ନ ଓ ପିଠାପଣା ମଧ୍ୟ ଭୋଗ ଲଗାଯାଇଥାଏ। ପୁର୍ବରୁ ନବମୀ ରାତ୍ରି ରେ ପଶୁବଳୀର ନିୟମ ରହିଥିଲା, କିନ୍ତୁ ପଶୁବଳୀ ବନ୍ଦ ହେବା ପରେ ପ୍ରତିକାତ୍ମକ ବଳି ଭାବରେ ସେହି ରାତିରେ ନାରିକେଳ ବଳି ଏବେ ଦିଆଯାଉଛି। ନବମୀ ରାତ୍ରରେ ମାଁ ଭୁବନେଶ୍ୱରୀଙ୍କ ପୁଜା ପରେ ମାଁ ଦୁର୍ଗାଙ୍କୁ ମନ୍ଦିରରେ ଭୋଗ ଲଗାଇବା ପରେ ଶାନ୍ତି ସ୍ତୋତ୍ର ପାଠ କରାଯାଇଥାଏ। ଦଶହରା ଦଶମୀ ଦିନ ଲଗ୍ନ ଅନୁଯାୟୀ ମାଁଙ୍କର ପୁଜାର୍ଚ୍ଚନା ପୂର୍ବାହ୍ନ ରେ କରାଯାଇ ଭାତ ଭୋଗ ଓ ପିଠାପଣା ଭୋଗ ଲାଗି କରାଯାଇ ମାଁ ଭୁବନେଶ୍ୱରୀଙ୍କ ନିକଟରେ କ୍ଷମା ଅପରାଧ ସ୍ତୋତ୍ର ପାଠ କରାଯାଇ କ୍ଷମା ପ୍ରାର୍ଥନା କରାଯାଇଥାଏ। ଏହା ପରେ ବ୍ରାହ୍ମଣ ଭୋଜନ କରାଯାଇଥାଏ। ବ୍ରାହ୍ମଣ ଭୋଜନ ଚାଲିଥିବା ସମୟରେ ହିଁ ମହାନଦୀ ଜଳରେ ଘଣ୍ଟଘଣ୍ଟା, ଶଙ୍ଖ ଧ୍ୱନି ସହିତ ସପ୍ତମୀ ଦିନ ସ୍ଥାପନା କରାଯାଇଥିବା କଳସକୁ ବିର୍ସଜନ କରାଯାଇଥାଏ। ତ୍ରିରାତ୍ର ପୁଜା ସମୟରେ ଅଜାଣତରେ ଯଦି କୌଣସି ଭୁଲ ହୋଇଥାଏ, ସେଥିପାଇଁ ପୁଣି ଥରେ ମାଁ ଭୁବନେଶ୍ୱରୀଙ୍କ ନିକଟରେ ପ୍ରାର୍ଥନା କରାଯାଇଥାଏ।

ଦଶମୀ ଦିନ ସନ୍ଧ୍ୟାରେ ମାଁଙ୍କୁ ପୀଠରୁ ଓହ୍ଲାଇ ଆଣି ଗଙ୍ଗାଜଳରେ ମହାସ୍ନାନ କରାଯାଇଥାଏ। ଏହି ଗୁପ୍ତ ପୁଜା ସମ୍ପୁର୍ଣ ରୁପେ ଆବଦ୍ଧ କୋଠରୀ ରେ କରାଯାଏ ଏବଂ ଦେବୀଙ୍କ ମହାସ୍ନାନ ପରେ ତାଙ୍କୁ ଦହି ପଖାଳ ଭୋଗ ଲାଗି ଶାନ୍ତ କରାଯାଇଥାଏ। ଏହି ପ୍ରକ୍ରିୟା ପରେ ମୁଖ୍ୟ ପୁଜକ ସମ୍ବଲପୁରର ଅଧୀଷ୍ଟାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କୁ ଦର୍ଶନ ନିମନ୍ତେ ଯାଇ ମାଁ ଙ୍କୁ ନାରିକେଳ ସର୍ମପିତ କରି ମାଁ ଙ୍କ ଆର୍ଶିବାଦ ଭିକ୍ଷା କରିଥାନ୍ତି। ଏହା ପରେ ଚାରି ଦିନ ଧରି ଚାଲିଥିବା ଦଶହରା ପୁଜା ଓ ଶକ୍ତି ଉପାସନା ବିଧିବଦ୍ଧ ଭାବରେ ସେହି ବର୍ଷ ପାଇଁ ସମାପ୍ତ ହୋଇଥାଏ।

ଏହି ପରି ଏକ ପୁରାତନ ତଥା ଅନନ୍ୟ ଧାର୍ମିକ ପରମ୍ପରାକୁ ବଞାଇ ରଖିବା ପାଇଁ ନନ୍ଦପଡାର ମିଶ୍ର ପରିବାର ଶତ ଚେଷ୍ଟିତ । ପିଢୀ ପରେ ପିଢୀ ଏହି ପବିତ୍ର ପୂଜା ଓ ଉପାସନାକୁ ଅତ୍ୟନ୍ତ ନିଷ୍ଠାର ସହିତ କରିଆସୁଛନ୍ତି । ଆଗକୁ ମଧ୍ୟ ଏହାକୁ ଏମିତି ଜାରି ରଖିବେ ବୋଲି ସମଗ୍ର ପରିବାର ସଂକ୍ଳପ ବଦ୍ଧ। ସମାଜର ଏପରି ଏକ ଅନନ୍ୟ, ବିରଳ ଓ ପବିତ୍ର ପରମ୍ପରା କୁ ବଞାଇ ରଖିବା ପାଇଁ ସମସ୍ତେ ଉଦ୍ୟମ କରିବାର ବେଳେ ଆସି ଯାଇଛି। ମାଁ ଭୁବନେଶ୍ୱରୀଙ୍କ କୃପା ଓ ଆଶୀର୍ବାଦରୁ ଏହି ଧର୍ମଧାର କାଳକୁ କାଳ ବଜାୟ ରହିବ ବୋଲି ମିଶ୍ର ପରିବାରର ଆଶା ଓ ବିଶ୍ୱାସ।

-ବିରାଜ ମିଶ୍ର

Comments are closed.