ଘରୋଇ ସୁରକ୍ଷା ଏଜେନ୍ସି ଜନକଲ୍ୟାଣ ଯୋଜନା ଆପଣାନ୍ତୁ – ଶାହା

ନୂଆଦିଲ୍ଲୀ: ଘରୋଇ ସୁରକ୍ଷା ଏଜେନ୍ସିଗୁଡିକ ସେମାନଙ୍କ ସୁରକ୍ଷା କର୍ମୀମାନଙ୍କ ପାଇଁ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ସ୍ୱାସ୍ଥ୍ୟ ବୀମା, ମେଡିକାଲ ପରୀକ୍ଷା ଏବଂ ପେନସନ ଯୋଜନାର ଲାଭ ନେବାକୁ କହିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ସେମାନଙ୍କୁ ଆହ୍ୱାନ ଦେଇ ଶାହା କହିଛନ୍ତି ଯେ ଏନସିସି ପ୍ରଶିକ୍ଷଣ ପ୍ରାପ୍ତ ବ୍ୟକ୍ତିମାନଙ୍କୁ ସୁରକ୍ଷା କର୍ମୀ ଭାବେ ନିଯୁକ୍ତି ଦିଆଯିବା ଆବଶ୍ୟକ କାରଣ ସେମାନେ ସୁରକ୍ଷା ସମ୍ପର୍କିତ ନିୟମାବଳୀ ବିଷୟରେ ଅବଗତ ଥାଆନ୍ତି ।

ସ୍ବରାଷ୍ଟ୍ର ମନ୍ତ୍ରାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ଘରୋଇ ସୁରକ୍ଷା ସଂସ୍ଥାକୁ ଲାଇସେନ୍ସ ପ୍ରଦାନ ପୋର୍ଟାଲର ଶୁଭାରମ୍ଭ କରି ଶାହ କହିଛନ୍ତି, ପ୍ରତ୍ୟେକ ଘରୋଇ ସୁରକ୍ଷା ସଂସ୍ଥା ଏହା ସୁନିଶ୍ଚିତ କରିବେ ଯେଭଳି ସେମାନଙ୍କ ଅଧୀନରେ କାମ କରୁଥିବା ସୁରକ୍ଷା କର୍ମୀମାନଙ୍କର ଜନଧନ ଆକାଉଣ୍ଟ ଥିବା ଆବଶ୍ୟକ ଓ ସେହି ଆକାଉଣ୍ଟ ମାଧ୍ୟମରେ ସେମାନଙ୍କୁ ଦରମା ଦିଆଯାଉଥିବ। କୌଣସି ପରିସ୍ଥିତିରେ ସେମାନଙ୍କୁ ନଗଦ ଅର୍ଥ ଦିଆଯିବ ନାହିଁ ବୋଲି ଶାହ କହିଛନ୍ତି।

ସେ କହିଛନ୍ତି, ଦେଶରେ ୯୦ ଲକ୍ଷ ଘରୋଇ ସୁରକ୍ଷା କର୍ମୀ କାର୍ଯ୍ୟ କରୁଥିବା ବେଳେ ୩୦ ଲକ୍ଷ ପୁଲିସ ଓ ଅନ୍ୟାନ୍ୟ ସୁରକ୍ଷା ବଳ କାର୍ଯ୍ୟ କରୁଛନ୍ତି। ଅର୍ଥାତ ଦେଶରେ କାର୍ଯ୍ୟରତ ସୁରକ୍ଷା କର୍ମୀମାନଙ୍କ ମଧ୍ୟରେ ୭୬ ପ୍ରତିଶତ ଘରୋଇ କ୍ଷେତ୍ରର ହୋଇଥିବା ବେଳେ ମାତ୍ର ୨୪ ପ୍ରତିଶତ ସରକାରୀ କର୍ମଚାରୀ। ସେହି ଘରୋଇ ସୁରକ୍ଷା କର୍ମୀମାନଙ୍କୁ ବାର୍ଷିକ ମାତ୍ର ୨୨ ଟଙ୍କା ପ୍ରିମିୟମ ଦେଇ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ସାମିଲ କରିବା ଉପରେ ଶାହା ଗୁରୁତ୍ୱ ଦେଇଛନ୍ତି। ଏହି ଯୋଜନାରେ ସରକାର ସେମାନଙ୍କ ପାଇଁ ବଳକା ୩୫୦ ଟଙ୍କା ଦେଵେ। ଅଟଳ ପେନସନ ଯୋଜନାରେ ମଧ୍ୟ ସେମାନଙ୍କୁ ସାମିଲ କରାଯାଇ ପାରିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ କହିଛନ୍ତି।

Comments are closed.