କୃଷକ ଆନ୍ଦୋଳନକୁ ନେଇ ଟିପ୍ପଣୀ ଦେଉଥିବା ବିଦେଶୀଙ୍କୁ କଡ଼ା ଜବାବ ଦେଲେ ଶାହ

କୃଷକ ଆନ୍ଦୋଳନକୁ ନେଇ ଆମେରିକୀୟ ପପ୍ ଗାୟିକା ରିହାନାଙ୍କ ସମେତ ବିଦେଶୀ ନେତା ଓ ସେଲିବ୍ରିଟିମାନେ ଦେଉଥିବା ନାନା ପ୍ରକାର ଟିପ୍ପଣୀର କଡ଼ା ଜବାବ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଶାହ କହିଛନ୍ତି, କୌଣସି ପ୍ରକାର ପ୍ରୋପାଗଣ୍ଡା ଭାରତର ଏକତାକୁ ଦୁର୍ବଳ କରିପାରିବ ନାହିଁ। ଭାରତ ଏକ ହୋଇ ରହିଛି ଏବଂ ପ୍ରଗତି ହାସଲ କରିବା ଲାଗି ଦେଶବାସୀ କାମ କରୁଛନ୍ତି।
ଅନ୍ୟପଟେ ବିଦେଶ ମନ୍ତ୍ରଣାଳୟ ମଧ୍ୟ କଡ଼ା ପ୍ରତିକ୍ରିୟା ପ୍ରକାଶ କରି ବୁଧବାର କହିଛନ୍ତି, କୃଷି ଆଇନ ସମ୍ପର୍କରେ ଦେଶର କୃଷକମାନଙ୍କର ଏକ ବର୍ଗଙ୍କୁ କିଛି ଆପତ୍ତି ରହିଛି। ସେମାନଙ୍କର ବିରୋଧ ପ୍ରଦର୍ଶନ ସମ୍ପର୍କରେ ତରବରିଆ ହୋଇ କିଛି ମନ୍ତବ୍ୟ ଦେବା ପୂର୍ବରୁ ତଥ୍ୟର ଅନୁଧ୍ୟାନ କରାଯିବା ଦରକାର।
ବିଶେଷ କରି ବିଶିଷ୍ଟ ବ୍ୟକ୍ତି ଏବଂ ଅନ୍ୟମାନଙ୍କ ଦ୍ବାରା ସୋସିଆଲ ମିଡିଆରେ ହାସଟ୍ୟାଗ ଏବଂ ମନ୍ତବ୍ୟକୁ ସମ୍ବେଦନଶୀଳ କରିବାର ଇଚ୍ଛାଶକ୍ତି ଠିକ୍ ନୁହେଁ କି ଦାୟିତ୍ଵସମ୍ପନ୍ନତାର ପରିଚୟ ନୁହେଁ ବୋଲି ବିଦେଶ ମନ୍ତ୍ରଣାଳୟ ନିଜ ପ୍ରତିକ୍ରିୟାରେ କହିଛି।
ସୂଚନାଯୋଗ୍ୟ, ଆମେରିକୀୟ ପପ୍ ଗାୟିକା ରିହାନା ଏବଂ ସ୍ବିଡେନର ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଭାରତରେ କୃଷକ ଆନ୍ଦୋଳନ ସମ୍ପର୍କରେ ଟ୍ବିଟ୍ କରିଥିବାବେଳେ ଏହା ଉପରେ ଶାହ ଏବଂ ବିଦେଶ ମନ୍ତ୍ରଣାଳୟ ଉପରୋକ୍ତ ପ୍ରତିକ୍ରିୟା ଦେଇଛନ୍ତି।
ଅନ୍ତର୍ଜାତୀୟ ପପ୍ ଗାୟିକା ରିହାନା ଏକ ଖବରକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏଥିରେ ପଞ୍ଜାବ ଏବଂ ହରିୟାଣାର ଅନେକ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିବା ଏବଂ କୃଷକଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନ ବିଷୟରେ ଉଲ୍ଲେଖ ରହିଥିଲା। ଏହି ପୋଷ୍ଟକୁ ନେଇ ଲୋକମାନେ ନାନା ପ୍ରକାର ପ୍ରତିକ୍ରିୟା ଦେଇଥିଲେ।