ରାଜନୀତିରୁ ଶାହା ଫୈଜଲଙ୍କ ସନ୍ନ୍ୟାସ

ଶ୍ରୀନଗର : ଆଇଏଏସ୍‌ ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ଡଃ ଶାହା ଫୈଜଲ ରାଜନୀତିରେ ଅକୃତକାର୍ଯ୍ୟ ହୋଇଛନ୍ତି। ୨୦୧୦ରେ ପ୍ରଥମ କାଶ୍ମୀରୀ ଭାବେ ଫୈଜଲ ସିଭିଲ ସର୍ଭିସ ପରୀକ୍ଷାରେ ସର୍ବଭାରତୀୟସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ୨୦୧୯ ଜାନୁଆରୀରେ ୩୭ବର୍ଷୀୟ ଏହି ପ୍ରଶାସକ ଆଇଏଏସ୍‌ ଚାକିରିରୁ ଇସ୍ତଫା ଦେଇ କାଶ୍ମୀର ରାଜନୀତିରେ ପ୍ରବେଶ ସହ ମାର୍ଚ୍ଚରେ ନିଜସ୍ବ ରାଜନୈତିକ ଦଳ ‘ଜମ୍ମୁ-କାଶ୍ମୀର ପିପୁଲ୍ସ ମୁଭମେଣ୍ଟ’ ଗଠନ କରିଥିଲେ। ଗତ ବର୍ଷ ଧାରା-୩୭୦ ଉଚ୍ଛେଦ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଅନ୍ୟ ନେତାଙ୍କ ଭଳି ତାଙ୍କୁ ଗୃହବନ୍ଦୀରେ ରଖିଥିଲେ। ସୋମବାର ସେ ଦଳ ସଭାପତି ପଦରୁ ଇସ୍ତଫା ଦେବା ସହ ଏଥିରୁ ସନ୍ନ୍ୟାସ ନେଇଥିବା ଘୋଷଣା କରିଛନ୍ତି। ସେ ରାଜନୈତିକ କାର୍ଯ୍ୟକୁ ଆଉ ଆଗେଇ ନେବାରେ ସକ୍ଷମ ନ ଥିବା ସମ୍ପର୍କରେ ଦଳର କର୍ମକର୍ତ୍ତାଙ୍କୁ ଅବଗତ କରିଛନ୍ତି। ଏଥିସହିତ ସମସ୍ତ ଦାୟିତ୍ବରୁ ତାଙ୍କୁ ମୁକ୍ତ କରିବା ପାଇଁ ନିବେଦନ କରିଛନ୍ତି; ତେବେ ନିଜର ଭବିଷ୍ୟତ ଯୋଜନା ସମ୍ପର୍କରେ ଏଥିରେ କିଛି ଉଲ୍ଲେଖ କରି ନାହାନ୍ତି। ଦଳ ପକ୍ଷରୁ ଉପସଭାପତି ଫିରୋଜ ପିରଜାଦାଙ୍କୁ ଫୈଜଲଙ୍କ ସ୍ଥାନରେ ନିଯୁକ୍ତ ଦିଆଯାଇଛି। ସୂଚନାନୁଯାୟୀ, ଫୈଜଲ ମୁକ୍ତ ହେବା ପରେ ଅଧିକ ଅଧ୍ୟୟନ ପାଇଁ ବିଦେଶ ଯିବାକୁ ସ୍ଥିର କରିଛନ୍ତି।

Comments are closed.