ମହିଳା ଟ୍ବେଣ୍ଟି୨୦ ବ୍ୟାଟିଂ ମାନ୍ୟତାର ଶୀର୍ଷ ସ୍ଥାନରେ ସେଫାଳି

ନୂଆଦିଲ୍ଲୀ :  ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ତରଫରୁ ଜାରି ମହିଳା ଟ୍ବେଣ୍ଟି୨୦ ବ୍ୟାଟିଂ ମାନ୍ୟତାର ଶୀର୍ଷ ସ୍ଥାନ ହାସଲ କରିଛନ୍ତି ୧୬ ବର୍ଷୀୟ ଭାରତୀୟ କ୍ରିକେଟର୍‌ ସେଫାଳି ବର୍ମା। ସଦ୍ୟ ପ୍ରକାଶିତ ମାନ୍ୟତା ଅନୁଯାୟୀ ସେଫାଳି ନ୍ୟୁଜିଲାଣ୍ଡର ସୁଜି ବେଟ୍‌ସଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ହାସଲ କରିବାରେ ସକ୍ଷମ ହୋଇଛନ୍ତି। ସୂଚନାଥାଉକି ସୁଜି ବେଟ୍‌ସ ୨୦୧୮ ଅକ୍ଟୋବରରୁ ଶୀର୍ଷ ସ୍ଥାନରେ ରହି ଆସୁଥିଲେ।  ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ସେଫାଳି ଭାରତୀୟ ଦଳ ତରଫରୁ ଭଲ ପ୍ରଦର୍ଶନ କରି ଆସୁଥିବାରୁ ମାନ୍ୟତାର ଶୀର୍ଷ ସ୍ଥାନ ହାସଲ କରିବାକୁ ସକ୍ଷମ ହୋଇଛନ୍ତି। ଅନ୍ୟପକ୍ଷରେ ଭାରତୀୟ ବ୍ୟାଟସମ୍ୟାନ୍‌ ସ୍ମୃତି ମାନ୍ଧାନା ମାନ୍ୟତାରେ ଗୋଟିଏ ସ୍ଥାନ ତଳକୁ ଖସି ୬ନଂରେ ରହିଛନ୍ତି। ବୋଲିଂ ମାନ୍ୟତାରେ ଇଂଲଣ୍ଡର ସ୍ପିନର ସୋଫି ଏକ୍‌ଲେଷ୍ଟୋନ୍‌ ଶୀର୍ଷ ସ୍ଥାନରେ ରହିଛନ୍ତି। ସେହିପରି ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ଭଲ ପ୍ରଦର୍ଶନ କରିଥିବାରୁ ଭାରତୀୟ ବୋଲର ପୁନମ ଯାଦବ ୪ଟି ସ୍ଥାନ ଉପରକୁ ଉଠି ମାନ୍ୟତାର ୮ମ ସ୍ଥାନରେ ରହିଛନ୍ତି।

ଶ୍ରୀଲଙ୍କା ଦଳର ଅଧିନାୟିକା ଚମାରି ଅଟ୍ଟାପାଟୁ ବ୍ୟାଟିଂ ମାନ୍ୟତାରେ ୪ଟି ସ୍ଥାନ ଉପରକୁ ଉଠି ୧୪ନଂରେ ରହିଥିବା ବେଳେ ଦକ୍ଷିଣ ଆଫ୍ରିକାର ଓପନର୍‌ ଲାଉରା ଉଲଭାର୍ଡ ୨୩ଟି ସ୍ଥାନ ଉପରକୁ ଉଠି ୪୪ନଂରେ ରହିଛନ୍ତି। ସେହିପରି ପାକିସ୍ତାନର ଆଲିଆ ରିଆଜ୍‌ ୨୪ଟି ସ୍ଥାନ ଉପରକୁ ଉଠି ୪୮ନଂରେ ରହିଛନ୍ତି।

ବୋଲିଂ ମାନ୍ୟତାରେ ନ୍ୟୁଜିଲାଣ୍ଡର ଲେଗ୍‌ସ୍ପିନର ଆମେଲିଆ କେର୍‌ ୨ଟି ସ୍ଥାନ ଉପରକୁ ଉଠି ୪ନଂରେ ରହିଥିବା ବେଳେ ଅଷ୍ଟ୍ରେଲିଆର ଜର୍ଜ ୱେରହାମ୍‌ ୯ଟି ସ୍ଥାନ ଉପରକୁ ଉଠି ୧୦ନଂରେ ରହିଛନ୍ତି। ପାକିସ୍ତାନର ଡାଏନା ବେଗ୍‌ ୩୪ଟି ସ୍ଥାନ ଉପରକୁ ଉଠି ୧୩ନଂରେ ରହିଥିବା ବେଳେ ଶ୍ରୀଲଙ୍କାର ଶଶିକଳା ସିରିୱର୍ଦ୍ଧନା ୭ଟି ସ୍ଥାନ ଉପରକୁ ଉଠି ୧୪, ଇଂଲଣ୍ଡର ଆନ୍ୟା ସୁବ୍ରସୋଲେ ୫ଟି ସ୍ଥାନ ଉପରକୁ ଉଠି ୧୭, ଦକ୍ଷିଣ ଆଫ୍ରିକାର ଡାନ୍‌ ନିଇକ୍ରେକ୍‌ ୧୨ଟି ସ୍ଥାନ ଉପରକୁ ଉଠି ୨୨ ଓ ଭାରତର ଶିଖା ପାଣ୍ଡେ ୨୩ଟି ସ୍ଥାନ ଉପରକୁ ଉଠି ୨୨ନଂରେ ରହିଛନ୍ତି। ଦଳଗତ ମାନ୍ୟତାରେ ଅଷ୍ଟ୍ରେଲିଆ ୨୯୦ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ୨୭୮ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛି।

Comments are closed.