ପ୍ରଧାନ ବିଚାରପତି ବିରୋଧୀ ଷଡଯନ୍ତ୍ର ମାମଲା: ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ 

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗ ମଙ୍ଗଳବାର ଭିନ୍ନ ମୋଡ ନେଇଛି। ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ବିରୋଧରେ ଅଣାଯାଇଥିବା ଏହି ସାଙ୍ଘାତିକ ଅଭିଯୋଗ ପଛରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ଦର୍ଶାଇ ଆଇନଜୀବୀ ଏମ. ଏଲ. ଶର୍ମା ପୀଠ ସମ୍ମୁଖରେ ଏକ ଜନସ୍ବାର୍ଥ ଆବେଦନ ଉପସ୍ଥାପନ କରିଥିଲେ। ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ଅଭିଯୋଗକାରିଣୀଙ୍କୁ ସହଯୋଗ କରିବା ସମ୍ବନ୍ଧୀୟ ସବିଶେଷ ସୂଚନା ‘ଦି ୱେର’ ଖବରକାଗଜ ନିକଟରେ ଭୂଷଣ ପ୍ରକାଶ କରିଥିବା ସେ ଏଥିରେ ଦର୍ଶାଇଥିଲେ। କିନ୍ତୁ ଏହା ଉପରେ ଶୁଣାଣି କରିବାକୁ ପ୍ରଧାନ ବିଚାରପତିଙ୍କ ପୀଠ ମଙ୍ଗଳବାର ମନା କରିବା ସହ ଅନ୍ୟ ଏକ ପୀଠରେ ଏହାକୁ ଉପସ୍ଥାପନ କରିବାକୁ କହିଛନ୍ତି।
ସୂଚନା ଅନୁସାରେ ଭୂଷଣ କହିଛନ୍ତି, ଗୋଗଇଙ୍କ ବିରୋଧରେ ଖବର ପ୍ରକାଶ ପାଇବା ପରେ​ ବାଇଁଶ ତାଙ୍କୁ ଟେଲିଫୋନ କରିଥିଲେ। ଏପ୍ରିଲ ୧୯ ରାତିରେ ପ୍ରଧାନ ବିଚାରପତିଙ୍କୁ ସେ ଭେଟିଥିଲେ ବୋଲି ବାଇଁଶ ତାଙ୍କୁ କହିଥିଲେ। ଏହାର ଦିନକ ପରେ ସୁପ୍ରିମକୋର୍ଟ ନିଜ ଆଡୁ ଏହି ନିର୍ଯାତନା ମାମଲାକୁ ବିଚାରକୁ ନେଇଥିଲେ। ମାନବିକ ଅଧିକାର ସମ୍ବନ୍ଧୀୟ ମାମଲାରେ କାର୍ଯ୍ୟ କରିବାକୁ ଇଚ୍ଛୁକ ବାଇଁଶଙ୍କୁ ସେ ବିଗତ କିଛି ବର୍ଷ ହେବ ଭଲ ଭାବେ ଜାଣନ୍ତି ବୋଲି ଭୂଷଣ କହିଥିଲେ। ଗୋଗଇଙ୍କ ବିରୋଧରେ ଷଡଯନ୍ତ୍ର ସମ୍ବନ୍ଧରେ ବାଇଁଶ ତାଙ୍କୁ କହିବା ପରେ ସେଥିରେ କୌଣସି ପ୍ରକାରର ଷଡଯନ୍ତ୍ର ନାହିଁ; ବରଂ ଅଭିଯୋଗକାରିଣୀଙ୍କ ପକ୍ଷ ତାଙ୍କୁ ଠିକ ଲାଗୁ ଥିବା ଭୂଷଣ ଦର୍ଶାଇଥିଲେ। ପରେ ବ୍ୟକ୍ତିଗତ ଭାବେ ଭେଟି ସବିଶେଷ ବିବରଣୀ ଦେବେ ବୋଲି ବାଇଁଶ ତାଙ୍କୁ କହିଥିବା ପ୍ରଶାନ୍ତ ଦି ୱେର ନିକଟରେ ପ୍ରକାଶ କରିଥିବା ଦର୍ଶାଯାଇଛି। ଏହାପରେ ପ୍ରଧାନ ବିଚାରପତି ବା ସିଜେଆଇଙ୍କ ବିରୋଧରେ ଷଡଯନ୍ତ୍ର ନେଇ ବାଇଁଶ ଟ୍ବିଟ କରିଥିଲେ। ତାହାକୁ ଦେଖିବା ପରେ ତାଙ୍କ ପ୍ରତି ସମସ୍ତ ସମ୍ମାନ ଶେଷ ହୋଇଯାଇଛି ବୋଲି ପ୍ରଶାନ୍ତ ଦର୍ଶାଇବାରୁ ସେ ଏଭଳି କାହିଁକି ଟ୍ବିଟ କଲେ ତାହା ବ୍ୟକ୍ତିଗତ ଭାବେ ସାକ୍ଷାତ କରି ବୁଝାଇବେ ବୋଲି ବାଇଁଶ ତାଙ୍କୁ କହିଥିଲେ।
ଖବରଅନୁସାରେ ସିଜେଆଇଙ୍କ ବିରୋଧରେ ଅଭିଯୋଗକାରିଣୀଙ୍କ ସତ୍ୟପାଠ ପ୍ରସ୍ତୁତ କରିବାରେ ଭୂଷଣଙ୍କୁ ତାଙ୍କ ପିତା ଶାନ୍ତି ଭୂଷଣ ଓ ଆଇନଜୀବୀ କାମିନୀ ଜୟସ୍ବାଲ ଓ ବୃନ୍ଦା ଗ୍ରୋବର ସହଯୋଗ କରିଥିବା ଜଣାପଡିଛି। ପ୍ରଧାନ ବିଚାରପତି ଭୂଷଣ ବିରୋଧୀ ମାମଲାର ଶୁଣାଣି ପାଇଁ ମନା କରିବା ପରେ ଆଇନଜୀବୀ ଶର୍ମା ବିଚାରପତି ଅରୁଣ ମିଶ୍ରଙ୍କ ନିକଟରେ ଏହି ଆବେଦନ ଉପସ୍ଥାପନ କରିଥିଲେ; କିନ୍ତୁ ସେ ତାହାର ଶୁଣାଣି କରିବାକୁ ମନା କରିଥିବା ଜଣାପଡିଛି। ପୂର୍ବରୁ ଯୌନ ନିର୍ଯାତନା ମାମଲାର ଶୁଣାଣି କରୁଥିବା ପୀଠରେ ସାମିଲ ହୋଇ ଗୋଗଇ ବିବାଦୀୟ ହୋଇପଡିଥିଲେ। ବିଚାରପତି ଅରୁଣ ମିଶ୍ର, ରୋହିନତୋନ ନରିମନ ଏବଂ ଦୀପକ ଗୁପ୍ତାଙ୍କ ପୀଠ ଗତ ସପ୍ତାହରେ ଅବସରପ୍ରାପ୍ତ ବିଚାରପତି ଏ. କେ. ପଟ୍ଟନାୟକଙ୍କ ଅଧିନରେ ଯୌନ ନିର୍ଯାତନା ଅଭିଯୋଗର ତଦନ୍ତ ନିର୍ଦେଶ ଦେଇଛନ୍ତି।

Comments are closed.