ଭଡ଼ାଘର ଏବେ ଦେହଜୀବୀଙ୍କ ଠିକଣା

0

ଭୁବନେଶ୍ୱର : କମିସନରେଟ ପୁଲିସ ଅଞ୍ଚଳରେ ଦିନକୁ ଦିନ ଦେହ ବ୍ୟବସାୟ ବଢ଼ିବାରେ ଲାଗିଛି। ସ୍ପା, ପାର୍ଲର, ମସାଜ ସେଣ୍ଟର ପରେ ଏବେ ଗେଷ୍ଟ ହାଉସ ଓ ଭଡ଼ାଘର ଦେହଜୀବୀଙ୍କ ଠିକଣା ପାଲଟିଛି। କିଛିଦିନ ପୂର୍ବେ କମିସନରେଟ ପୁଲିସ ପକ୍ଷରୁ ବିଭିନ୍ନ ପାର୍ଲର ଓ ହୋଟେଲରେ ଚଢ଼ଉ କରାଯାଇ ବିଦେଶିନୀ ଓ ବଙ୍ଗୀୟ ଯୁବତୀଙ୍କୁ ଠାବ କରାଯାଇ ସେମାନଙ୍କୁ ତଡ଼ିପାର କରାଯାଇଥିବା ବେଳେ ଏବେ ପୁଣି କେତେକ ଦଲାଲ ଅତ୍ୟନ୍ତ ଚତୁରତାର ସହ ସେକ୍ସ ରାକେଟ୍‌ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଭଡ଼ା ଘର ନେଇ ଚଳାଉ ଥିବା ଖବର କମିସନରେଟ ପୁଲିସର ମୁଣ୍ଡବିନ୍ଧାର କାରଣ ହୋଇଛି। ହକି ବିଶ୍ୱକପ୍‍ ନେଇ ରାଜଧାନୀ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସେକ୍ସ ରାକେଟ୍‍ ଚଳାଉଥିବା ଦଲାଲ ଏହାର ସୁଯୋଗ ନେଇ ଅନୈତିକ କାରବାର ଚଳାଇଥିବା ଖବର ପଦାକୁ ଆସିଛି। ବିଶେଷକରି ରାଜଧାନୀ ପୁଲିସ ସମ୍ପୂର୍ଣ୍ଣ ଭାବେ ହକି ବିଶ୍ୱକପ୍‍ର ସୁରକ୍ଷା କାର୍ୟ୍ୟ ରେ ଲିପ୍ତ ଥିବାରୁ ରାଜଧାନୀରେ ଅନୈତିକ କାର୍ୟ୍ୟ ପୁଣି ବୃଦ୍ଧି ପାଇଛି। ଦିନକୁ ଦିନ ରାଜଧାନୀରେ ସେକ୍ସ ରାକେଟ୍‍ ବଢ଼ି ଚାଲିଥିବା ବେଳେ ପୁଲିସ ଏସବୁ ରୋକିବାରେ ସମର୍ଥ ହୋଇପାରିନାହିଁ। ପୂର୍ବରୁ ମୁମ୍ବଇ,କଲକାତା ଓ ଥାଇଲାଣ୍ଡରୁ ଯୁବତୀ ଆସି ଭୁବନେଶ୍ୱରରେ ଦେହ ବ୍ୟବସାୟରେ ଲିପ୍ତ ରହିବା ଓ ପ୍ରଶାସନ ଚୁପ୍‍ ରହିବା ଘଟଣାକୁ ଅଧିକ ରହସ୍ୟମୟ କରିଥିବା ବେଳେ ଏବେ ବଙ୍ଗୀୟ ଯୁବତୀଙ୍କୁ ଦଲାଲମାନେ ବିଭିନ୍ନ ସ୍ଥାନରେ ଭଡ଼ାରେ ରଖି ସେକ୍ସ ରାକେଟ୍‍ ଚଳାଇଥିବା ଜଣାପଡ଼ିଛି। ଦଲାଲମାନେ ଏବେ ଏଭଳି ନୂତନ ପଦ୍ଧତି ଆପଣେଇଛନ୍ତି। ସେକ୍ସ ରାକେଟ୍‍ରେ ବଙ୍ଗୀୟ ଯୁବତୀଙ୍କ ସମେତ ବିଦେଶିନୀ(ଥାଇଲାଣ୍ଡ) ମୁଖ୍ୟ କାର୍ପଟଦାର ଥିଲେ। ଭୁବନେଶ୍ୱରରୁ ଥାଇଲାଣ୍ଡର ବ୍ୟାଙ୍କକ୍‍କୁ ସିଧାସଳଖ ବିମାନ ଚଳାଚଳ ହେଉଥିବାରୁ ସେଠା ଯୁବତୀ ଟୁରିଷ୍ଟ ଭିସାରେ ଆସି ବିଭିନ୍ନ ସ୍ପା ଓ ପାର୍ଲରରେ ଦେହ ବ୍ୟବସାୟ ଚଳାଇଥଲେ।
ମେ ୧୯ ତାରିଖରେ ବାପୁଜୀନଗର ‘ଏଚ୍‍ଟୁଓ ସ୍ପା ଆଣ୍ଡ ହମାମ ’ ଉପରେ ଚଢ଼ଉ କରି ୮ ଥାଇଲାଣ୍ଡ ଯୁବତୀ ଏବଂ ୭ ଯୁବକ(ଗ୍ରାହକ)ଙ୍କୁ ପୁଲିସ ଗିରଫ କରିଥିଲା। ସେହିପରି ୨୦୧୭ ନଭେମ୍ବର ୧୭ରେ ଖାରବେଳନଗର ୟୁନିଟ୍‍-୪ ଅଞ୍ଚଳରେ ଆଉ ଏକ ହାଇ ପ୍ରୋଫାଇଲ୍‍ ସେକ୍ସ ରାକେଟ୍‍ ଠାବ ହୋଇଥିଲା। ସେଠାରେ ବିୟୁଟି ପାର୍ଲର ନାମରେ ଦେହ ବ୍ୟବସାୟ ଚାଲୁଥିଲା। ଉଦ୍ଧାର ହୋଇଥିବା ୩ ବିଦେଶିନୀଙ୍କ ବିରୋଧରେ ମାମଲା ରୁଜୁ କରାଯିବା ଲାଗି କମିସନରେଟ୍‍ ପୁଲିସ ପକ୍ଷରୁ ଆଇନଗତ ତର୍ଜମା କରାଯାଇଥିଲା। ସେମାନଙ୍କ ପାସ୍‍ପୋର୍ଟ ଜବତ କରାଯାଇଥିଲା। ୨୦୧୬ ମାର୍ଚ୍ଚ ୨୫ରେ ଚନ୍ଦ୍ରଶେଖରପୁର ଥାନା ଅଧୀନ ଶ୍ରୀବିହାରସ୍ଥିତ ସିକ୍ସଥ୍‍ ଆଭେନ୍ୟୁ ଆପାର୍ଟମେଣ୍ଟର ୪ର୍ଥ ମହଲାରେ ଥିବା ଫ୍ଲାଟ୍‍ରେ ସେକ୍ସ ରାକେଟ୍‍ ଠାବ କରିବା ସହ କିର୍ଗିଜିସ୍ଥାନର ଜଣେ ବିଦେଶିନୀ ମହିଳାଙ୍କୁ ପୁଲିସ ଠାବ କରିଥିଲା। ପ୍ରଥମ ଥର ଲାଗି ରାଜଧାନୀରେ ଜଣେ ବିଦେଶିନୀଙ୍କୁ ଅଣାଯାଇ ଦେହ ବ୍ୟବସାୟରେ ଲିପ୍ତ କରାଯାଇଥିବା ଘଟଣା ପଦାକୁ ଆସିଥିଲା।
କମିସନରେଟ୍‍ ପୁଲିସ ଜୁଲାଇ ମାସରେ ୟୁନିଟ୍‍ ୩ ଏସ୍‍ବିଆଇ ବ୍ୟାଙ୍କ ଅଞ୍ଚଳରୁ ୩ ପଶ୍ଚିମବଙ୍ଗର ଯୁବତୀଙ୍କୁ ଉଦ୍ଧାର କରିବା ସହ ୫ ଗ୍ରାହକଙ୍କୁ ଗିରଫ କରିଥିଲା। କିଛିଦିନ ପୂର୍ବେ ବିଭିନ୍ନ ଥାନା ଅଞ୍ଚଳରେ ପୁଲିସ ଲଗାତାର ଚଢ଼ଉ କରିବା ପରେ କିଛି ବିୟୁଟି ପାର୍ଲର ବନ୍ଦ ହୋଇଯାଇଥିଲା। ଏଭଳି ବ୍ୟବସାୟରୁ ରୋଜଗାର କରୁଥିବା ଦଲାଲ୍‍ମାନେ ଏଥିପାଇଁ ନୂତନ ବାଟ ଆପଣେଇଛନ୍ତି। ବିଭିନ୍ନ ଆବାସିକ ଅଞ୍ଚଳରେ ଘର ଖୋଜି ମଧ୍ୟ ସେମାନଙ୍କ ବ୍ୟବସାୟ ଚଳାଉ ଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।
ଏ ନେଇ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ସେକ୍ସ ରାକେଟ୍‌ ଉପରେ ପୁଲିସ ତୀକ୍ଷ୍ଣ ନଜର ରଖିଛି। ଗେଷ୍ଟ ହାଉସ୍‌ ଓ ସ୍ପାଗୁଡିକରେ ନିୟମିତ ଚଢଉ କରାଯାଉଛି।

Leave A Reply