ସାତଟି ପ୍ରମୁଖ ମହାମାରୀ

୧. ଆଣ୍ଟୋନାଇନ ପ୍ଲେଗ- ଖ୍ରୀ ୧୬୫
ମିଶର, ଗ୍ରୀସ, ଇଟାଲି ଓ ରୋମରେ ପ୍ରାୟ ୧୮ଶହ ବର୍ଷ ତଳେ ଦେଖା ଦେଇଥିବା ଏହି ମହାମାରୀରେ ବହୁ ସଂଖ୍ୟକ ଲୋକ ପ୍ରାଣ ହରାଇଥିଲେ। ମେସୋପୋଟାମିଆଁରୁ ରୋମ ଫେରୁଥିବା ରୋମାନ ସେନା ସହ ଅନ୍ୟୂନ ୫୦ଲକ୍ଷ ଲୋକଙ୍କ ଏଥିରେ ମୃତ୍ୟୁ ଘଟିଥିଲା।
୨. ଜଷ୍ଟିନିଆନ ପ୍ଲେଗ-ଖ୍ରୀ ୫୪୧
ଏହି ମହାମାରୀ ସାରା ୟୁରୋପରେ ଦୀର୍ଘ ୧୧ବର୍ଷ ଧରି ମୃତ୍ୟୁର ତାଣ୍ଡବ ରଚିଥିଲା। ପ୍ରତିଦିନ ହଜାରହଜାର ଲୋକ ପୋକମାଛି ପରି ମରୁଥିଲେ। ଏଥିରେ ତତ୍‌କାଳୀନ ୟୁରୋପର ଅଧାଅଧି ଅଧିବାସୀ ପ୍ରାଣ ହରାଇଥିଲେ। ସେ ସମୟର ପ୍ରମୁଖ ବ୍ୟାବସାୟିକ କେନ୍ଦ୍ର ତଥା ପ୍ରସିଦ୍ଧ ସହର କନ୍‌ଷ୍ଟାଣ୍ଟିନୋପଲ ସମ୍ପୂର୍ଣ୍ଣ ଜନମାନବଶୂନ୍ୟ ହୋଇପଡ଼ିଥିଲା। ଏହି ଭୟଙ୍କର ରୋଗ ଅତିକମ୍‌ରେ ଅଢ଼େଇ କୋଟି ଲୋକଙ୍କ ଜୀବନ ନେଇଥିଲା।
୩. କଳାମୃତ୍ୟୁ(ବ୍ଲାକ ଡେଥ୍‌) ବା ବୁବୋନିକ ପ୍ଲେଗ୍‌- ଖ୍ରୀ ୧୩୪୬- ଖ୍ରୀ୧୩୫୩
ଏହି ମହାମାରୀ ଏସିଆ, ୟୁରୋପ ଓ ଆଫ୍ରିକା ପରି ମହାଦେଶଗୁଡ଼ିକର ଏକାଧିକ ସହରକୁ ମୃତ୍ୟୁଘାଟରେ ପରିଣତ କରିଥିଲା। ୭ବର୍ଷ ଭିତରେ ଏହି ମହାମାରୀ ୨କୋଟିରୁ ଊର୍ଦ୍ଧ୍ବ ପ୍ରାଣହାନିର କାରଣ ହୋଇଥିଲା।
୪. ତୃତୀୟ ହଇଜା ମହାମାରୀ (ଖ୍ରୀ୧୮୫୨-୧୮୬୦)
ଏହି ମହାମାରୀ ଭାରତରୁ ଆରମ୍ଭ ହୋଇ ଏସିଆ, ୟୁରୋପ, ଉତ୍ତର ଆମେରିକା ଓ ଅାଫ୍ରିକାର ବିଭିନ୍ନ ଦେଶକୁ ବ୍ୟାପିଯାଇଥିଲା। ଭାରତର ଜଣେ ପ୍ରଖ୍ୟାତ ସାହିତ୍ୟିକଙ୍କ ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଅନୁସାରେ ସେତେବେଳେ ହଜାରହଜାର ମୃତଦେହରେ ଭର୍ତ୍ତି ହୋଇଯାଇଥିଲା ଗଙ୍ଗାନଦୀର ଉଭୟ ପାର୍ଶ୍ବ। ସେଗୁଡ଼ିକୁ ଖାଇବା ପାଇଁ ଭିଡ଼ ଜମାଇଥିବା ଲକ୍ଷାଧିକ ଚିଲ, ଶାଗୁଣାଙ୍କ କର୍କଶ ସ୍ବର ମାଇଲ୍‌ମାଇଲ୍‌ ଦୂର ପର୍ଯ୍ୟନ୍ତ ଶୁଣାଯାଉଥିଲା।
୫. ଫ୍ଲୁ(ଏଚ୍୨ଏନ୍‌୨)- ଖ୍ରୀ ୧୮୮୯-୧୮୯୦
ଏସିଆଟିକ୍‌ ଫ୍ଲୁ ବା ରୁଷୀୟ ଫ୍ଲୁ ଭାବରେ ପରିଚିତ ଏହି ମହାମାରୀ ତୁର୍କି, କାନାଡା ଓ ଗ୍ରୀନଲ୍ୟାଣ୍ଡରେ ଲକ୍ଷାଧିକ ଜୀବନ ନେଇଥିଲା।
୬. ୬ଷ୍ଠ ହଇଜା ମହାମାରୀ (ଖ୍ରୀ୧୯୧୦-୧୯୧୧)
ଖ୍ରୀ୧୮୫୨ର ପୂର୍ବରୁ ଭାରତ ଦୁଇଥର ମହାମାରୀ ହଇଜାର ସମ୍ମୁଖୀନ ହୋଇଥଲା। ଏହା ପରେ ଏହି ମହାମାରୀ ଆହୁରି ୩ଥର ଭାରତରେ ବିଭୀଷିକା ରଚାଇଥିଲା। ଏହାର ସବୁଠାରୁ ଭୟଙ୍କର ରୂପ ଦେଖିବାକୁ ମିଳିଥିଲା ଖ୍ରୀ୧୯୧୦ରେ। ଏହି ମହାମାରୀ ଭାରତ ସହିତ ମଧ୍ୟପୂର୍ବ, ଉତ୍ତରଆମେରିକା, ପୂର୍ବ ୟୁରୋପ ଏବଂ ରୁଷିଆର ଅସଂଖ୍ୟା ଲୋକଙ୍କ ମୃତ୍ୟୁର କାରଣ ହୋଇଥିଲା। କେବଳ ଭାରତରେ ୮ଲକ୍ଷ ଲୋକ ଏଥିରେ ପ୍ରାଣ ହରାଇଥିଲେ।
୭. ଏଚ୍ଆଇଭି/ଏଡ୍‌ସ-୨୦୦୫-୨୦୧୨
ଏହି ରୋଗର ପ୍ରଥମ ସନ୍ଧାନ ମିଳିଥିଲା କଙ୍ଗୋରେ (୧୯୭୬)ରେ। ମାତ୍ର ୫ବର୍ଷ ଭିତରେ ଏହା ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିବା ସହ ୩କୋଟି ୬୦ଲକ୍ଷ ​ଲୋକଙ୍କ ଜୀବନ ନେଇଥିଲା। ବ୍ୟାପକ ସଚେତନତା ପରେ ଏହାର ଆତଙ୍କ ସାମାନ୍ୟ ହ୍ରାସ ପାଇଛି। ୨୦୦୫-୨୦୧୨ ଭିତରେ ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା (ବିଶ୍ବ) ୨୦ଲକ୍ଷରୁ ୧୫ଲକ୍ଷକୁ ଖସି ଆସିଥିଲା। ତା’ ସତ୍ତ୍ବେ ଆଜି ବି ଏହା ବିଶ୍ବବାସୀଙ୍କ ପାଇଁ ଆତଙ୍କର କାରଣ ହୋଇ ରହିଛି।

Comments are closed.