ଆଜିଠୁ ଗଡ଼ିବ ଭୁବନେଶ୍ବର-ନୟାଗଡ଼ ସେବା ଏକ୍ସପ୍ରେସ୍ ; କେନ୍ଦ୍ର ରେଳମନ୍ତ୍ରୀ କରିବେ ଶୁଭାରମ୍ଭ

ଭୁବନେଶ୍ୱର :  ଭୁବନେଶ୍ୱର ଓ ନୟାଗଡ଼ ଟାଉନ ମଧ୍ୟରେ ମଙ୍ଗଳବାର ଗଡ଼ିବ ସେବା ଏକ୍ସପ୍ରେସ ଟ୍ରେନ। ମଙ୍ଗଳବାର ପୂର୍ବାହ୍ନରେ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋୟଲ ନୂଆଦିଲ୍ଲୀରୁ ଭିଡିଓ କନଫରେନସିଙ୍ଗ ମାଧ୍ୟମରେ ଓଡ଼ିଶାର ସେବା ଏକ୍ସପ୍ରେସ ସହିତ ଅନ୍ୟ ରାଜ୍ୟ ପାଇଁ ୯ଟି ସେବା ଏକ୍ସପ୍ରେସର ମଧ୍ୟ ଶୁଭାରମ୍ଭ କରିବେ। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅବସରରେ ନୂଆଦିଲ୍ଲୀଠାରେ ଉପସ୍ଥିତ ରହିବେ। ଉଦ୍‌ଘାଟନ ଅବସରରେ ସେବା ଏକ୍ସପ୍ରେସ୍ ଅପରାହ୍ନ ୧.୩୦ ସମୟରେ ଯାତ୍ରା ଆରମ୍ଭ କରିବ। ତେବେ ଏହା ପରଠାରୁ ଏହି ଟ୍ରେନ୍ ଧାର୍ଯ୍ୟ ସମୟ ଅନୁସାରେ ଚଳାଚଳ କରିବ। ଅପରପକ୍ଷେ ଭୁବନେଶ୍ବର ରେଳ ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, କୃଷି ମନ୍ତ୍ରୀ ଅରୁଣ ସାହୁ ଓ ଏସ୍‌ଏସ୍‌ଇପିଡି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପିନାକୀ ମିଶ୍ର ଓ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ସୁଶାନ୍ତ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି।

ସୂଚନାଯୋଗ୍ୟ ଯେ ସେବା ଏକ୍ସପ୍ରେସ୍ ଭୁବନେଶ୍ୱରଠାରୁ ପ୍ରତିଦିନ ସନ୍ଧ୍ୟା ୬ଘ.୪୦ମି.ରେ ଛାଡି ନୟାଗଡ଼ ଟାଉନ ଠାରେ ରାତି ୮ଘ.୪୫ମି.ରେ ପହଞ୍ଚିବ। ଫେରିବା ପଥରେ ଏହି ଟ୍ରେନ ନୟାଗଡ଼ ଟାଉନଠାରୁ ସକାଳ ୬ଘ.୩୦ମି.ରେ ଛାଡି ଭୁବନେଶ୍ୱରରେ ପୂର୍ବାହ୍ନ ୯ ଟା ସମୟରେ ପହଞ୍ଚିବ। ପରିଚାଳନାଗତ ସୁବିଧାକୁ ଦୃଷ୍ଟିରେ ରଖି ଏହି ମାର୍ଗରେ ପୂର୍ବରୁ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନର ସମୟରେ ପରିବର୍ତ୍ତନ କରାଯଇଛି।

Comments are closed.