ସୁପ୍ରିମକୋର୍ଟରେ ବିରୋଧୀଙ୍କୁ ଝଟକା, ୫୦% ଇଭିଏମ-ଭିଭିପାଟ ସ୍ଲିପ୍‍ ମିଳାଇବା ଆବେଦନ ଖାରଜ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ମଙ୍ଗଳବାର ପ୍ରତି ଲୋକସଭା ନିର୍ବାଚନ ମଣ୍ଡଳୀର ୫୦% ଇଭିଏମ ସହ ଭୋଟର ଭେରିଫାଏଡ ପେପର ଟ୍ରାଏଲ (ଭିଭିପାଟ) ସ୍ଲିପ୍‍ ମିଳାଇବା ପାଇଁ ୨୧ ବିରୋଧୀ ଦଳଙ୍କ ପୁନଃ ବିଚାର ଆବେଦନକୁ ଖରାଜ କରିଦେଇଛନ୍ତି। ସୁପ୍ରିମକୋର୍ଟ ଏହା ପୂର୍ବରୁ ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୫ଟି ବୁଥର ଇଭିଏମ ସହ ଭିଭିପାଟ ସ୍ଲିପ୍‍ ମିଳାଇବାକୁ ରାୟ ଦେଇଥିଲେ। ବିରୋଧୀ ଦଳଗୁଡ଼ିକ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀ ଏହି ପୁନଃ ବିଚାର ଆବେଦନ କରିଥିଲେ । ଆବେଦନ ଖାରଜ ହେବା ପରେ ସିଂଘଭୀ କହିଛନ୍ତି ଯେ ସେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଉଛନ୍ତି। ସେ ଇଭିଏମ ନୁହେଁ ବରଂ ଭିଭିପାଟକୁ ନେଇ ଏହି ଆବେଦନ କରିଥିଲେ।

ପ୍ରକାଶ ଯେ ଇଭିଏମ୍‍ ଏବଂ ଭିଭିପାଟ ସ୍ଲିପ୍ ମିଳାଇବା ସଂଖ୍ୟା ବୃଦ୍ଧି କରିବା ପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱରେ ୨୧ ବିରୋଧୀ ଦଳ ଏକ ବୈଠକ କରି ସୁପ୍ରିମକୋର୍ଟ ଯିବାକୁ ନିଷ୍ପତ୍ତି ନେଇଥିଲେ । ଏହି କ୍ରମରେ ସବୁ ବିଧାନସଭା ନିର୍ବାଚନ ମଣ୍ଡଳୀର ଅନ୍ୟୁନ ୫୦%  ଇଭିଏମ ଏବଂ ଭିଭିପାଟ ମିଳାଇ ଗଣନା କରିବାକୁ ପୁନଃ ବିଚାର ଆବେଦନ କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ପ୍ରତି ବିଧାନସଭାର ଗୋଟିଏ ପୁଲିଂ ବୁଥରେ ଇଭିଏମ୍‍ ଏବଂ ଭିଭିପାଟ ମିଳାଇ ଗଣନା କରାଯାଉଥିଲା। ଏହି ବ୍ୟବସ୍ଥା ବିରୋଧରେ ୨୧ ବିରୋଧୀ ଦଳ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀର ୫ଟି ଭୋଟ୍‍ଗ୍ରହଣ କେନ୍ଦ୍ରରେ ଇଭିଏମ୍‍ ସହ ଭିଭିପାଟ୍‍ ସ୍ଲିପ୍‍ ମିଳାଇବା ପାଇଁ ନିର୍ବାଚନ କମିଶନ୍‍କୁ ନିର୍ଦେଶ ଦେଇଥିଲେ। ଏହି ରାୟ ବିରୋଧରେ ଅନ୍ୟୁନ ୫୦% ଇଭିଏମ ଏବଂ ଭିଭିପାଟ ସ୍ଲିପ୍ ମିଳାଇ ଗଣନା କରିବାକୁ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇଥିଲେ ।

Comments are closed.