ଧାନବିଲ କାଦରେ ଫସି ହାତୀ ଛୁଆର ମୃତ୍ୟୁ

ଶେରଗଡ଼: ଗଞ୍ଜାମ ଜିଲା ଶେରଗଡ଼ ବ୍ଲକର ଲାଉଗୁଡ଼ା ନିକଟରେ ଏକ ଧାନ ବିଲର କାଦ ଭିତରେ ଫସିଯାଇ ୪ ମାସର ହାତୀ ଛୁଆର ମୃତ୍ୟୁ ଘଟିଛି। ମିଳିଥିବା ସୂଚାନ ପ୍ରକାରେ ୧୩ଜଣିଆ ହାତୀ ପଲ ଗତରାତିରେ ଲାଉଗୁଡ଼ା ଦେଇ ଯାଉଥିବା ବେଳେ ହାତୀଛୁଆଟି କାଦ ଭିତରେ ଫସିଯାଇଥି​‌‌ଲା। ହାତୀ ଛୁଆଟି କାଦ ଭିତରୁ ପଦାକୁ ବାହାରି ପାରୁନଥିବାରୁ ସାଙ୍ଗରେ ଥିବା ହାତୀପଲ ପ୍ରବଳ ଗର୍ଜନ କରିଥିଲେ। ହାତୀ ଗର୍ଜନ ଶୁଣି ବନବିଭାଗ ପାଟ୍ରୋଲିଂ କରୁଥିବା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ହାତୀପଲର ଦୌରାତ୍ମ୍ୟ ଯୋଗୁ ପାଖକୁ ଯାଇ ପାରିନଥିଲେ। ପ୍ରାୟ ଦୁଇଘଣ୍ଟା ପରେ ହାତୀପଲ ଯିବା ପରେ ଆସିକା ରେଞ୍ଜର ପ୍ରସନ୍ନ କୁମାର ସାହୁ, ଶେରଗଡ଼ ଫରେଷ୍ଟର ଶୁଭଶ୍ରୀ ଶତପଥି, ଷଡ଼ଙ୍ଗିପଲୀ ଫରେଷ୍ଟର ସାନ୍ତନୁ ନାୟକଙ୍କ ସମେତ ବନବିଭାଗ କର୍ମଚାରୀ ହାତୀକୁ ଉଦ୍ଧାର କରିଥିଲେ। ତେବେ ସେତେବେଳକୁ ହାତୀର ମୃତ୍ୟୁ ହୋଇଯାଇଥିଲା।ରାତିରେ ମୃତହାତୀକୁ ଷଡ଼ଙ୍ଗିପଲୀ ଅଣାଯାଇଥିଲା। ଭଞ୍ଜନଗର ଡ଼ିଏଫ୍‍ଓ ସତ୍ୟନାରାୟଣ ବେହୁରା, ଏସିଏଫ ସଙ୍କର୍ଷଣ ବେହେରା, ପ୍ରଭାକର ନାୟକଙ୍କ ସମେତ ବନବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ହାତୀର ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା।

Comments are closed.