୩୩୫ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବଇ: ଆଇଟି ସେବା ପ୍ରଦାନକାରୀ ଇନ୍‌ଫୋସିସ୍ ସମ୍ପର୍କିତ ଖବର ଏବଂ କେତେକ କ୍ଷେତ୍ରରେ ନିବେଶକମାନେ ଅଧିକ ମାତ୍ରାରେ ପ୍ରଫିଟ୍‌ ବୁକିଂ କରିବାର ପ୍ରଭାବ ଘରୋଇ ପୁଞ୍ଜି ବଜାର ଉପରେ ପଡିଛି। ଏଥିଯୋଗୁ ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‍ଇ) ସେନ୍‍ସେକ୍ସରେ ୩୩୫ ପଏଣ୍ଟ ହ୍ରାସ ଘଟିଛି। ଇନ୍‌ଫୋସିସ୍‌ସ୍‌ରେ ଆର୍ଥିକ ହେରଫେର ହୋଇଥିବା ଖବର ଏହାର ଜଣେ କର୍ମଚାରୀ ପର୍ଦାଫାସ କରିବା ପରେ ପୁଞ୍ଜି ବଜାରରେ ଆଜି ଇନ୍‌ଫୋସିସ୍‌ର ଶେୟାର କାରବାରରେ ବହୁ ମାତ୍ରାରେ ହ୍ରାସ ଘଟିଛି। ମଙ୍ଗଳବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‍ଇ) ସେନ୍‌ସେକ୍ସରେ  ୩୩୫ ପଏଣ୍ଟ ହ୍ରାସ ଘଟି ୩୮,୯୬୪ ପଏଣ୍ଟରେ କାରବାର ଶେଷ ହୋଇଛି। ଦିନଯାକର କାରବାର ମଧ୍ୟରେ ସେନ୍‌ସେକ୍ସ ସର୍ବାଧିକ ୩୯,୪୨୬ ପଏଣ୍ଟ ଛୁଇଁ ଏବଂ ସର୍ବନିମ୍ନ ୩୮,୯୨୫ ପଏଣ୍ଟରେ ପହଞ୍ଚିଥିଲା। ସେହିପରି ଆଜି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟିରେ ୭୨ ପଏଣ୍ଟ ହ୍ରାସ ଘଟି ୧୧,୫୯୦ ପଏଣ୍ଟରେ କାରବାର ଶେଷ ହୋଇଛି। ମଙ୍ଗଳବାର କାରବାରରେ ଗଣମାଧ୍ୟମ, ଅଟୋ, ଆଇଟି ଏବଂ ଧାତବ ଆଦି କ୍ଷେତ୍ରର ସେୟାର ମୂଲ୍ୟରେ ଅଧିକ ହ୍ରାସ ପରିଲକ୍ଷିତ ହୋଇଥିଲା।

 

Comments are closed.